ପୁଲିସ୍‌-ଜନତା ମୁହାଁମୁହିଁ: ୪ ପୁଲିସ୍‌, ୧୦ ଗ୍ରାମବାସୀ ଆହତ

ଲୁହାଗୁଡ଼ି-ତପ୍ତପାଣି ରାଜପଥ ୭ ଘଣ୍ଟା ଅବରୋଧ

ପାଟପୁର/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଟି. ଗୋବିନ୍ଦପୁରଠାରେ ଆଜି ଉତ୍ତ୍ୟକ୍ତ ଆଦିବାସୀ ପୁଲିସ୍‌ ଉପରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଥାନାଧିକାରୀଙ୍କ ସମେତ ୪ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ପୁଲିସ୍‌ ଲାଠିମାଡ଼ ପ୍ରତିବାଦରେ ସେମାନେ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଏହି ଲାଠିମାଡ଼ରେ ୧୦ ଜଣରୁ ଊର୍ଦ୍ଧ୍ୱ ଆଦିବାସୀ ବି ଆହତ ହୋଇଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ତପ୍ତପାଣି ଓ ଟି ଗୋବିନ୍ଦପୁର ୧୭ ନମ୍ବର ରାଜପଥକୁ ଦୀର୍ଘ ୭ ଘଣ୍ଟା ଧରି ଅବରୋଧ କରିଥିଲେ। ପରେ ଗଞ୍ଜାମ ଏସ୍‌ପି, ତହସିଲଦାର ପ୍ରମୁଖ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଗତକାଲି ରାତିର ଏକ ଘଟଣାକୁ କେନ୍ଦ୍ରକରି ଆଜି ଆଦିବାସୀ-ପୁଲିସ୍‌ ମୁହାଁମୁହିଁ ହୋଇଥିଲେ। ଗତକାଲି ବିଳମ୍ବିତ ରାତିରେ ଟି ଗୋବିନ୍ଦପୁରର ପ୍ରହ୍ଲାଦ ନାୟକ ଗଜପତିର ମୋହନାରୁ ଏକ ୪୦୭ ଟ୍ରକ୍‌ରେ କାଜୁ ନେଇ ବ୍ରହ୍ମପୁର ଆସୁଥିଲେ। ଏହି ସମୟରେ ତପ୍ତପାଣି ଗାଁର ମୁନା ପାଣିଗ୍ରାହୀ ବେଲଗଡ଼ ନିକଟରେ ପ୍ରହ୍ଲାଦଙ୍କୁ ଅଟକାଇ ଦାଦା ବଟି ମାଗିବା ସହିତ ମାଡ଼ ମାରିଥିଲେ। ଏ ସମ୍ପର୍କରେ ଖବର ପାଇ ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ପାରମ୍ପରିକ ଅସ୍ତ୍ରଶସ୍ତ୍ର, ହାତ ହତିଆରି ଧରି ମୁନାଙ୍କ ଘର ଆଗରେ ରାତିସାରା ଜଗି ରହିଥିଲେ।

ଆଜି ସକାଳ ୬ଟା ସମୟରେ ପାଟପୁର ପୁଲିସ୍‌ ଖବର ପାଇ ସେଠାରେ ପହଞ୍ଚିଥିଲା। ପୁଲିସ୍‌ ମାଡ଼ରେ ଆହତ ହୋଇଥିବା ଗାଙ୍ଗନା ବଡ଼ରଇତଙ୍କ କହିବାନୁସାରେ ଜଗି ବସିଥିବା ଆଦିବାସୀ ପୁରୁଷ ଓ ମହିଳାଙ୍କ ନିକଟରୁ ଘଟଣା କ’ଣ ବୁଝିବା ପରିବର୍ତ୍ତେ ସେମାନଙ୍କୁ ସେଠାରୁ ତୁରନ୍ତ ଚାଲିଯିବାକୁ ଧମକ ଦେଇଥିଲେ। ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ପୁଲିସ ଗୋଡ଼ାଇ ଗୋଡ଼ାଇ ବାଡ଼େଇଥିଲା। ଫଳରେ କନ୍ଧ ବଡ଼ରଇତ, ଗିନା ମଣ୍ଡଳ, ଚନ୍ଦନ ମଣ୍ଡଳ ସମେତ ପ୍ରାୟ ୧୦ ଜଣ ଆହତ ହୋଇଥିଲେ। ଆଦିବାସୀଙ୍କ ପାଲଟା ଆକ୍ରମଣରେ ଥାନାଧିକାରୀ ରମେଶ କୁମାର ପ୍ରଧାନ, ଏଏସ୍‌ଆଇ ଗୋଲକ ପଲେଇ, ଏସ୍‌ କେ ପ୍ରଧାନ ଗୁରୁତର ଆହତ ହୋଇ ଚେତାଶୂନ୍ୟ ହୋଇପଡ଼ିଥିଲେ। ସେଠାରେ ଉପସ୍ଥିତ ଥିବା କିଛି ସାମ୍ବାଦିକ ସେମାନଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର