ପୁଞ୍ଜିସିଲ୍ ୱାଟରଫଲ୍‌ରୁ ପଡି ୩ ଆହତ, ସୁରକ୍ଷା ପ୍ରତି ଜିଲ୍ଲା ପ୍ରଶାସନର ନିଘା ନାହିଁ

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ଥିବା ପୁଞ୍ଜିସିଲ୍ ୱାଟରଫଲ୍ ଅଳ୍ପଦିନ ମଧ୍ୟରେ ସମସ୍ତଙ୍କ ମନ କିଣିପାରିଥିବା ବେଳେ ଦିନକୁ ଦିନ ପର୍ଯ୍ୟଟକଙ୍କ ଭିଡ ଜମୁଛି।ରବିବାର କିମ୍ବା ସରକାରୀ ଛୁଟି ଦିନ ହୋଇଗଲେ ଶହ ଶହ ଗାଡି ମୋଟରରେ ହଜାର ହଜାର ପର୍ଯ୍ୟଟକଙ୍କ ଗହଳି ଲାଗିରହୁଛି। ଯେଉଁ ପରିମାଣରେ ଗହଳି ହେଉଛି ତାହାକୁ ଦୃଷ୍ଠିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ଗୁରୁତ୍ୱ ଦେବାକୁ ଚେଷ୍ଟା କରିଛି। ଏଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପାନୀୟ ଜଳର ସୁବିଧା ସହ ବିଶ୍ରାମସ୍ଥଳ କରିବାକୁ ସାଧାରଣରେ ଦାବି କରାଯାଇଛି। ଯୁବପିଢିଙ୍କୁ ଅଧିକ ଆକର୍ଷିତ କରିପାରିଥିବା ଏହି ୱାଟରଫଲ୍ ଯେତିକି ମନୋରଞ୍ଜନର ଖୋରାକ୍ ଯୋଗାଇ ପାରୁଛି ତାଠାରୁ ଅଧିକ ଦିନକୁ ଦିନ ବିପଦମୁହାଁ ମଧ୍ୟ ହେଉଛି।

ଗତକାଲି ସାଧାରଣତନ୍ତ୍ର ଦିବସ ଅବସରରେ ଶହ ଶହ ପରିବାର ଛୁଟି କଟାଇବା ସକାଶେ ଏଠାକୁ ଆସିଥିବା ବେଳେ ପାଣିରୁ ଖସି ୩ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ନାରାୟଣପାଟଣାର ବିଜେଡି ବ୍ଲକ ସଭାପତି କେ.ସାୟାରାଜୁ, ଲକ୍ଷ୍ମୀପୁର ଲ୍ୟାମ୍ପସ ପରିଚାଳକ ଗୋପାଳକୃଷ୍ନ ଆଚାର୍ଯ୍ୟଙ୍କ ସମେତ ଦାମନଯୋଡି ଅଂଚଳର ଜଣେ ଯୁବକ ଆହତ ହୋଇଥିଲେ। ପ୍ରତ୍ୟେକ ଦିନ କେହି କେହି ଆହତ ହେଉଥିବା ଖବର ଆସୁଥିଲେ ମଧ୍ୟ ସେହି ସ୍ଥାନରେ ତୁରନ୍ତ ପ୍ରାଥମିକ ଚିକିତ୍ସା ପାଇଁ କିଛି ବ୍ୟବସ୍ଥା ନଥିବାରୁ ୱାଟରଫଲର ମଜା ସମାପ୍ତ ହେବା ପୁର୍ବରୁ ଅନେକ ଏହି ସ୍ଥାନ ଛାଡି ଆସିବାକୁ ବାଧ୍ୟ ହେଉଛନ୍ତି। ୱାଟରଫଲରୁ ଗଡିକି ତଳକୁ ଆସିବା ଭିତରେ ଅନେକ ଆହତ ହେଉଥିବା ବେଳେ ୱାଟରଫଲ୍ ତଳେ ରହିଥିବା ଏକ ବଡପଥର ଯାହାକି ଅଧିକ ବିପଦର କାରଣ ପାଲଟିଛି। ତୁରନ୍ତ ସେହି ବିରାଟ ପଥର କଢାଯିବାର ବ୍ୟବସ୍ଥା କରାନଗଲେ ଆଗକୁ ଅନେକ ପର୍ଯ୍ୟଟକ ଆହତ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଏଥିପୂର୍ବରୁ ଉକ୍ତପଥରରେ ପିଟିହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡିଛି। ବିଶେଷ କରି ଯୁବପିଢି ପର୍ଯ୍ୟଟନ ସ୍ଥଳରେ ମଦ୍ୟପାନ କରିବା ସହ ପାଣି ଭିତରେ ମଦବୋତଲ ଗୁଡିକ ମଧ୍ୟ ଫୋଫାଡିବା ଦେଖିବାକୁ ମିଳୁଥିବା ବେଳେ ପର୍ଯ୍ୟଟନ ସ୍ଥଳର ଚାରିପାଖରେ ଓଳିଆ ଆବର୍ଜନା ଭର୍ତି ହୋଇରହିଛି। ୱାଟରଫଲ୍ ଦେଖିବା ସକାଶେ ମହିଳା ଓ ଛୋଟ ଛୋଟ ପିଲାମାନଙ୍କୁ ଧରି ପରିବାର ସଦସ୍ୟମାନେ ଆସୁଥିବା ବେଳେ ସୁରକ୍ଷା ଦୃଷ୍ଠିକଣରୁ ପୁଲିସ ମଧ୍ୟ ନିୟୋଜିତ କରାଯିବା ନିହାତି ଜରୁରି ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର