ପୁରୀ ଜିଲ୍ଲା ପାଇଁ ବଦଳିଲା ସଙ୍ଗରୋଧ ନିୟମ: ପ୍ରବାସୀଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ, ୭ ଦିନ ଆନୁଷ୍ଠାନିକ ସଙ୍ଗରୋଧ

ଅଫିସ କର୍ମଚାରୀ, ବ୍ୟବସାୟୀଙ୍କୁ  ୭୨ ଘଣ୍ଟାର କଣ୍ଟ

ପୁରୀ: ପୁରୀ ଜିଲ୍ଲା ପାଇଁ ସଙ୍ଗରୋଧ ନିୟମ ବଦଳିଛି। ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଏ ନେଇ ଆଜି ସୂଚନା ଦେଇଛନ୍ତି। ୨୦୦୫ ବିପର୍ଯ୍ୟୟ ପରିଚାଳନା ଆଇନ, ସଂକ୍ରାମକ ରୋଗ ଆଇନ ୧୮୯୭, ଓଡ଼ିଶା କୋଭିଡ-୧୯ ରେଗୁଲେସନ ଆଇନ ବଳରେ ପୁରୀ ଜିଲ୍ଲାପାଳ ତାଙ୍କ କ୍ଷମତା ବଳରେ ଏହି ସଙ୍ଗ‌ରୋଧ ନିୟମ ବଦଳାଇଛନ୍ତି। ତେବେ ଜିଲ୍ଲାପାଳଙ୍କ ଏହି ନିୟମକୁ ସମସ୍ତେ ମାନିବାକୁ ବାଧ୍ୟ।

ଜିଲ୍ଲାପାଳଙ୍କ ନୂତନ ସଙ୍ଗରୋଧ ନିୟମ ମୁତାବକ, ଏଣିକି ପ୍ରବାସୀ ଓଡ଼ିଆଙ୍କ ପାଇଁ ବାଧ୍ୟତାମୂକ କ୍ବାରେଣ୍ଟାଇନ ବା ସଙ୍ଗରୋଧ ନିୟମ ଲାଗୁ ହେବ। ବାହାର ରାଜ୍ୟରୁ ଗ୍ରାମାଞ୍ଚଳକୁ ଫେରୁଥିବା ପ୍ରବାସୀ ଓଡ଼ିଆ ୭ ଦିନ ପାଇଁ ଇନଷ୍ଟିଚ୍ୟୁସନାଲ( ଆନୁ‌ଷ୍ଠାନିକ ସଙ୍ଗରୋଧ) ରହିବା ନିଶ୍ଚିତ କରାଯାଇଛି। ସାତ ଦିନ ରହିବା ପରେ ଲକ୍ଷଣ ନ ଥିଲେ ଆଉ ୧୪ ଦିନ ପାଇଁ ଗୃହ ସଂଙ୍ଗରୋଧ‌ରେ ରହିବେ। ତେବେ ପ୍ରବାସୀ  ଗ୍ରାମାଞ୍ଚଳର ହୋଇଥିଲେ, ଘରେ ସୁବିଧା ନ ଥିଲେ ସେ ଚାହିଁଲେ ବ୍ଲକ ଉନ୍ନୟନ ଅଧିକାରୀ ବା ବିଡିଓଙ୍କ ଅନୁମତିରେ ଆନୁଷ୍ଠାନିକ ସଙ୍ଗ‌ରୋଧରେ ମଧ୍ୟ ରହିପାରିବେ। ସେହିଭଳି ସହରାଞ୍ଚଳରେ ଘରେ ସୁବିଧା ଥିଲେ ପ୍ରବାସୀଙ୍କୁ ସମୁଦାୟ ୨୧ ଦିନ ଗୃହ ସଙ୍ଗ‌ରୋଧରେ ରହିବାକୁ ଅନୁମତି ମିଳିବ। ଘରେ ସୁବିଧା ନଥିଲେ ନିଜ ଖର୍ଚ୍ଚରେ ସହରାଞ୍ଚଳକୁ ଫେରୁଥିବା ପ୍ରବାସୀ ୧୪ ଦିନ ଆନୁଷ୍ଠାନିକ ସଙ୍ଗରୋଧରେ ରହିବେ, ଅବଶିଷ୍ଟ ୭ ଦିନ ଗୃହ ସଙ୍ଗରୋଧରେ ରହିବେ। ଏହାକୁ ବାଧ୍ୟତାମୂଳକ କରାଯାଇଛି।

