ରାଉରକେଲା: ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣକୁ ଜୋର୍ଦାର୍ ବିରୋଧ ହେଉଛି। ନିର୍ମାଣ କାର୍ଯ୍ୟ ଦୂରେ ଥାଉ ସ୍ଥାନୀୟ ଲୋକେ ପ୍ରସ୍ତାବିତ ସ୍ଥାନରୁ ମାଟି ମୁଠାଏ ବି ଉଠାଇ ଦେଉନାହାନ୍ତି। ତେଣୁ ସର୍ଭେ ପାଇଁ ଆସିଥିବା ବିଶେଷଜ୍ଞ ଦଳ ଆଜି ହଟହଟା ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ୨୧ ଜୁଲାଇରେ ପ୍ରସ୍ତାବିତ ଦ୍ୱିତୀୟ ବ୍ରାହ୍ମଣୀ ସେତୁକୁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଶିଳାନ୍ୟାସ କରିଥିଲେ। ଦୁଇ ସପ୍ତାହ ମଧ୍ୟରେ ରାସ୍ତା ଓ ସେତୁ ନିର୍ମାଣ କାର୍ଯ୍ୟ ହେବ ବୋଲି ସେ ଘୋଷଣା କରିଥିଲେ। ୩ ମାସ ବିତି ଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇନାହିଁ। ସେତୁର ଖମ୍ବ (ପିଲାର) ନିର୍ମାଣ ପୂର୍ବରୁ ମାଟି ପରୀକ୍ଷା ପାଇଁ ଜିକେସି ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ଶାମ୍ବା ଶିବା ରାଓଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଅପରାହ୍ନ ପ୍ରାୟ ୩ଟାରେ ପ୍ରଥମେ ବାଲୁଘାଟପଟୁ ପ୍ରବେଶ କରିଥିଲେ। ମାଟି ଖୋଳିବା ପାଇଁ ସେମାନେ ଜେସିବି ନେଇଥିଲେ। କିନ୍ତୁ ବାଲୁଘାଟ ଭିତରକୁ ଜେସିବି ପଶିନଥିଲା। ସେଠାରୁ ସେମାନେ ଦାଣ୍ଡିଆପାଲି ଯାଇଥିଲେ। ଏହି ଖବର ପାଇ ବସ୍ତିର ଶତାଧିକ ଲୋକ ଏକଜୁଟ୍ ହୋଇ ମାଟି ସଂଗ୍ରହକୁ ବିରୋଧ କରିଥିଲେ। ଏହାକୁ ନେଇ ବସ୍ତିବାସିନ୍ଦା ଓ ଟିମ୍ର ସଦସ୍ୟ ମୁହାଁମୁହିଁ ହୋଇଥିଲେ। ଲୋକଙ୍କୁ ମୁକାବିଲା କରି ନ ପାରି ସେମାନେ ଫେରି ଆସିବାକୁ ବାଧ୍ୟ ହୋଇଛନ୍ତି ବୋଲି ଶାମ୍ବା ଶିବା ରାଓ କହିଛନ୍ତି। ପ୍ରଶାସନ ସହଯୋଗରେ ଆସନ୍ତାକାଲି (ମଙ୍ଗଳବାର) ପୁଣି ମାଟି ସଂଗ୍ରହ ପାଇଁ ସେମାନେ ଯିବାର କାର୍ଯ୍ୟକ୍ରମ ରହିଛି ।