ପାକିସ୍ତାନକୁ ଜବାବ ଦିଅ…

ଚୁଲି ଜଳୁନି, ଦୁଇ ରାତି ଅନିଦ୍ରା, ସୋମବାର ମାଲଗୋଦାମ ବନ୍ଦ, ଦୁଇ ପରିବାରକୁ ୧ ଲକ୍ଷ ଟଙ୍କାର ସହାୟତା

ସହିଦ ଯବାନ ଅମର ରହେ ଧ୍ବନୀ ସହ ସହିଦଙ୍କ ଅନ୍ତିମ ଶୋଭାଯାତ୍ରାରେ ସାମିଲ ହୋଇଥିବା ଶୋକାକୂଳ ଜନତା ଦେଇ ଚାଲିଥିଲେ ହିନ୍ଦୁସ୍ତାନ ଜିନ୍ଦାବାଦ ଓ ପାକିସ୍ତାନ ମୁର୍ଦ୍ଦାବାଦ ନାରା। ପାକିସ୍ତାନକୁ କଡ଼ା ଯବାବ ଦିଅ ବୋଲି ଅନେକ ଚିତ୍କାର କରୁଥିବା ବେଳେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରୁଥିଲେ।

ଚୁଲି ଜଳୁନି, ଦୁଇ ରାତି ଅନିଦ୍ରା

୧୪ ତାରିଖରେ ସହିଦ ହୋଇଥିଲେ ଦୁଇ ଯବାନ। ସେହି ରାତିରେ ଖବର ପହଞ୍ଚି ଯାଇଥିଲା ପାରିଶିଖର ଗାଁର ସହିଦ ପ୍ରସନ୍ନ ସାହୁଙ୍କ ପରିବାର ନିକଟରେ। ସେହି ସମୟରୁ ଆଉ ଘରେ ଚୁଲି ଜଳିନି କି ପରିବାର ଲୋକ ଶୋଇ ନାହାନ୍ତି। କେବଳ ପ୍ରସନ୍ନଙ୍କ ପରିବାର ଲୋକ ନାହାନ୍ତି, ପୂରା ପାରିଶିଖର ଗାଁରେ ବି ସମାନ ସ୍ଥିତି। ସହିଦଙ୍କ ପରିବାରକୁ ସମବେଦନା ଜଣାଇବାକୁ ସମସ୍ତେ ଏକଜୁଟ ହୋଇ ଯାଇଛନ୍ତି।

ନିଆଳିର ରତନପୁର ଗ୍ରାମରେ ଅବଶ୍ୟ ଖବର ପହଞ୍ଚି ଥିଲା ୧୫ ତାରିଖ ସକାଳେ। ସେହି ସମୟରେ ପରିବାର ଲୋକଙ୍କ ପେଟରୁ ଭୋକ, ଆଖିରୁ ନିଦ ତ ହଜି ଯାଇଛି, ପୂରା ଗାଁ ବି ଏହି ଶୋକରେ ସାମିଲ ହୋଇଯାଇଛି।

ସୋମବାର ମାଲଗୋଦାମ ବନ୍ଦ, ଦୁଇ ପରିବାରକୁ ୧ ଲକ୍ଷ ଟଙ୍କାର ସହାୟତା

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ସାରା ଓଡ଼ିଶା ଏକ ହୋଇଯାଇଥିବା ବେଳେ ଆଜି କଟକ ମାଲଗୋଦାମ ବ୍ୟବସାୟୀଙ୍କ ପକ୍ଷରୁ କଲେଜ ଛକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଦୁଇ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଆସନ୍ତା ସୋମବାର ଦିନ ମାଲଗୋଦାମ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ସେହି ଦିନ ମାଲଗୋଦାମ ବ୍ୟବସାୟୀମାନେ ଦୁଇ ସହିଦଙ୍କ ଗ୍ରାମକୁ ଯାଇ ପ୍ରତ୍ୟେକ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବେ ବୋଲି ପ୍ରଫୁଲ୍ଲ ଛାଟୋଇ, ପ୍ରଶାନ୍ତ ପାତ୍ର, ରାଜକିଶୋର ରାଉତ, ନୀଳକଣ୍ଠ ମହାନ୍ତି ପ୍ରମୁଖ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର