ମା’ଙ୍କ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଶ୍ମଶାନରେ ପହଞ୍ଚିଥିବା ପୁଞ୍ଜିଲାଲ କଲେ ଏଭଳି ବୋବାଲ; କହିଲେ, ଖାଲି କ’ଣ ନିଆଁ ଲଗାଇ ଦେଇ ପଳାଇବି ନା କ’ଣ?

ବଲାଙ୍ଗୀର: ପାଟଣାଗଡ଼ ପାର୍ସଲ୍‌ ବୋମାର ଖଳନାୟକ ପୁଞ୍ଜିଲାଲ ମା’ଇନ୍ଦୁମତୀ ମେହେରଙ୍କର ଗତ ଶୁକ୍ରବାର ଦେହାନ୍ତ ପରେ ପାରୋଲ ପାଇଁ ଆବେଦନ କରିଥିଲେ । ଏବଂ ଏକମାତ୍ର ପୁଅ ହୋଇଥିବାରୁ ପାଟଣାଗଡ ଏଡିଜେ ତାଙ୍କ ଆବେଦନକୁ ଗ୍ରହଣ ମଧ୍ୟ କରିଥିଲେ । ଏହାପରେ ରବିବାର ମୁଖାଗ୍ନୀ ଦେବା ପାଇଁ ଜେଲରୁ ଗୋଟିଏ ଦିନ ପାଇଁ ପୁଞ୍ଜିଲାଲ ବାହାରିଥିଲେ। ମା’ଙ୍କ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଶ୍ମଶାନରେ ପହଞ୍ଚି ଥିବା ପୁଞ୍ଜିଲାଲ ସେଠାରେ ବୋବାଲ୍‌ କରିବା ଆରମ୍ଭ କରି ଦେଇଥିଲେ। ଯାହକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପାଲଟିଛି ।

ପାରୋଲରେ ଆସି ମାଆଙ୍କ ଶବସତ୍କାର ପାଇଁ ଶ୍ମଶାନରେ ପହଞ୍ଚିବା ବେଳେ ପାର୍ସଲ ବୋମାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କ ଭିତରେ ପୁଞ୍ଜିଭୂତ ଅସନ୍ତୋଷ ବାରି ହୋଇ ପଡ଼ୁଥିଲା । ପୁଲିସ ଉପରେ ବର୍ଷି ପୁଞ୍ଜିଲାଲ କହିଥିଲେ, ଗୋଟିଏ ଦିନର ପାରୋଲ ମିଳିଛି । ତେଣୁ ଏତେ କମ ସମୟରେ କାମ ସରିବ ନାହିଁ। ମୁଁ ଏଯାଏଁ ଘର ଲୋକଙ୍କ ସହ  କଥା ହୋଇନାହିଁ । ଖାଲି କ’ଣ ନିଆଁ ଲଗାଇ ଦେଇ ପଳାଇବି ନା କ’ଣ? ଏଭଳି କିଛି କହି ପୁଲିସ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ପୁଞ୍ଜିଲାଲ ।

ଗଣମାଧ୍ୟମ ଉପରେ ବି ପୁଞ୍ଜିଲାଲ କ୍ଷୋଭ ପ୍ରକାଶ କରି କହିଛନ୍ତି, ମୋ ବିରୋଧରେ ବାରମ୍ବାର ଖବର ଛାପୁଛି । ଏଭଳି କରି ମୋ ଭଳି ଶିକ୍ଷିତ ଲୋକକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି।

ପୁଞ୍ଜିଲାଲ ରବିବାର ଅପରାହ୍ନ ୨ ଟାରେ ବଲାଙ୍ଗୀର ଜେଲରୁ ବାହାରି ଥିଲେ। ତାଙ୍କୁ କଡ଼ା ସୁରକ୍ଷାରେ ପାଟଣାଗଡ଼ ରାମପୁରକୁ ନିଆଯାଇଥିଲା। ତେବେ ସେଠାରେ ମା’ଙ୍କ ଅନ୍ତ୍ୟେଷ୍ଟିକ୍ରିୟା ପରେ ତାଙ୍କୁ ପୁଣି ଜେଲ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ସିନେମା ଷ୍ଟାଇଲ୍‌ ଭଳି ୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ ଅଂଚଳରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ସୌମ୍ୟଶେଖର ଓ ରିମାଙ୍କ ବାହାଘରର୫ ଦିନ ପରେ ଘରେ ପହଞ୍ଚିଥିଲା ଏକ ଗିଫ୍‌ଟ ପାର୍ସଲ। ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣଯ ଆଉ ପୁଞ୍ଜିଲାଲ ଥିଲେ ଏହାର ମାଷ୍ଟର ମାଇଣ୍ଡ। କିଛି ଦିନ ପୂର୍ବରୁ ୬ ଜଣ ଡକାୟତଙ୍କ ସହ ଜେଲରୁ ଫେରାର୍‌ ହୋଇଯିବା ନେଇ ପୁଞ୍ଜିଲାଲ ଯୋଜନା କରିଥିବା ନେଇ ଖବର ଆସିଥିଲା। ତେବେ ଫାଟକ ଜଗିଥିବା ୱାଡର ସାଇରନ୍‌ ବଜାଇ ଦେବାରୁ ପୁଞ୍ଜିଲାଲଙ୍କର ଫେରାର ଉଦ୍ୟମ ପଣ୍ଡ ହୋଇଥିଲା।

ସମ୍ବନ୍ଧିତ ଖବର