ବିଦ୍ରୋହ : ପୁରୀରେ କଂଗ୍ରେସ, ସତ୍ୟବାଦୀରେ ବିଜେପି
ଅରୋଙ୍କୁ ଗ୍ରହଣ କରିପାରୁନାହାନ୍ତି, ଦଳ ଛାଡ଼ିବାକୁ ପୁରୁଖାଙ୍କ ଧମକ
ପୁରୀ : କଂଗ୍ରେସ ପୁରୀ ବିଧାନସଭା ଆସନ ପାଇଁ ତାର ପ୍ରାର୍ଥୀ ଘୋଷଣା କରିଛି। ଦଳ ପକ୍ଷରୁ ଅରୋପ୍ରସାଦ ମିଶ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ଏହାକୁ ଗ୍ରହଣ କରିପାରୁ ନାହାନ୍ତି ଦଳର ଅନେକ ପୁରୁଖା ନେତା। ଦୀର୍ଘବର୍ଷ ଧରି ଦଳରେ ଟିକେଟ୍ ପାଇଁ ସଂଘର୍ଷ କରୁଥିବା ନେତାମାନେ ଏହାକୁ ବିରୋଧ କରୁଛନ୍ତି। ଏକ ପ୍ରକାର ବିଦ୍ରୋହ ଡାକରା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦଳର ବରିଷ୍ଠ ନେତା ତଥା ବିଧାୟକ ଟିକେଟ ଆଶାୟୀ ବିନାୟକ ଦାସମହପାତ୍ର କହିଛନ୍ତି, ଦଳକୁ ଏଠାରେ ଦୁର୍ବଳ କରିବା ପାଇଁ ଏହା ଏକ ଯୋଜନା। ପୁଣି ଥରେ ବିରୋଧୀଙ୍କୁ ଏହା ସହଯୋଗ କରିବ। କଂଗ୍ରେସ ସଂଗଠନ ଲୋକଙ୍କଠୁ ଦୂରେଇଯିବ ବୋଲି ସେ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, କଂଗ୍ରେସର ସଂଗଠନ ରହିଛି। ସଂଗଠନ ସହ କିଛି ଲୋକ ଯୋଡ଼ି ହୋଇ ରହିଛନ୍ତି। ହେଲେ ଏବେ ପ୍ରାର୍ଥୀ ହୋଇଥିବା ବ୍ୟକ୍ତି ସଂଗଠନ ସହ କେବେ ଯୋଡ଼ି ହୋଇ ପାରିନାହାନ୍ତି। ୨୦୦୯ରେ ଦଳ ପକ୍ଷରୁ ଏପରି ଏକ ନିଷ୍ପତ୍ତି ହୋଇଥିଲା। ସଂଗଠନ ସହ ନଥିବା ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବା ଦ୍ବାରା ଦଳ ଅମାନତ ହରାଇଥିଲା। ସେହି ତ୍ରୁଟିକୁ ଦଳ ପରେ ୨୦୧୪ରେ ବୁଝି ପାରିଥିଲା। ପ୍ରାର୍ଥୀ ବଦଳାଇବା ଦ୍ବାରା ଦଳକୁ ୪୨ହଜାରରୁ ଅଧିକ ଭୋଟ ମିଳିଥିଲା। ହେଲେ ୨୦୧୯ରେ ପୁଣି ଥରେ ୨୦୦୯ର ଭୁଲକୁ ଦୋହରାଯାଇଛି ବୋଲି ସେ କହିଥିଲେ।
ଦଳର ଯୁବନେତା ସୁଜିତ ମହାପାତ୍ର କହିଛନ୍ତି, ଦଳ କାହାକୁ ପ୍ରାର୍ଥୀ କରିବ ତାହା ଦଳୀୟ ନେତୃତ୍ବଙ୍କ କ୍ଷମତା। ମାତ୍ର ସାଂଗଠନିକ ସ୍ଥିତିକୁ ଦେଖି ନିଷ୍ପତ୍ତି ହେବା କଥା। ସଂଗଠନ ସହ ଯୋଡ଼ି ହୋଇ ରହିଥିବା ନେତାଙ୍କୁ ସୁଯୋଗ ନଦେଇ ପ୍ରାର୍ଥୀ ଚୟନ କରାଯିବା ଦ୍ବାରା ଦଳ କ୍ଷତିଗ୍ରସ୍ତ ହେବ।
ବ୍ୟକ୍ତିଗତ ଇଚ୍ଛା ଦଳ ଉପରେ ଲଦି ଦିଆଯିବା ସମୟ ଆଉ ନାହିଁ। ତେଣୁ ଏପରି ନିଷ୍ପତ୍ତିର ପୁନର୍ବିଚାର କରାଯିବା ଆବଶ୍ୟକ। ଦଳୀୟ ପ୍ରାର୍ଥୀ ଘୋଷଣା ପରେ ଆଜି ପୁରୀ କଂଗ୍ରେସ ଭବନରେ ବିଦ୍ରୋହୀମାନେ ଏକଜୁଟ୍ ହୋଇଥିଲେ। ଶତାଧିକ କର୍ମୀ ଦଳୀୟ ପ୍ରାର୍ଥିତ୍ବକୁ ବିରୋଧ କରିଥିଲେ। ଦଳ ଏହି ନିଷ୍ପତ୍ତିର ପୁନର୍ବିଚାର ନ କଲେ, ଶହଶହ କର୍ମୀ ଇସ୍ତଫା ଦେବେ ବୋଲି ମଧ୍ୟ ଧମକ ଦେଇଥିଲେ। ଏହି ନିଷ୍ପତ୍ତି ଦଳର ସଭାପତିଙ୍କ ନିକଟକୁ ମଧ୍ୟ ପଠାଇ ଦେଇଥିଲେ।
ଅନ୍ୟପକ୍ଷରେ ଦଳ ପ୍ରାର୍ଥୀ କରିଥିବା ଅରୋ ଏଥର କଂଗ୍ରେସ ପୁରୀରେ ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବିଜେପିର ଅସନ୍ତୁଷ୍ଟ ଏବଂ ବିଜେଡି ବିରୋଧୀ ଭୋଟକୁ ନେଇ କଂଗ୍ରେସ ଭଲ କରିବ।