ବଦଳୁଛି ରାଜନୈତିକ ପାଣିପାଗ : ନିରାଶ ହେଲେଣି ଯୁବ ଆଶାୟୀ

ପୁରୀ : ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳଡିଆଁ ଜୋର ହେଲାଣି। ପୁରୁଖା ନେତାମାନଙ୍କୁ ନେଇ ବିଜେପି ଏକ ସୁଦୃଢ଼ ଚିତ୍ର ଦେଖାଇବା ଆରମ୍ଭ କଲାଣି। ସେଥି ପାଇଁ ବିଜେଡି ଏବେ ମୁକାବିଲା ପାଇଁ ପ୍ରସ୍ତୁତ। ହାତେ ମାପି ଇଞ୍ଚେ ଚାଲୁଛି ବିଜେଡି। ବିଶେଷ କରି ପୁରୀ ଜିଲ୍ଳାରେ ପ୍ରାର୍ଥୀ ବଦଳାଇବା ନେଇ ପୂର୍ବରୁ ଯାହା ଚର୍ଚ୍ଚା ହେଉଥିଲା ତାହ ବସ୍ତୁତଃ ବନ୍ଦ ହୋଇଗଲାଣି। ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ କେବଳ କାକଟପୁରକୁ ବାଦ୍‌ ଦେଲେ ଅନ୍ୟ ନିର୍ବାଚନ ମଣ୍ଡଳୀରେ ଏଥର ମଇଦାନକୁ ଓହ୍ଲାଇେବ ସେହି ପୁରୁଣା ମୁହଁ। ଏକଥା ଜଣାପଡ଼ିବା ପରେ ଆଶାୟୀ ଯୁବ ଗୋଷ୍ଠୀ ନିରାଶ ହୋଇଛନ୍ତି। କିଛି ଦଳ ଡେଇଁବାକୁ ଯୋଜନା କରୁଛନ୍ତି ତ ଆଉ କିଛି ଦଳରେ ରହି ଭୋଟ କାଟିବାକୁ ଯୋଜନା କରୁଛନ୍ତି। ତେବେ ସେମାନଙ୍କୁ ବୁଝାଇବାକୁ ବି ପ୍ରସ୍ତୁତ ହୋଇଛି ମାଷ୍ଟରପ୍ଲାନ। ନିର୍ବାଚନ ଘୋଷଣା ହେବା ଦିନଠୁ ପୁରୀ ଜିଲ୍ଲାର ବିଜେଡି ପ୍ରାର୍ଥୀଙ୍କୁ ନେଇ ଟଣାଓଟରା ଚାଲିଛି। କିଏ କହୁଛି ମହେଶ୍ବରଙ୍କ ଟିକେଟ କଟିଯିବ। ସୋସିଆଲ ମିଡ଼ିଆରେ ଲକ୍ଷ୍ମୀ ଖୁଣ୍ଟିଆ ବିଜେଡି ଟିକେଟ ଆଣି ସାରିଥିବା ପ୍ରଚାର ଚାଲିଛି। ଶୁଭେଚ୍ଛା ବି ଦିଆନିଆ ହେଲାଣି। ସେହିପରି ସାକ୍ଷୀଗୋପାଳରେ ଉମାଙ୍କ ଟିକେଟ୍‌ କଟିଲା ବୋଲି କୁହାଯାଉଛି। ସେଠାରେ ନିଲୁଙ୍କୁ ବିଜେଡି ଟିକେଟ ମିଳିବ ବୋଲି ଚର୍ଚ୍ଚା ହେଉଥିଲା। ପିପିଲିରେ ମହାରଥୀଙ୍କ ଟିକେଟ କାଟି ତାଙ୍କ ପତ୍ନୀ ବା ପୁଅଙ୍କୁ ଦେବାକୁ ଯୋଜନା ଚାଲିଥିବା କୁହାଗଲା। ସେହିପରି ନିମାପଡ଼ାରୁ ସମୀରଙ୍କ ଟିକେଟ୍‌ କଟିବ ବୋଲି ଚର୍ଚ୍ଚା ହେଲା। ମାତ୍ର ଏବେ ସ୍ଥିତି ବଦଳିଗଲାଣି। ବିଜେଡିର ଛୋଟ ଭୁଲ ବିଜେପିକୁ କ୍ଷମତାକୁ ନେଇଆସିବ। ତେଣୁ ବିଜେଡି ଆଉ ରିସ୍କ ନେବାକୁ ଚାହୁଁନାହିଁ। ସେଥି ପାଇଁ ଜିଲ୍ଲାର ୬ଟି ବିଧାନସଭା ଆସନରୁ ୫ଟିରେ ପୁରୁଣା ମୁହଁ ରିପିଟ୍‌ କରାଯିବାକୁ ସ୍ଥିର ହୋଇଛି। କେବଳ କାକଟପୁରକୁ ବଦଳାଇବାକୁ ଯୋଜନା ରହିଛି। ସେଠାରେ ସୁର ନାୟକଙ୍କ ସମର୍ଥକଙ୍କୁ ଟିକେଟ ମିଳିବ ବୋଲି ଚର୍ଚ୍ଚା ହେଉଛି। ଟିକେଟ ଆଶା କମୁଥିବାରୁ ଯୁବ ଗୋଷ୍ଠୀ ହତାଶ ହୋଇ ପଡ଼ିଲେଣି। ଉପରୁ ସିଗ୍‌ନାଲ ମିଳୁନଥିବାରୁ ବିଜେଡି ଟିକେଟ ଆଶାୟୀ ଥିବା ଜୟନ୍ତ ଷଡ଼ଙ୍ଗୀ ଦଳ ଛାଡ଼ି ବିଜେପିକୁ ଯିବାକୁ ଗୋଡ଼ ଟେକିଲେଣି। ସେ ସାକ୍ଷୀଗୋପାଳରୁ ବିଜେପି ଟିକେଟ୍‌ରେ ଲଢ଼ିବାକୁ ମନସ୍ଥ କରୁଛନ୍ତି। କେବଳ ସେତିକି ନୁହେଁ, ଟିକେଟ ଆଶାରେ ଥିବା କିଛି ଯୁବଗୋଷ୍ଠୀ ଏବେ ଦଳ ଭିତରେ ରହି ଭୋଟ କାଟିବାକୁ ଯୋଜନା କରୁଛନ୍ତି। ସେମାନଙ୍କୁ ମନାଇ ପାଖରେ ରଖିବାକୁ ବିଜେଡି ପ୍ରାର୍ଥୀମାନେ ପ୍ରସ୍ତୁତ ହେଉଛନ୍ତି।

ସମ୍ବନ୍ଧିତ ଖବର