ରାଜ୍ୟରେ ପ୍ରତିଷ୍ଠା ହେବ ପବ୍ଲିକ୍‌ ହେଲ୍‌ଥ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, : ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଏସିଆନ୍‌ ପବ୍ଲିକ୍‌ ହେଲ୍‌ଥ୍‌ ବିଶ୍ୱବିଦ୍ୟାଳୟ। ପିପିପି ମୋଡ୍‌ରେ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ ହେଲ୍‌ଥ(ଏଆଇପିଏଚ୍‌) ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବ। ଏହା ହେବ ରାଜ୍ୟର ପ୍ରଥମ ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ ବିଶ୍ୱବିଦ୍ୟାଳୟ। ଦୀର୍ଘ ଦିନ ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାରାଧୀନ ଥିଲା ବେଳେ ଶେଷରେ ଆଜି ଏଥିରେ କ୍ୟାବିନେଟ୍‌ ମୋହର ବାଜିଛି। ସମ୍ଭବତଃ ଚଳିତ ଅଧିବେଶନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଲ୍‌ ବିଧାନସଭାରେ ଉପସ୍ଥାପନ କରାଯିବ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିିଥିଲା। ସମ୍ପ୍ରତି ବିଧାନସଭା ଅଧିବେଶନ ଚାଲୁଥିବାରୁ କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ସରକାରୀ ଭାବେ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇ ନ ଥିଲା। ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ମାତ୍ର ୩/୪ ମିନିଟ୍‌ ପାଇଁ କ୍ୟାବିନେଟ୍‌ ବୈଠକ ବସିଥିଲା। ଏଥିରେ ପବ୍ଲିକ୍‌ ହେଲ୍‌ଥ୍‌ ବିଶ୍ୱବିଦ୍ୟାଳୟ ସମେତ ମୋଟ୍‌ ତିନିଟି ପ୍ରସ୍ତାବ ଆଗତ କରାଯାଇ ତାହାକୁ ସ୍ୱୀକୃତି ଦିଆଯାଇଥିଲା।

ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଓ ଏଆଇପିଏଚ୍‌ ମଧ୍ୟରେ ୨୦୧୩ ମସିହା ଏପ୍ରିଲ୍‌ ମାସରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ପିପିପି ମୋଡ୍‌ରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଥିଲା। ଏଥି ପାଇଁ ଜଟଣୀ ତହସିଲ୍‌ ଅଧୀନରେ ସରକାର ଜମି ଚିହ୍ନଟ କରିଥିଲେ। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ଗବେଷଣା କରିବା ସହ ବିଶେଷଜ୍ଞ ସୃଷ୍ଟି କରିବା। ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ସହ କୌଣସି ମେଡିକାଲ କଲେଜ ଅନୁବନ୍ଧିତ ହେବ ନାହିଁ କିମ୍ବା ହସ୍ପିଟାଲ୍‌ ରହିବ ନାହିଁ। ସେତେବେଳେ ସରକାର ୨/୩ ବର୍ଷ ଭିତରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ ବି ଚାରି ବର୍ଷ ହେଲା ଆରମ୍ଭ ହୋଇପାରି ନାହିଁ। ଆଜି ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ ସ୍ୱୀକୃତି ମିଳିଲା ପରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବାଟ ଖୋଲିଛି। ତେବେ କ୍ୟାବିନେଟ୍‌ରେ ଗୃହୀତ ହୋଇଥିବା ପ୍ରସ୍ତାବରେ ବିଶ୍ୱବିଦ୍ୟାଳୟର ରୂପରେଖ କିପରି ରହିଛି, ସେ ସମ୍ପର୍କରେ ସବିଶେଷ ସୂଚନା ମିଳିପାରି ନାହିଁ। ଆମେରିକାର ଏକ ପବ୍ଲିକ୍‌ ହେଲ୍‌ଥ୍‌ ବିଶ୍ୱବିଦ୍ୟାଳୟ ସହଯୋଗରେ ଏଆଇପିଏଚ୍‌ ଭୁବନେଶ୍ୱରରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବ ବୋଲି ଜଣାପଡ଼ିଛି।

ବର୍ତ୍ତମାନ ଆଇନ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ ଏନ୍‌ଏସି, ପୌରପାଳିକା ଓ ମହାନଗର ନିଗମର କାଉନ୍‌ସିଲର୍‌/କର୍ପୋରେଟର୍‌ମାନଙ୍କ ବିରୋଧରେ ଦଳବଦଳ ଅଭିଯୋଗରେ ସଭ୍ୟ ପଦ ରଦ୍ଦ  ପାଇଁ ହେଉଥିବା ଆବେଦନର ବିଚାର ନିମନ୍ତେ ନିର୍ବାଚନ କମିସନ୍‌ଙ୍କୁ ୩୦ ଦିନ ସମୟ ଦିଆଯାଉଛି। ଏହି ସମୟସୀମା ମଧ୍ୟରେ କମିସନ୍‌ ତାଙ୍କ ନିଷ୍ପତ୍ତି ଶୁଣାଉଥିଲେ। ସମୟସୀମା କମ୍‌ ହେଉଥିବାରୁ ତାହାକୁ ବଢ଼ାଇବା ପାଇଁ ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ ନଗର ଉନ୍ନୟନ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ବିଚାରର ସମୟସୀମାକୁ ୯୦ ଦିନ କରିବା ପାଇଁ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ୍‌ ସ୍ୱୀକୃତି ମିଳିଛି। ଏଥି ପାଇଁ ଆଇନ୍‌ରେ ଆବଶ୍ୟକ ସଂଶୋଧନ କରାଯିବ। ଜଙ୍ଗଲଜାତ ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ ସଂକ୍ରାନ୍ତୀୟ ଏକ ପ୍ରସ୍ତାବ ମଧ୍ୟ କ୍ୟାବିନେଟ୍‌ରେ ଗୃହୀତ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର