ଦିନକ ପରେ କାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ୩୦୦୦ ହବିଷ୍ୟାଳୀଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା

ପୁରୀ: ଦିନକ ପରେ ଅର୍ଥାତ ସୋମବାର ଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଛି। ଓଡ଼ିଶାର ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଇଁ ଆଧ୍ୟାତ୍ମିକ ପରିବେଶ ଦେଖାଯାଇଥାଏ। ଶ୍ରୀକ୍ଷେତ୍ର ପୁରୀରେ କାର୍ତ୍ତିକ ବ୍ରତକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ବିଶେଷ କରି ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ। ଏଥର କାର୍ତ୍ତିକ ବ୍ରତ ଅବସରରେ ୩୦୦୦ ହବିଷ୍ୟାଳୀଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ଏସଂକ୍ରାନ୍ତରେ ଜିଲ୍ଲାପାଳ ବଳଓ୍ଵନ୍ତ ସିଂହ ଟାଉନହଲ ଠାରେ ଶନିବାର ସମୀକ୍ଷା କରିଛନ୍ତି।

ହବିଷ୍ୟାଳୀମାନଙ୍କ ମଧ୍ୟରୁ ରେଳବାଇ ପର୍ଯ୍ୟଟନ ପରିସରରେ ୯୦୦, ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ୬୦୦ ଏବଂ ନରେନ୍ଦ୍ର କୋଣସ୍ଥିତ ହବିଷ୍ୟାଳୀ କେନ୍ଦ୍ରରେ ପ୍ରାୟ ୧୫୦୦ ଶ୍ରଦ୍ଧାଳୁଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ଏପର୍ଯ୍ୟନ୍ତ ୧୭୨୭ ଜଣ ହବିଷ୍ୟାଳୀ ନାମ ପଞ୍ଜିକରଣ କରିଥିବା ବେଳେ ଅନ୍ୟ ଜିଲ୍ଲାରୁ ହବିଷ୍ୟାଳୀଙ୍କ ନାମ ଆସିବାକୁ ବାକି ଅଛି।

ରେଳବାଇ ପରିସରରେ ୯୦୦ ଓ କଲ୍ୟାଣ ମଣ୍ଡପରେ ୫୫୦ ଜଣ ହବିଷ୍ୟାଳୀଙ୍କୁ ପ୍ରାଥମିକତା ଭିତ୍ତିରେ ରହିବା ନେଇ ତାଲିକାଭୁକ୍ତ କରାଯାଇ ସଂପୃକ୍ତ ହବିଷ୍ୟାଳୀମାନଙ୍କୁ ଅବଗତ କରାଯାଇଛି। ଏଥି ପାଇଁ ୩ ଜଣ ସୁପରଭାଇଜିଂ ଅଧିକାରୀ, ୪ ଜଣ କୋଅଡିନେଟିଂ ଅଧିକାରୀ ସମେତ ୧୨ ଜଣ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏଥି ସହ ସେମାନଙ୍କୁ ସହାୟତା କରିବା ପାଇଁ ପ୍ରାୟ ୪୦ ଜଣ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।

Incredible Orissa

ହବିଷ୍ୟାଳୀମାନଙ୍କ ପୂଜାର୍ଚ୍ଚନା, ରହିବା, ମହାପ୍ରସାଦ ସେବନ, ପାନୀୟ ଜଳ, ଗରମ ପାଣି, ପୂଜାପିଣ୍ଡି, ଆକାଶ ଦୀପ, ସିସିଟିଭି, ଆଶୁ ଚିକିତ୍ସା କେନ୍ଦ୍ର, ସୁରକ୍ଷା ଆଦି ବ୍ୟବସ୍ଥା କରାଯାଇଛି। ଯିବା ଆସିବା ପାଇଁ ରେଳବାଇ ପରିସରରେ ୨ଟି ବସର ବ୍ୟବସ୍ଥା କରାଯାଇଛି। ସେହିଭଳି ସ୍ନାନ ପାଇଁ ନରେନ୍ଦ୍ର ପୋଖରୀରେ ତୁଠ ବ୍ୟବସ୍ଥା ସହ ଅଗ୍ନିଶମ ଏବଂ ସୁରକ୍ଷା କର୍ମଚାରୀମାନଙ୍କୁ ମୁତୟନ କରାଯିବ।

ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରାଇବା ପାଇଁ ସ୍ୱେଚ୍ଛାସେବୀମାନେ ସହଯୋଗ କରିବେ। ପ୍ରତି ହବିଷ୍ୟାଳୀ କେନ୍ଦ୍ରରେ ବିଭିନ୍ନ ପର୍ଯ୍ୟାୟରେ ଆଶାକର୍ମୀ, ଅଙ୍ଗନଓ୍ଵାଡି କର୍ମୀ, ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହିବେ। ମହାପ୍ରସାଦ ସେବନ ସମୟରେ ସ୍ୱୟଂ ସହାୟକ ଗୋଷ୍ଠୀ ସହଯୋଗ କରିବେ। ପ୍ରତ୍ୟେକ ହବିଷ୍ୟାଳୀମାନଙ୍କ ସମସ୍ତ ବନ୍ଦୋବସ୍ତ ସୁଚାରୁ ରୂପେ କରିବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର