ଓପେପା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଶିକ୍ଷା ସହାୟକ ନିଯୁକ୍ତିରେ ଅନିୟମିତା ଅଭିଯୋଗ

ଭୁବନେଶ୍ୱର : ଶିକ୍ଷା ସହାୟକ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ କେତେଜଣ ଆଶାୟୀ ଅଭିଯୋଗ କରିଛନ୍ତି। ଏନେଇ ଆଶାୟୀମାନେ ଆଜି ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓପେପା) କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ ୨୦୧୬-୧୭ରେ ଶିକ୍ଷା ସହାୟକ ନିଯୁକ୍ତିରେ ଅନିୟମିତା ହୋଇଛି। ଆବେଦନ କରିଥିବା ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କୁ ମେଧାବୀ ତାଲିକାରୁ ବାଦ୍‌ ଦିଆଯାଇଛି। ଉପଯୁକ୍ତ ନମ୍ବର ରଖିଥିଲେ ମଧ୍ୟ ମେଧାବୀ ପ୍ରାର୍ଥୀଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ଯେତେବେଳେ କି ବହୁତ କମ୍‌ ନମ୍ବର ରଖିଥିବା ପ୍ରାର୍ଥୀ ମେଧାବୀ ତାଲିକାରେ ସ୍ଥାନ ପାଇଛନ୍ତି। ଏଭଳି ଅନିୟମିତତା ପଛରେ ବଡ଼ଧରଣର ଡିଲ୍‌ ହୋଇଛି। ରାଜ୍ୟସ୍ତରୀୟ ନିଯୁକ୍ତି ପ୍ରଦାନ କରାଗଲେ ମେଧାବୀ ଛାତ୍ରଛାତ୍ରୀ ନିଯୁକ୍ତି ପାଇପାରିବେ ବୋଲି ସେମାନେ ଦାବି କରିଛନ୍ତି। ଯଦି ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ବ୍ୟାପକ ଆନ୍ଦୋଳନ କରାଯିବା ସହ ଆଇନର ଆଶ୍ରୟ ନେବୁ ବୋଲି ସେମାନେ କହିଛନ୍ତି। ଓପେପା କର୍ତୃପକ୍ଷଙ୍କ ସହ ଆଲୋଚନା ପରେ ଆଶାୟୀମାନେ ଶାନ୍ତ ପଡ଼ିଥିଲେ। ଦାବି ନେଇ ବିଚାର ଆଲୋଚନା ହେବ ବୋଲି ଓପେପା କର୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର