ପଶ୍ଚିମ ଓଡ଼ିଶା ରାସ୍ତା ନେଇ ପିଏସି କ୍ଷୁବ୍ଧ : ପୂର୍ତ୍ତ ବିଭାଗ ଉପରେ ଅସନ୍ତୋଷ ଝାଡ଼ିଲେ

ଭୁବନେଶ୍ବର : ୧୮ ବର୍ଷ ତଳୁ ବଲାଙ୍ଗୀର ବାଇ-ପାସ ନିର୍ମାଣକୁ ଶୁଭ ଦିଆଯାଇଥିଲା। ଏ ଯାଏଁ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇପାରିନି। ଜମି ଅଧିଗ୍ରହଣ ବିଳମ୍ବ ଯୋଗୁଁ ବାଇ-ପାସ ରାସ୍ତା ନିର୍ମାଣ ଆରମ୍ଭ ଆଗଉନାହିଁ। ସମ୍ବଲପୁର-ସୋନପୁର ଜାତୀୟ ରାଜପଥ, ସୋନପୁର- ଟିଟିଲାଗଡ଼ ଏନଏଚକୁ ଏହି ବାଇ-ପାସ ଦ୍ବାରା ସଂଯୋଗ କରାଯାଇପାରିବ। ବିଳମ୍ବ ପାଇଁ ପୂର୍ତ୍ତ ବିଭାଗ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦି ଖସିବାକୁ ବସିଛି।

ସେହିପରି, ବଲାଙ୍ଗୀର-ପାଟଣାଗଡ଼ ରାସ୍ତା ପ୍ରକଳ୍ପରେ ବରପୋଲିଆଠାରେ ବ୍ରିଜ୍ ଓ ରାସ୍ତା ନିର୍ମାଣ ପାଇଁ ମଞ୍ଜୁରି ରଦ୍ଦ ହୋଇଥିଲେ ବି କୋଟି କୋଟି ଟଙ୍କା ଅଯଥା ବ୍ୟୟ କରିଛି ପୂର୍ତ୍ତ ବିଭାଗ। ଖାଲି ସେତିକି ନୁହେଁ, ବଲାଙ୍ଗୀର-ସୋନପୁର ରାସ୍ତା ନିର୍ମାଣ କାମ ଅଧାପନ୍ତରିଆ କରି ବିଭାଗ ଛାଡ଼ିଦେଇଛି। ପୂର୍ତ୍ତ ବିଭାଗର ଏପରି ଖାମଖିଆଲି ନୀତିକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛି ସରକାରୀ ହିସାବ କମିଟି ବା ପିଏସି। ଗତ ୮ ତାରିଖରେ ବିଧାନସଭାରେ ଉପସ୍ଥାପିତ ସରକାରୀ ହିସାବ କମିଟିର ୨୪ ତମ ରିପୋର୍ଟରେ ପୂର୍ତ ବିଭାଗର ପଶ୍ଚିମ ଓଡ଼ିଶା ଆଭିମୁଖ୍ୟ ପ୍ରତି ପ୍ରଶ୍ନ ଉଠାଯାଇଛି। ରିେପାର୍ଟ ଦର୍ଶାଇଛି, ସମ୍ବଲପୁର, ସୋନପୁର ଓ ଟିଟିଲାଗଡ଼ ଜାତୀୟ ରାଜପଥକୁ ସଂଯୋଗ କରିବା ପାଇଁ ବଲାଙ୍ଗୀର ବାଇ-ପାସ୍ ରାସ୍ତା ନିର୍ମାଣ ପାଇଁ ୨୦୦୯ରେ ମଞ୍ଜୁରି ମିଳିଥିଲା। କିନ୍ତୁ ଜମି ଅଧିଗ୍ରହଣ ନାଁରେ ସମୟ ଗଡ଼ାଇଚାଲିଛି ପୂର୍ତ୍ତ ବିଭାଗ।

