ପୁରୀ: ଶ୍ରୀମନ୍ଦିର ସୁରକ୍ଷା ସହ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ବହୁବର୍ଷର ପୁରୁଣା ଲଙ୍ଗୁଳି ମଠକୁ ଆଜି ଭାଙ୍ଗି ଦିଆଯିବା ପରେ ଏମାର ମଠ ଓ ବଡ଼ଆଖଡ଼ା ମଠକୁ ଟାର୍ଗେଟ୍ କରିଛି ଜିଲ୍ଲା ପ୍ରଶାସନ। ଆସନ୍ତାକାଲିଠାରୁ ଏମାର ମଠ ଭଙ୍ଗା କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହା ପରେ ବଡ଼ଆଖଡ଼ା ମଠ ଭଙ୍ଗାଯିବ। ଏହା ପୂର୍ବରୁ ମଠ ମହନ୍ତ ଓ ଏଠାରେ ଖୋଲିଥିବା ଦୋକାନୀଙ୍କୁ ତୁରନ୍ତ ଘର ଖାଲି କରିବାକୁ ପ୍ରଶାସନ ନିର୍ଦେଶ ଦେଇଛି। ଫଳସ୍ବରୂପ ଏମାର ମଠ ତଳେ ଥିବା ଦୋକାନ ଘର ସବୁ ଖାଲି ହୋଇଯାଇଛି। ବ୍ୟବସାୟୀମାନେ ସେମାନଙ୍କ ଆସବାବପତ୍ର ସବୁ ଗାଡ଼ି ଲଗାଇ ବୋହି ନେଇଛନ୍ତି। ଏସିଆର ବୃହତ୍ତମ ଥାନା ସିଂହଦ୍ବାର ଥାନା ବଡ଼ଆଖଡ଼ା ମଠରେ ଥିବା ବେଳେ ଉଚ୍ଛେଦ ପୂର୍ବରୁ ଏଠାରୁ ଜିନିଷପତ୍ର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଥାନାର ସମସ୍ତ ଦରକାରୀ କାଗଜପତ୍ର, କମ୍ପ୍ୟୁଟର ସହ ଅନ୍ୟାନ୍ୟ ଆସବାବପତ୍ର ପ୍ୟାକିଂ କରାଯାଇଛି। ଆଜି ରାତିରେ ଥାନାର ସମସ୍ତ ଜିନିଷପତ୍ର ଡୁଡୁୱାଲା ଧର୍ମଶାଳାକୁ ସ୍ଥାନାନ୍ତର କରାଯାଇଛି। ଉଚ୍ଛେଦ ସଂପର୍କରେ ଆଜି ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏମାର ମଠ ଓ ବଡ଼ଆଖଡ଼ା ମଠ ଅସୁରକ୍ଷିତ ବୋଲି ଘୋଷଣା ସରିଛି। ଆମର ମୁଖ୍ୟ ଲକ୍ଷ୍ୟ ହେଉଛି, ଶ୍ରୀମନ୍ଦିର ଚାରିପାଖରେ ୭୫ ମିଟର ଭିତରେ ଥିବା ଅସୁରକ୍ଷିତ କୋଠା ସବୁ ଭାଙ୍ଗିବା। ଏମାର ମଠ ଓ ବଡ଼ଆଖଡ଼ା ମଠ ଅସୁରକ୍ଷିତ ଅବସ୍ଥାରେ ଥିବାରୁ ଏହାକୁ ଭଙ୍ଗାଯିବ। ଆସନ୍ତାକାଲି କେଉଁ କୋଠା ଭଙ୍ଗାଯିବ ସେ ସଂପର୍କରେ ଜିଲ୍ଲାପାଳ ସ୍ପଷ୍ଟ କରି ନଥିଲେ ବି ମୁଖ୍ୟତଃ ଅସୁରକ୍ଷିତ କୋଠାଗୁଡ଼ିକୁ ଭାଙ୍ଗି ଦିଆଯିବ ବୋଲି ଜଣାପଡ଼ିଛି। ଏମାର ମଠ, ବଡ଼ଆଖଡ଼ା ମଠ ଉଚ୍ଛେଦ ପରେ ପର୍ଯ୍ୟାୟକ୍ରମେ ଅନ୍ୟ ଅସୁରକ୍ଷିତ କୋଠା, ବ୍ୟାବସାୟିକ ପ୍ରତିଷ୍ଠାନ, ବ୍ୟକ୍ତିଗତ ଘର ଭଙ୍ଗାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଆଜି ଏମାର ମଠ ପାଳି: ଖାଲିହେଲା ଦୋକାନ ଘର, ସିଂହଦ୍ବାର ଥାନା ସ୍ଥାନାନ୍ତର ପ୍ରସ୍ତୁତି
ବହୁଦିନରୁ ଅସୁରକ୍ଷିତ ଅବସ୍ଥାରେ ରହିଛି: ଜିଲ୍ଲାପାଳ
/sambad/media/post_attachments/wp-content/uploads/2019/08/afadfvadfafaacvacvv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)