ହାଇକୋର୍ଟ ବେଞ୍ଚ ଆନ୍ଦୋଳନ : ସମ୍ବଲପୁରରେ ବ୍ୟାଙ୍କ, ଅଫିସ, ଅଦାଲତ ଅଚଳ

ସିପିଡବ୍ଲ୍ୟୁଡି ଅଫିସରେ ଭଂଗାରୁଜା ଅଭିଯୋଗ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ଓକିଲଙ୍କ ଆନ୍ଦୋଳନ ଯୋଗୁଁ ବ୍ୟାଙ୍କ, ଅଫିସ, ଅଦାଲତ ଠପ୍‌ ହୋଇଯାଇଛି। ଓକିଲମାନଙ୍କ ଏହି ଆନ୍ଦୋଳନରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସମେତ ସବୁ ରାଜନୈତିକ ଦଳର ନେତା ଓ କର୍ମୀ ଏଥିରେ ସାମିଲ ହୋଇ ନିଜ ସମର୍ଥନ ଜଣେଇଛନ୍ତି। ପିକେଟିଂ କରିବା ଯୋଗୁଁ ଜଜ୍‌, ଅଫିସର, କର୍ମଚାରୀ ସମସ୍ତେ କାର୍ଯ୍ୟରେ ଯୋଗ ଦେଇନପାରି ଫେରି ଯାଇଛନ୍ତି। ସମ୍ବଲପୁର ଜିଲ୍ଲାରେ ସବୁଆଡ଼େ ସରକାରୀ କାମ ଏ ପ୍ରକାର ଠପ୍‌ ହୋଇଯାଇଛି।

ପଶ୍ଚିମ ଓଡ଼ିଶାବାସୀଙ୍କ ଦାବି ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ଅବହେଳା ପ୍ରଦର୍ଶନର ପ୍ରତିବାଦସ୍ୱରୂପ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏସି) ୧୯ରୁ ୨୪ ଫେବ୍ରୁଆରି ପର୍ଯ୍ୟନ୍ତ ଚେତାବନୀ ସପ୍ତାହ ପାଳନ କରୁଛି। ଏହି କ୍ରମରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ନେଲ୍‌ସନ ମଣ୍ଡେଲା ଛକରେ ଗଣଧାରଣା ଦିଆଯାଇଥିବା ବେଳେ ପିକେଟିଂ କରି ଆର୍‌ଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ ଅଫିସ ସାଂଗକୁ ରାଜ୍ୟ ଓ କେନ୍ଦ୍ର ସରକାର ସବୁ ଅଫିସ,ବ୍ୟାଙ୍କ, ଅର୍ଥନୈତକ ଅନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି। ଅଫିସଗୁଡ଼ିକ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଜିଲ୍ଲା ଓକିଲ ସଂଘର ସଭାପତି ଅତନୁ ଘୋଷ, ସଂପାଦକ ପ୍ରଭାତ ମହାପାତ୍ର, ଜିଲ୍ଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ପ୍ରଦୀପ ବହିଦାର ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ।

ରବି ପୂଜାରୀ ଓ ପ୍ରମୋଦ ସରାଫଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ସରକାର ଉପମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ଇଂ.ରୋହିତ ପୂଜାରୀ, ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା, ବୀରମହାରାଜପୁରର ପୂର୍ବତନ ବିଧାୟକ ରବି ପାଣିଗ୍ରାହୀ, ବିଜେପି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ସିପିଆଇ ନେତା ଅଶୋକ ବିଶି, ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର, ଜିଲ୍ଲା କଂଗ୍ରେସ ସଭାପତି ସୁରେଶ୍ୱର ମିଶ୍ର, ଆପ୍‌ର ପ୍ରଦୀପ ଯୋଶୀ, ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟିର ଆବାହକ ଭାଗବତ ପ୍ରସାଦ ନନ୍ଦ, ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ସଭାପତି ମୁରାରୀ ପୁରୋହିତ, ବିଏମ୍‌ଏସ ନେତା ଜଗଦୀଶ ବିଶ୍ୱାଳ, ଆଦିବାସୀ ଦଳିତ ସେନା ନେତା ଶ୍ୟାମ ସୁନ୍ଦର ମୁଣ୍ଡା, କର୍ଣ୍ଣେଲ ପ୍ରଭାତ ପଣ୍ଡା, ଆମ୍ବୁଲାନସ କର୍ମଚାରୀ ସଂଘର ନେତା ମନୋଜ ସାହୁ, ପ୍ରଫୁଲ୍ଲ ହୋତା, ସୁଦର୍ଶନ ପୂଜାରୀ, ଦିଲ୍‌ବାଗ ସିଂ, ରାଜକିଶୋର ବଡ଼ପଣ୍ଡା, ପଶ୍ଚିମ ଓଡ଼ିଶା ବିଦ୍ୟୁତ କର୍ମଚାରୀ ସଂଘର ନେତା ରଂଜିତ ମହାପାତ୍ର, ପ୍ରଫୁଲ୍ଲ ହୋତା, ଚନ୍ଦ୍ରଲେଖା ବହିଦାର ପ୍ରମୁଖ ହାଇକୋର୍ଟ ବେଞ୍ଚ ସ୍ଥାପନ ସପକ୍ଷରେ ବକ୍ତବ୍ୟ ରଖିଥିଲେ।

ସମ୍ବଲପୁର ମହାନଗର ନିଗମ, ଦୁଇ ଉପଖଣ୍ଡ ରେଢ଼ାଖୋଲ ଓ କୁଚିଣ୍ଡା ସମେତ ବ୍ଲକ ଓ ତହସିଲ ଅଂଚଳରେ ମଧ୍ୟ ଏହାର ପ୍ରଭାବ ରହିଥିଲା। ଜିଲ୍ଲାର ସରକାରୀ କାମ ପୂରାପୂରି ଠପ୍‌ ହୋଇଯାଇଛି। ବ୍ୟାଙ୍କ ବନ୍ଦ ରହିବା ଯୋଗୁଁ ଲୋକେ ହଇରାଣ ହୋଇଛନ୍ତି। କାଇଁଶୀର ରୋଡରେ ଥିବା ସିପିଡବ୍ଲ୍ୟୁଡି (ସେଣ୍ଟ୍ରାଲ ପବ୍ଲିକ ଓ୍ଵାର୍କ ଡିପାର୍ଟମେଣ୍ଟ)କାର୍ଯ୍ୟାଳୟରେ କେତେକ ବ୍ୟକ୍ତି ଭଂଗାରୁଜା କରିଥିବା ନେଇ ଅଇଁଠାପାଲି ଥାନାରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର