ଧାରଣାରେ ବସିଛନ୍ତି ପିଟିଜିଆଇ, ସରକାରୀ ଆଇଟିଆଇରେ ଅଚଳାବସ୍ଥା

ଦୀର୍ଘ ଦିନର ଦାବି ଶୁଣୁ ନାହାନ୍ତି ସରକାର

ଧାରଣାରୁ ହଟିବାକୁ କର୍ତ୍ତୃପକ୍ଷଙ୍କ ନାଲିଆଖି

ଭୁବନେଶ୍ୱର : ସରକାରୀ ଆଇଟିଆଇଗୁଡ଼ିକରେ କାର୍ଯ୍ୟରତ ପିଟିଜିଆଇ(ପାର୍ଟ ଟାଇମ୍‌ ଗେଷ୍ଟ୍‍ ଇନ୍‌ଷ୍ଟ୍ରକ୍ଟର୍‌)ମାନେ ଏକ ମାସ ହେବ ଆନ୍ଦୋଳନ ଚଳାଇଛନ୍ତି। ସ୍ଥାୟୀ ନିଯୁକ୍ତି ଦାବିରେ ଜାରି ରହିଥିବା ଏହି ଆନ୍ଦୋଳନ ଯୋଗୁଁ ଆଇଟିଆଇଗୁଡ଼ିକରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସରକାର ସେମାନଙ୍କ ଦାବି ପୂରଣ ପାଇଁ କୌଣସି ସକରାତ୍ମକ ଆଭିମୁଖ୍ୟ ଦେଖାଇ ନାହାନ୍ତି। କିନ୍ତୁ ସେମାନଙ୍କୁ ଧାରଣାରୁ ହଟାଇବା ପାଇଁ କର୍ତ୍ତୃପକ୍ଷ ନାଲି ଆଖି ଦେଖାଇଛନ୍ତି। ଏହାକୁ ନେଇ ପିଟିଜିଆଇ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ସରକାର ବିଭିନ୍ନ ଆଇଟିଆଇରେ ପିଟିଜିଆଇମାନଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନଙ୍କୁ ଠିକା ଭିତ୍ତିରେ ନିଯୁକ୍ତି ଦିଆଯିବା ନେଇ କାଗଜପତ୍ରରେ ଦର୍ଶାଯାଇଛି। କାରଣ ସେମାନଙ୍କୁ ‘କଣ୍ଟ୍ରାକ୍‌ଚୁଆଲ୍‌’ ବୋଲି ଦର୍ଶା ନ ଗଲେ ଆବଶ୍ୟକ ସ୍ୱୀକୃତି ମିଳିବାରେ ସମସ୍ୟା ସୃଷ୍ଟି ହେବ। କିନ୍ତୁ ବାସ୍ତବତା ଭିନ୍ନ। ଏହି ପିଟିଜିଆଇମାନେ ଦୈନିକ ମଜୁରୀ ଭିତ୍ତିରେ କାମ କରୁଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ବର୍ଷ ଧରି ସେମାନେ ଆଇଟିଆଇରେ କାମ କରୁଛନ୍ତି। ନିୟମିତ କର୍ମଚାରୀଙ୍କ ଅଭାବ ଥିବାରୁ ଆଇଟିଆଇଗୁଡ଼ିକରେ ସେମାନେ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। କିନ୍ତୁ ସରକାର ଏହି ସେମାନଙ୍କ ନିଯୁକ୍ତିକୁ ସ୍ଥାୟୀ କରୁନାହାନ୍ତି କି ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେଉ ନାହାନ୍ତି। ଏ ନେଇ ବିଭିନ୍ନ ସମୟରେ ସେମାନେ ଆନ୍ଦୋଳନ କରିଥିଲେ ବି ସରକାର ମିଥ୍ୟା ପ୍ରତିଶ୍ରୁତି ଦେଇ ଭଣ୍ଡାଇ ଦେଇଛନ୍ତି। ଫଳରେ ଗତ ମାସ ୨୭ ତାରିଖରୁ ସେମାନେ ପୁଣି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଦାବି ପୂରଣ ନ ହେଲେ ଏଥର ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଜିଦିରେ ଅଟଳ ଅଛନ୍ତି। କିନ୍ତୁ ସରକାରଙ୍କ ଠାରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିଶ୍ରୁତି ମିଳି ନାହିଁ।

ଅପର ପକ୍ଷରେ ଦୁଇ ଦିନ ତଳେ ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ସବୁ ସରକାରୀ ଆଇଟିଆଇ ଅଧ୍ୟକ୍ଷମାନଙ୍କୁ ଏକ ଚିଠି ଲେଖି ପିଟିଜିଆଇମାନଙ୍କୁ ଧମକ ଦେବା ସହ ବିକଳ୍ପ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ଆନ୍ଦୋଳନ ଦ୍ୱାରା ଆଇଟିଆଇରେ ତାଲିମ୍‌ ବାଧାପ୍ରାପ୍ତ ହେଉଥିବାରୁ ତୁରନ୍ତ ଆନ୍ଦୋଳନରୁ ହଟିବା ପାଇଁ ସେମାନଙ୍କୁ ଚେତାବନୀ ଦିଆଯାଇଛି। ଯେଉଁମାନେ ନଭେମ୍ବର ୨୭ରୁ ଆନ୍ଦୋଳନରେ ବସି କ୍ଲାସ୍‌ ନେଇ ନାହାନ୍ତି, ସେମାନଙ୍କୁ ମଜୁରୀ ନ ଦେବା ପାଇଁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆନ୍ଦୋଳନରତ ପିଟିଜିଆଇମାନଙ୍କୁ ବାଦ୍‌ ଦେଇ ଆବଶ୍ୟକ ଯୋଗ୍ୟତା ଥିବା ବ୍ୟକ୍ତିମାନଙ୍କର ଏକ ତାଲିକା କରି ସେମାନଙ୍କୁ ତାଲିମ୍‌ କାର୍ଯ୍ୟକ୍ରମରେ ନିୟୋଜିତ କରିବାକୁ କୁହାଯାଇଛି। କିନ୍ତୁ ନିର୍ଦ୍ଦେଶକ ତାଙ୍କ ଚିଠିରେ ପିଟିଜିଆଇମାନଙ୍କର ଦାବି ପୂରଣ ନେଇ ଧାଡ଼ିଟିଏ ବି ଉଲ୍ଲେଖ କରି ନାହାନ୍ତି।

ଦକ୍ଷତା ବିକାଶ ପାଇଁ ଅଧିକ ଆଇଟିଆଇ ଖୋଲିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜୋର୍‌ଦାର୍‌ ପ୍ରଚାର ଚଳାଇଛନ୍ତି। ଅଧିକ ସରକାରୀ ଆଇଟିଆଇ ଖୋଲିବାକୁ ରାଜ୍ୟ ସରକାର ପ୍ର୍ରକ୍ରିୟା ଜାରି ରଖିଛନ୍ତି। କିନ୍ତୁ ତାଲିମ୍‌ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କ ସ୍ୱାର୍ଥ ପ୍ରତି ଆଖି ବୁଜି ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧିତ ଖବର