ପୁରୀ ଜିଲ୍ଲା କଂଗ୍ରେସ ସମ୍ପାଦକଙ୍କ ଇସ୍ତଫା, ଦଳ ଛାଡ଼ିଲେ ପୂର୍ବତନ ସତ୍ୟବାଦୀ ବ୍ଲକ୍‌ ଅଧ୍ୟକ୍ଷ

ପୁରୀ : ପ୍ରାର୍ଥୀ ଘୋଷଣାକୁ ନେଇ ପୁରୀ ଜିଲ୍ଲା କଂଗ୍ରେସରେ ବିଦ୍ରୋହ ବଢ଼ୁଥିବା ବେଳେ ଆଜି ପୁରୀ ଓ ସତ୍ୟବାଦୀରୁ ଦୁଇ ଜଣ ନେତା ଦଳ ଛାଡ଼ିଛନ୍ତି। ପୁରୀ ବିଧାନସଭା ଆସନ ପାଇଁ ଅରୋ ପ୍ରସାଦ ମିଶ୍ରଙ୍କୁ ପ୍ରାର୍ଥୀ କରାଯିବା ପରେ ଗତକାଲି ଦଳୀୟ ନେତା ଓ କର୍ମୀ ଦଳ ଛାଡ଼ିବାକୁ ଖୋଲାଖୋଲି ଘୋଷଣା କରିଥିଲେ। ଅରୋଙ୍କ ପ୍ରାର୍ଥିତ୍ବ ବିରୋଧରେ ଆଜି ଦଳୀୟ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ସେପଟେ ଦଳୀୟ ପ୍ରାର୍ଥୀ ଚୟନକୁ ବିରୋଧ କରି ଜିଲ୍ଲା କଂଗ୍ରେସ ସମ୍ପାଦକ ଆଇନ୍‌ଜୀବୀ କୃଷ୍ଣପ୍ରସାଦ ମିଶ୍ର ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ଦଳର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ତେଣେ ସତ୍ୟବାଦୀରେ ମଧ୍ୟ କଂଗ୍ରେସକୁ ଝଟକା ଲାଗିଛି। ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରସାଦ ହରିଚନ୍ଦନଙ୍କ ଡାହାଣ ହାତ କୁହାଯାଉଥିବା ପୂର୍ବତନ ବ୍ଳକ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା ଦଳ ଭିତରେ ଥିବା ବିଶୃଙ୍ଖଳାକୁ ବିରୋଧ କରି ନିଜ ସମର୍ଥକମାନଙ୍କ ସହ ଦଳ ଛାଡ଼ିଛନ୍ତି। ପ୍ରେମାନନ୍ଦ ବିଜେପିରେ ଯୋଗ ଦେଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର