ପୁଣି ଲଂଘିଲା ସମୁଦ୍ର : ୨୯ରେ ଆସିବ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳ

ପୁରୀ : ପୂର୍ଣ୍ଣିମା ଯେତେ ପାଖଉଛି, ଅଶାନ୍ତ ସମୁଦ୍ର ଆହୁରି ଅଶାନ୍ତ ହେବାରେ ଲାଗିଛି। ଗତକାଲି ବେଳାମାର୍ଗ ରାସ୍ତାଠାରୁ ୨୦ ଫୁଟ ଦୂରରେ ଥିବା ସମୁଦ୍ର ଆଜି ଆହୁରି ୧୦ ଫୁଟ ଆଗକୁ ମାଡ଼ି ଆସିଛି। ଆହୁରି ୧୦ ଫୁଟ ବେଳାଭୂମିକୁ ସମୁଦ୍ର ଗର୍ଭକୁ ନେଇଯାଇଛି। ବେଳାମାର୍ଗ ରାସ୍ତାଠାରୁ ମାତ୍ର ଦଶ ପନ୍ଦର ଫୁଟ ଦୂରରେ ସମୁଦ୍ର ଲହଡ଼ି ଭାଙ୍ଗୁଛି। ସମୁଦ୍ରର ଏଭଳି ଅଶାନ୍ତ ରହିଲେ, କେବଳ ବେଳାମାର୍ଗ ରାସ୍ତା ନୁହେଁ, ଏହା ସ୍ୱର୍ଗଦ୍ୱାର ପାଇଁ ବି ବିପଦ ସୃଷ୍ଟି କରିବା ଆଶଙ୍କା ଉପୁଜିଛି।

ଗତକାଲି ସମୁଦ୍ର କୂଳ ଲଙ୍ଘିବା ଖବର ପ୍ରକାଶ ପାଇବା ପରେ ଆଜି ଜଳ ସଂଶାଧନ ବିଭାଗ ଉପଦେଷ୍ଟା ତଥା ସ୍ୱତନ୍ତ୍ର ସଚିବ ଶତ୍ରୁଘ୍ନ ଦାଶଙ୍କ ସହ କିଛି ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପ୍ରତିକାର ବ୍ୟବସ୍ଥା ସଂପର୍କରେ ବିଚାରବିମର୍ଶ କରିଛନ୍ତି। ସେପଟେ ଅଗଷ୍ଟ ୨୯ରେ ନୂଆଦିଲ୍ଲୀରୁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳ ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ଗତ ଦଶ ବାର ଦିନ ହେବ ପୁରୀ ବେଳାଭୂମିରେ ସମୁଦ୍ର ଅସ୍ୱାଭାବିକ ରୂପ ନେଇଛି। ପ୍ରବଳ ଜୁଆରେ ମାଡ଼ରେ ପ୍ରାୟ ୧୫ରୁ ୨୦ ଫୁଟ ଲମ୍ବ ଓ ୩୦୦ ଫୁଟରୁ ଅଧିକ ଓସାରରେ ବେଳାଭୂମି ସମୁଦ୍ର ଗର୍ଭକୁ ଚାଲିଯାଇଛି। ଗତ ୨୧ ତାରିଖରେ ଏକ ଦଳ ଏଠାକୁ ଅନୁଧ୍ୟାନ ପାଇଁ ଆସିଥିଲା। କିନ୍ତୁ ଏହା ପ୍ରାକୃତିକ ପ୍ରକ୍ରିୟା ଜାଣିବା ପରେ ଫେରି ଯାଇଥିଲା। ତେବେ ପରିସ୍ଥିତି ସମ୍ବେଦନଶୀଳ ହୋଇଥିବାରୁ ଆସନ୍ତା ୨୯ ତାରିଖରେ ନୂଆଦିଲ୍ଲୀର ଏକ ଉଚ୍ଚସ୍ତରୀୟ ଏକ୍ସପର୍ଟ ଦଳ ଏହାର ସ୍ଥିତି ଅନୁଧ୍ୟାନ ପାଇଁ ପୁରୀ ଆସୁଛନ୍ତି। ପରିସ୍ଥିତି ଅନୁଧ୍ୟାନ କରିସାରିବା ପରେ ସେମାନଙ୍କ ରିପୋର୍ଟ ଅନୁଯାୟୀ ପ୍ରତିକାର ବ୍ୟବସ୍ଥା ନିଆଯିବ।

ସମ୍ବନ୍ଧିତ ଖବର