୧ରୁ ସମୂହ ଛୁଟିରେ ଯିବେ ରାଜ୍ୟ ଜଳଯୋଗାଣ ଓ ପରିମଳ କର୍ମଚାରୀ

ଭୁବନେଶ୍ୱର :ରାଜ୍ୟ ଜଳ ଯୋଗାଣ ଓ ପରିମଳ କର୍ମଚାରୀ ଏକମାତ୍ର ଦାବି ନେଇ ଦୀର୍ଘ ୪୮ ଦିନ ଧରି ଅନଶନରେ ବସିବା ପରେ ମଧ୍ୟ ସରକାର ଶୁଣି ନାହାନ୍ତି। ବରଂ ଜନସ୍ୱାସ୍ଥ୍ୟ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଧମକପୁର୍ଣ୍ଣ ଚିଠି ଲେଖିଛନ୍ତି। ଫଳରେ ରାଜ୍ୟର ୨ ହଜାର କର୍ମଚାରୀ ମେ ୧ ତାରିଖଠାରୁ ସମୂହ ଛୁଟିରେ ଯିବାପାଇଁ ନିଷ୍ପତ୍ତି ନେଇଛନ୍ତି। ଫଳରେ ସମଗ୍ର ରାଜ୍ୟରେ ପାନୀୟ ଜଳ ଓ ପରିମଳକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇ ପାରେ ବୋଲି ଆଶଙ୍କା କରାଯାଉଛି। ଅନ୍ୟପଟେ ଏହାର ବିକଳ୍ପ ବ୍ୟବସ୍ଥା ବା ପାନୀୟ ଜଳ ପରିମଳ ବ୍ୟବସ୍ଥାରେ ଯେପରି କୌଣସି ସମସ୍ୟା ନ ହେବ ସେ ନେଇ ବିଭାଗୀୟ ଅଧିକାରୀମାନେ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି।

ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲେଖାଯାଇଥିବା ଚିଠି ଅନୁଯାୟୀ ଜଳଯୋଗାଣ ଓ ପରିମଳ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହି ଧାରଣା ଫଳରେ ସାଧାରଣ ଜନତା ଘୋର ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଜନସାଧାରଣଙ୍କ ସ୍ୱାର୍ଥରେ କୌଣସି ପ୍ରକାରର ଆଞ୍ଚ ଆସିବାକୁ ଦିଆଯିବ ନାହିଁ। ଏଣୁ ସାମୂହିକ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଦୋଳନକୁ ବାତିଲ କରି ତୁରନ୍ତ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦିଅନ୍ତୁ। ନଚେତ୍‌ ଆଗାମୀ ଦିନରେ ଆନ୍ଦୋଳନରତ କର୍ମଚାରୀଙ୍କ ଉପରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମିତିର ଏକମାତ୍ର ଦାବି ରହିଛି ଯେ, ୨୪ ବର୍ଷ ଧରି କାମ କରୁଥିବା ୨୦୭୮ କର୍ମଚାରୀଙ୍କୁ ସ୍ଥାୟୀ କରିବା। ଏହି କର୍ମଚାରୀମାନେ ସ୍ଥାୟୀ ହେଲେ ସରକାରଙ୍କୁ ବାର୍ଷିକ ୧୬ କୋଟି ୨୭ ଲକ୍ଷ ଖର୍ଚ୍ଚ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ସରକାର ଜଳ କର ବାବଦରେ ବାର୍ଷିକ ୮୨ କୋଟି ପାଉଛନ୍ତି ବୋଲି ସମିତି କହିଛି।

ସମ୍ବନ୍ଧିତ ଖବର