ଶାନ୍ତି କମିଟିରେ ନିଷ୍ପତ୍ତି: ଶ୍ରୀମନ୍ଦିର ୪ ଦ୍ୱାର ଦେଇ ଭିତରକୁ ପ୍ରବେଶ କରିପାରିବେ ସେବାୟତ ଓ ତାଙ୍କ ପରିବାର

ପୁରୀ: ଶ୍ରୀମନ୍ଦିର ୪ ଦ୍ୱାର ଦେଇ ସେବାୟତ ଓ ତାଙ୍କ ପରିବାରର ସଦସ୍ୟମାନେ ଭିତରକୁ ପ୍ରବେଶ କରିପାରିବେ। ଶାନ୍ତି କମିଟି ବୈଠକ ପରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଏହି ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି, ସେବାୟତଙ୍କ ପରିବାର ଲୋକେ ମଧ୍ୟ ନିର୍ଦ୍ୱନ୍ଦ୍ୱରେ ୪ ଦ୍ୱାର ଦେଇ ଶ୍ରୀମନ୍ଦିର ପରିସରକୁ ପ୍ରବେଶ କରିପାରିବେ। ସେହିଭଳି ପୁରୀ ବାସିନ୍ଦା ପରିଚୟପତ୍ର ଦେଖାଇ ୪ ଦ୍ୱାର ଦେଇ ଯାଇପାରିବେ। ଭୋଟର ଓ ଆଧାରକାର୍ଡ ଦେଖାଇ ସେମାନେ ଭିତରକୁ ପ୍ରବେଶ କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ବେଳେ ଆଜି ପ୍ରବଳ ହିଂସା ଦେଖାଯାଇଥିଲା। ଆନ୍ଦୋଳନକାରୀମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଆନ୍ଦୋଳନକାରୀମାନେ ବଡ଼ଦାଣ୍ଡରେ ଲଙ୍କାକାଣ୍ଡ କରିଥିଲେ। ବ୍ୟାପକ ଭଙ୍ଗାରୁଜା କରିବା ସହିତ ସେମାନେ ପୁଲିସ ଉପରକୁ ପଥରମାଡ କରିଥିଲେ। ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏପରିକି ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଲୋକମାନେ ଲୁଟ ମଧ୍ୟ କରିଥିଲେ। ଏଥିରେ କିଛି ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣରେ ଆଣିବା ପାଇଁ ପୁଲିସ ପକ୍ଷରୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା। ପରିସ୍ଥିତି ଅଣାୟତ୍ତ ହେବା ପରେ ଆହୁରି ଅଧିକ ପୁଲିସ ମୁତୟନ କରାଯାଇଥିଲା। ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ଡକାଯାଇଥିଲା।

ଜିଲ୍ଲାପାଳ ଜ୍ୟୋତିପ୍ରକଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ଏସ୍‌ପି ଆଶିଷ ସିଂହ, ବରିଷ୍ଠ ସେବାୟତ, କମିଟି ସଦସ୍ୟ ଆଦି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର