ଶ୍ରୀମନ୍ଦିର ଗର୍ଭଗୃହକୁ କ୍ୟାମେରା ଥିବା ମୋବାଇଲ ଫୋନ୍‌ ନିଷିଦ୍ଧ, ବିନା କ୍ୟାମେରା ଫୋନ୍‌ ବଣ୍ଟନ ପ୍ରକ୍ରିୟା ଆରମ୍ଭ

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହକୁ କ୍ୟାମେରା ସହ ମୋବାଇଲ ଫୋନ୍‌ ନେବା ନିଷିଦ୍ଧ କରାଯାଇଛି। ଏଥିପାଇଁ ଗତକାଲିଠାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିନା କ୍ୟାମେରାରେ ମୋବାଇଲ ହ୍ୟାଣ୍ଡସେଟ୍‌ ଯୋଗାଇବା କାର୍ଯ୍ୟକ୍ରମ ଚାଲିଛି। ମୋବାଇଲ ବଣ୍ଟନର ଶେଷ ତାରିଖ ଡିସେମ୍ବର-୩୦ ତାରିଖ ପର୍ଯ୍ୟନ୍ତ ରଖାଯାଇଛି। ସେବାୟତ, ଶ୍ରୀମନ୍ଦିର କର୍ମଚାରୀ, ପୁଲିସ ଓ ଅନ୍ୟ ଅଧିକୃତ କର୍ମଚାରୀଙ୍କୁ ଏହି ମୋବାଇଲ ଯୋଗାଇ ଦିଆଯାଇଛି। ଏହି ପଞ୍ଜିକୃତ ମୋବାଇଲ ବିନା ଅନ୍ୟ କୌଣସି ମୋବାଇଲ ଫୋନ୍‌ ପ୍ରବେଶ କରାଇ ଦିଆଯିବ ନାହିଁ। ନୂଆବର୍ଷଠାରୁ ଏହି କଟକଣାକୁ କଡାକଡ଼ି କରିଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି।

ତେବେ ଶ୍ରୀମନ୍ଦିର ପରିସରରେ ବାରମ୍ବାର ଫଟୋ ଉଠାଇବା  ଘଟଣା ସାମ୍ନାକୁ ଆସିଛି। ନିକଟରେ ଏକାଧିକ ବଙ୍ଗୀୟ ଭକ୍ତଙ୍କ ସମେତ ଜଣେ ସରକାରୀ ଅଧିକାରୀ ଶ୍ରୀମନ୍ଦିର ଭିତର ଫଟୋ ଫେସ୍‌ବୁକ୍‌ରେ  ଅପ୍ଲୋଡ଼୍‌ କରିବା ଘଟଣା ପରେ ଆଉ ଦୁଇଜଣ ଅଣଓଡ଼ିଆ ପର୍ଯ୍ୟଟକଙ୍କ ସେଲ୍‌ଫି ଭାଇରାଲ୍‌ ହୋଇଛି। ନିଷିଦ୍ଧାଞ୍ଚଳରେ ଫଟୋ ଉଠାଇ ଭାଇରାଲ୍‌ କରିଥିବା ଦୁଇ ପର୍ଯ୍ୟଟକଙ୍କ ନାମ ଯୁଗଳ କିଶୋର ବୈଷ୍ଣବ ଓ ଜୟସିଂହ । ଶ୍ରୀମମନ୍ଦର ଭିତରେ ମୋବାଇଲ ନେବା କଟକଣା ଥିବା ବେଳେ ଏହାକୁ କଡ଼ାକଡ଼ି କରି ଦିଆଯାଇଛି।

କେବଳ ଏତିକି ନୁହେଁ, ମହାରାଷ୍ଟ୍ରର ଜଣେ ପର୍ଯ୍ୟଟକ ଆକାଶ ମାଡ଼େ୍‌କ ଶ୍ରୀମନ୍ଦର ଭିତରେ ସେଲଫି ନେଇ ଜାନୁଆରି ୧୧ ତାରିଖରେ ଅପଲୋଡ଼୍‌ କରିଥିଲେ। ସେହିପରି ନିକଟ ଅତୀତରେ ଏଏସ୍‌ଆଇ ପକ୍ଷରୁ ନିମନ୍ତ୍ରିତ ଜଣେ ସରକାରୀ ଅଧିକାରୀ ଫଟୋ ପୋଷ୍ଟ କରିବା ନେଇ ତନାଘନା ହୋଇଥିଲା। ସମ୍ପୃକ୍ତ ସଂସ୍ଥା ସହ ଏଏସ୍‌ଆଇ କ୍ଷମା ପ୍ରାର୍ଥନା କରିଥିଲେ କିନ୍ତୁ ଏହି ସବୁ ପର୍ଯ୍ୟଟକଙ୍କ ଫଟୋ ଅପ୍ଲୋଡ଼୍‌କୁ ନେଇ କୌଣସି ତଦନ୍ତ କରାଯାଇ ନାହିଁ କିମ୍ବା ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ବାସ୍ତବରେ ସିଂହଦ୍ୱାର ବା ଅନ୍ୟ ସମସ୍ତ ଦ୍ୱାର ଦେଇ ଭକ୍ତ ପ୍ରବେଶ କରିବା ବେଳେ ଯାଞ୍ଚ କରାଯାଏ। କିନ୍ତୁ ବଡ଼ବଡ଼ିଆଙ୍କ ବନ୍ଧୁବର୍ଗ ଆସିଲେ ଉପର ମୁଣ୍ଡରୁ ଫୋନ୍‌ ଆସେ। ସେମାନଙ୍କୁ ବିନା ଯାଞ୍ଚରେ ପ୍ରବେଶ କରିବା ପାଇଁ।

ଅନ୍ୟପଟେ ପ୍ରାୟ ୬ ବର୍ଷ ତଳେ ଶ୍ରୀମନ୍ଦିର ଯୁବ ସେବାୟତମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଦିଆଯାଉଥିଲା। ଫଟୋ ଉଠାଇବା ସହ ଆଚାର ବ୍ୟବହାରକୁ ନେଇ ସେମାନେ ସଚେତନ ହେଉଥିଲେ। ହେଲେ ଏବେ ଏହାକୁ ବନ୍ଦ କରିଦିଆଯାଇଛି। ତେବେ ଏବେ ଆଣ୍ଡ୍ରୋଏଡ଼୍‌ ହାଣ୍ଡସେଟ ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଥିବା ବେଳେ ସେବାୟତ କର୍ମଚାରୀ ଓ ଅଧିକାରୀମାନଙ୍କୁ ବିନା କ୍ୟାମେରା ଫୋନ୍‌ ଦିଆଯାଉଛି।

ସମ୍ବନ୍ଧିତ ଖବର