ଅନୁଗୁଳ : ଭେଣ୍ଡି ଭଳି କଖାରୁ ଚାଷୀଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ। ଅନୁଗୁଳ ଜିଲ୍ଲା ଉଦ୍ୟାନ କୃଷି ବିଭାଗରୁ ମାଗଣା ମଞ୍ଜି ବୁଣି ଫସିଛନ୍ତି ଚାଷୀ। ସରକାରୀ ମଞ୍ଜିରୁ କ୍ଷେତରେ ଭଲ ଲତା ମାଡ଼ିଲା, ଅଥଚ ଫୁଲ ଧରିଲାନି କି’ ଫଳିଲାନି। ଅନୁଗୁଳ ସହର ଉପକଣ୍ଠ ଛେଳିଆପଡ଼ା ଗାଁରେ ‘ସମ୍ବାଦ’ ଟିମ୍ ଆଜି ଉଦ୍ୟାନ କୃଷି ବିଭାଗର ମାଗଣା ମଞ୍ଜି ସ୍ଥିତି ପରଖିଲା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଗାଁର କଖାରୁ ଚାଷୀ ପ୍ରଶାନ୍ତ ସାହୁ ସରକାରୀ ମଞ୍ଜିରୁ କେମିତି ଧୋକ୍କା ଖାଇଛନ୍ତି ତାହା ଆମୂଳ ଚୁଳ ବଖାଣିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ସାହୁଙ୍କ କହିବା ମୁତାବକ, ଜମିରେ ସାରାବର୍ଷ ସେ ପନିପରିବା ଚଷନ୍ତି। ଏବର୍ଷ ଏପ୍ରିଲ୍ ମାସରେ କଖାରୁ ପାଇଁ ସେ ଅଣ୍ଟା ଭିଡ଼ିଥିଲେ। ୧୮ଗୁଣ୍ଠ ଜମି ପ୍ରସ୍ତୁତ କରିଥିଲେ। ଉଦ୍ୟାନ କୃଷି ବିଭାଗରୁ ତାଙ୍କୁ ଗୋଟିଏ ପ୍ୟାକେଟ୍ ମଞ୍ଜି ମାଗଣାରେ ଦିଆଯାଇଥିଲା। ପ୍ରାୟ ୧୫ଗୁଣ୍ଠ ଜମିରେ ସେ ମାଗଣା ମଞ୍ଜି ବୁଣିଥିଲେ। ଖୋସା କୁଡ଼ା ହୋଇଥିଲା। ସାର, ଔଷଧ ବି ଦେଇଥିଲେ। ଆରମ୍ଭରୁ କଖାରୁ ଲତା ଭଲ ମାଡ଼ିଲା, ଅଥଚ ଫୁଲ ଧରିଲାନି କି, ଫଳିଲାନି। ଉଦ୍ୟାନ ବିଭାଗ ଯେଉଁ ମାଗଣା ମଞ୍ଜି ଯୋଗାଇଥିଲା ତାହାର ବଜାର ମୂଲ୍ୟ ହିସାବ କଲେ ପ୍ରାୟ ଦୁଇ ହଜାର ଟଙ୍କା ହେବ। କିନ୍ତୁ ୨ହଜାର ଟଙ୍କାର ମଞ୍ଜି ଆଣି ୧୫ଗୁଣ୍ଠ ଜମିର ଫସଲ କ୍ଷତି ସହିବାକୁ ପଡ଼ିଲା ବୋଲି ଶ୍ରୀ ସାହୁ ‘ସମ୍ବାଦ’କୁ କହିଛନ୍ତି।
ସବୁଠାରୁ ସାଙ୍ଘାତିକ ତଥ୍ୟ ସେ ଯାହା ଦେଇଛନ୍ତି ସେଥିରୁ ଉଦ୍ୟାନ କୃଷି ବିଭାଗର ମିଛ ପଦାକୁ ଆସିଛି। ତାଙ୍କ କହିବା ମୁତାବକ, ୧୫ଗୁଣ୍ଠ ଜମିରେ ସେ ଯଦିଓ ମାଗଣା ସରକାରୀ ବିହନ ବୁଣିଥିଲେ, କିନ୍ତୁ ୩ଗୁଣ୍ଠ ଜମିରେ ନିଜେ ଅନୁଗୁଳ ବଜାରରୁ କଖାରୁ ମଞ୍ଜି ଆଣି ଲଗାଇଥିଲେ। ମାଗଣା ଏବଂ ଟଙ୍କା ଦିଆ ବିହନ ଏକାଠି ଚାଷ ହୋଇଥିଲା। ଉଭୟ ଗଛ ସମାନ ଖୋସାକୁଡ଼ା ପାଇଥିଲେ। ଖତ, ସାର ଓ ଔଷଧ ବି ଦିଆଯାଇଥିଲା। ଦୋକାନ ବିହନ ଫଳ ଦେଇଥିବା ବେଳେ ୧୫ଗୁଣ୍ଠ ମାଗଣା ବିହନରୁ ଫୁଲ ବି ଧରିଲାନି। ଏବର୍ଷ ୩ଗୁଣ୍ଠ ଜମିରୁ ୫ହଜାର ଟଙ୍କାର ଲାଭ ମିଳିଥିବା ବେଳେ ୧୫ଗୁଣ୍ଠରୁ ପ୍ରାୟ ୩୦ହଜାର ଟଙ୍କାର କ୍ଷତି ସହିବାକୁ ପଡ଼ିଛି ବୋଲି ଶ୍ରୀ ସାହୁ କହିଛନ୍ତି। ଏ ସମ୍ପର୍କରେ ବିଭାଗ ନିକଟରେ ସେ ଅଭିଯୋଗ ମଧ୍ୟ କରିଛନ୍ତି।
ମଙ୍ଗଳବାର ଦିନ ସାନକନ୍ତକୁଳ ଗାଁର ଭେଣ୍ଡି ଚାଷୀ ଗଛ ନେଇ ଉଦ୍ୟାନ କୃଷି ଉପ ନିର୍ଦେଶକ ପଦ୍ମଲୋଚନ ଦାଶଙ୍କ ନିକଟରେ ଫେରାଦ୍ ହୋଇଥିଲେ। ଗଛରେ ଭେଣ୍ଡି ଫଳୁନି ବୋଲି ଅଭିଯୋଗ କରିଥିଲେ। କିନ୍ତୁ ବିଭାଗୀୟ ମୁଖ୍ୟ ଶ୍ରୀ ଦାଶ ଏଥିପାଇଁ ରୋଗ ଆଡ଼କୁ ଦୋଷ ଠେଲିଥିଲେ। ଡିଆଁ ରୋଗ ପାଇଁ ଗଛରୁ ଫଳ ଫଳିଲାନି ବୋଲି କହିଥିଲେ। କିନ୍ତୁ ଛେଳିଆପଡ଼ାରେ ଭେଣ୍ଡି ଭଳି ଦଶା କଖାରୁରେ ହେଲା କାହିଁକି? ଗୋଟିଏ ମାଟି, ସମାନ ସାରକୁ ସମାନ ଔଷଧ ପାଇ ପଇସା ଦିଆ ମଞ୍ଜି ଫଳ ଦେଲା, ଅଥଚ ସରକାରୀ ବିହନ ଧୋକା ଦେଲା। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ସାନକନ୍ତକୁଳ ଭଳି କଖାରୁ ଚାଷକୁ ଯଦି ରୋଗ ଖାଇ ଗଲା, ତେବେ ଟଙ୍କା ଦିଆ ବିହନକୁ ପୋକ ଛୁଇଁ ପାରିଲା ନାହିିଁ କେମିତି? ଏହାର ଭିଜିଲାନ୍ସ ତଦନ୍ତ ହେଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ଚାଷୀମାନେ ଦାବି କରିଛନ୍ତି।