ପିଏସି ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ କହିବାନୁଯାୟୀ, ବଲାଙ୍ଗୀର ବାଇ-ପାସ ରାସ୍ତା ନିର୍ମାଣ କରିବାକୁ ୨୦୦୧ରେ ଭିତ୍ତି ପ୍ରସ୍ତର ସ୍ଥାପନା କରାଯାଇଥିବା ଖୋଦ ପୂର୍ତ୍ତମନ୍ତ୍ରୀ ବିଧାନସଭାରେ କହିଥିଲେ। ଗତବର୍ଷ ଅଗଷ୍ଟ ୧୦ ତାରିଖରେ ପିଏସି କମିଟିର ଶୁଣାଣି ବେଳେ ପୂର୍ତ୍ତ ସଚିବ କହିଥିଲେ, ସଂଶୋଧିତ ପ୍ରସ୍ତାବ ଅନୁଯାୟୀ ଜମି ଅଧିଗ୍ରହଣ ବାବଦରେ ୧୮୫ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କଠାରୁ ମିଳିବା ପରେ ପ୍ରକଳ୍ପ ମଞ୍ଜୁରି ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ।

ଗତବର୍ଷ ନଭେମ୍ବର ୨୯ ତାରିଖରେ ଅନୁଷ୍ଠିତ କମିଟିର ଶୁଣାଣି ବେଳେ ଜଣାପଡ଼ିଲା, ୨୦୦୯ରେ ଏହି ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲେ ବି ପ୍ରାଥମିକ ଅବସ୍ଥାରେ ଏହି ରାସ୍ତାଟି ଭାରତ ସରକାରଙ୍କ ପ୍ରକଳ୍ପ ଅଧୀନରେ ଥିଲା। ୨୦୧୪ରେ ଜମି ଅଧିଗ୍ରହଣ ବାବଦରେ ୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇ ଜମି ଅଧିଗ୍ରହଣ ନେଇ ଏନଏଚ କର୍ତ୍ତୃପକ୍ଷ ଅଧିକୃତ ଅଧିକାରୀ ନିଯୁକ୍ତି ଦେଇଥିଲେ। ୨୦୧୫ରେ ଏଇ ପ୍ରକଳ୍ପର ମଞ୍ଜୁରି ପାଇଁ ଭାରତ ସରକାରଙ୍କ ପାଖକୁ ପ୍ରସ୍ତାବ ପଠାଗଲା। ଜମି ଅଧିଗ୍ରହଣ ପାଇଁ ୪୦ କୋଟି ପର୍ଯ୍ୟାପ୍ତ ହେଉନଥିବା ଦର୍ଶାଇ ବଲାଙ୍ଗୀର ଜିଲ୍ଲାପାଳ ସଂଶୋଧିତ କ୍ଷତିପୂରଣ ରାଶିକୁ ୧୯୦ କୋଟି ଟଙ୍କା କରିଥିଲେ। ଯାହା ଏବେ ବି ଝୁଲି ରହିଛି। ବଲାଙ୍ଗୀର ବାଇ-ପାସ୍ ରାସ୍ତା କାମ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଦାୟିତ୍ବ ହୋଇଥିବାରୁ ପୂର୍ତ୍ତ ସଚିବ କେବଳ ରିଙ୍ଗ ରୋଡ ବାବଦ ବ୍ୟୟବରାଦ ହୋଇଥିବା ୫୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ କମିଟି ଆଗରେ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ପାଟଣାଗଡ଼ ବାଇପାସ ରାସ୍ତା ନିର୍ମାଣରେ ପୂର୍ତ୍ତ ବିଭାଗର ଅବହେଳା ନେଇ ମଧ୍ୟ ପିଏସି ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।

କେବଳ ବଲାଙ୍ଗୀର ବାଇପାସ ରାସ୍ତା କଥା ନୁହେଁ, ପୂର୍ତ୍ତ ବିଭାଗର କରିଥିବା ଅଯଥା ଖର୍ଚ୍ଚକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ପିଏସି। ବଲାଙ୍ଗୀର-ପାଟଣାଗଡ଼ ରାସ୍ତା ନିର୍ମାଣ ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗ ବରପୋଲିଆ ଠାରେ ବ୍ରିଜ ଓ ରାସ୍ତା ନିର୍ମାଣ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି। ପୂର୍ବରୁ ଏସବୁ ରାସ୍ତା ଓ ବ୍ରିଜ ପାଇଁ ମିଳିଥିବା ମଞ୍ଜୁରି ରଦ୍ଦ ହୋଇଥିଲେ ବି ପୂର୍ତ୍ତ ବିଭାଗ ଏସବୁ କାମରେ ଅଯଥାରେ ଅର୍ଥ ଖର୍ଚ୍ଚ କରିବା ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ସରକାରୀ ହିସାବ କମିଟି।

କମିଟିର ଗତବର୍ଷ ମେ ୨୯ ତାରିଖ ଶୁଣାଣି ବେଳେ ପୂର୍ତ୍ତ ସଚିବ ପ୍ରତିଶ୍ରୁତି ଦେଇଥିଲେ, ଚୁଡ଼ାପଲ୍ଲୀ ବ୍ରିଜ ଓ ରାସ୍ତା କାମ ଆଗେଇଚାଲିଛି। ସହରାଞ୍ଚଳରେ ୪.୦୨୫ କିଲୋମିଟର ଜଙ୍ଗଲ ଜମି ଉପରେ କୋର୍ଟଙ୍କ ରହିତାଦେଶ ଥିବାରୁ କାମ ତ୍ବାରାନିତ କରିବାରେ ବିଳମ୍ବ ହୋଇଛି। ରହିତାଦେଶ ଉଠାଇବାକୁ ଜିଲ୍ଲାପାଳ ଓ ସ୍ଥାନୀୟ ତହସିଲଦାରଙ୍କୁ ତତ୍ପର କରିବାକୁ ପୂର୍ତ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପିଏସି।

ବଲାଙ୍ଗୀର-ସୋନପୁର ରାସ୍ତାକୁ ଅଧପନ୍ତରିଆ ନିର୍ମାଣ କରି ପକାଇଥିବା ନେଇ ବିଭାଗର କାର୍ଯ୍ୟକୁ ନିନ୍ଦା କରିଛନ୍ତି ବିଧାନସଭା ସରକାରୀ ହିସାବ କମିଟି। ଏପରିକି ସମ୍ପୃକ୍ତ ରାସ୍ତା କାମ ନିମ୍ନମାନର ହୋଇଥିବା ନେଇ ପ୍ରମାଣ ମିଳିବା ପରେ ବିଶେଷଜ୍ଞଙ୍କ ଦ୍ବାରା ରାସ୍ତା ନିର୍ମାଣ ମାନ ଯାଞ୍ଚ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ରାସ୍ତାକାମରେ ଠକିଥିବା ଠିକାଦାରଙ୍କ ପାଉଣା ବନ୍ଦ କରିବାକୁ କମିଟି ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛି। ଗତବର୍ଷ ନଭେମ୍ବର ୨୯ ତାରିଖରେ କମିଟିର ଶୁଣାଣି ବେଳେ ପୂର୍ତ୍ତ ସଚିବ କହିଥିଲେ ଅର୍ଜୁନପୁର ଓ ଖରି ଦେଇ ଜଙ୍ଗଲ ଜମି ଥିବାରୁ ରାସ୍ତା ନିର୍ମାଣ ପାଇଁ ଜଙ୍ଗଲ ଅନୁମୋଦନ ମିଳିବାରେ ବହୁ ବିଳମ୍ବ ଘଟିଲା। ୨୦୧୯ ଏପ୍ରିଲ ଓ ମେ ମାସ ସୁଦ୍ଧା ଗଛ କଟାଯାଇ ରାସ୍ତା କାମ ଆରମ୍ଭ କରାଯିବ ବୋଲି କମିଟି ଆଗରେ ପ୍ରତିଶ୍ରୁତି ରଖିଛନ୍ତି ସରକାର। ସେପଟେ ରାସ୍ତା କାମ ସମ୍ପୂର୍ଣ୍ଣ ହେବା ପରେ ବିଶେଷଜ୍ଞଙ୍କ ଦ୍ବାରା ଯାଞ୍ଚ କରି ପିଏସି ଆଗରେ ରିପୋର୍ଟ ପ୍ରଦାନ କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛି ସରକାରୀ ହିସାବ କମିଟି।

ସମ୍ବନ୍ଧିତ ଖବର