ଏହି ନିୟମକୁ କେହି ଉଲଂଘନ କଲେ ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳର ଅଧିକାରୀମାନେ ରିପୋର୍ଟ କରିବେ। ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ  ସମସ୍ତ‌ ଫେରାନ୍ତାଙ୍କ ପାଇଁ ଆରୋଗ୍ୟ ସେତୁ ଆପରେ ନିଜ ନାମ ପଞ୍ଜିକୃତ ବାଧ୍ୟତାମୂଳକ ରହିବ। ଗ୍ରାମାଞ୍ଚଳରେ ଗୃହ ସଙ୍ଗରୋଧରେ ଥିବା ପ୍ରବାସୀଙ୍କୁ ଆଶାକର୍ମୀ ଦିନକୁ ଅତି କ‌ମରେ ଦୁଇଥର ଭେଟିବେ। ସେହିଭଳି ଏଏନଏମ ସପ୍ତାହକୁ ଅତିକମରେ ଦୁଇଥର ଗୃହ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବେ। ଗ୍ରାମ ପଞ୍ଚାୟତ ନୋଡାଲ ଅଫିସର ମଧ୍ୟ ପ୍ରତିଦିନ ନିଜ ଅଞ୍ଚଳରେ ସଙ୍ଗରୋଧରେ ଥିବା ଲୋକଙ୍କ ସମୁଦାୟ ସଂଖ୍ୟାରୁ ୧୦ ପ୍ରତିଶତଙ୍କୁ ଦେଖା କରିବେ।  ଯଦି କାହାର ଲକ୍ଷଣ ଥିବା ଜଣାପଡିବ, ତୁରନ୍ତ ଆଶା କର୍ମୀ ଏ ସୂଚନା ପଞ୍ଚାୟତ ନୋଡାଲ ଅଫିସର ଓ ବିଡିଓଙ୍କୁ ଜଣାଇବେ। ସେହିଭଳି ସହରାଞ୍ଚଳରେ ଆଶା କର୍ମୀଙ୍କ ବଦଳ‌ରେ ଏ କାମ ସ୍ବଚ୍ଛ ସାଥୀମାନେ ତୁଲାଇବେ। ସେହିଭଳି ୱାର୍ଡ ନୋଡାଲ ଅଫିସରମାନେ ଦାୟିତ୍ବ ତୁଲାଇବେ।

ସେହିଭଳି ପ୍ରବାସୀଙ୍କୁ ଛାଡିଦେଲେ ଯେଉଁ ଅଫିସ କର୍ମଚାରୀ, ବ୍ୟବସାୟୀ କିମ୍ବା ଅନ୍ୟ ବା‌ହାରକୁ ଯାତ୍ରା କରିବାକୁ ଚାହୁଁଥିଲେ ସେମାନଙ୍କ ପାଇଁ ୭୨ ଘଣ୍ଟାର କଣ୍ଟ ରଖାଯାଇଛି। ଜଣେ ବ୍ୟକ୍ତି ପୁରୀରୁ ବାହାରକୁ ଯାଉଥିଲେ ୭୨ ଘଣ୍ଟା ପୂର୍ବରୁ‌ ଫେରିବା ନିଶ୍ଚିତ କରିବେ। ସେହିଭଳି ଯଦି କେହି ପୁରୀ ଆସୁଥିବେ ତେବେ ସେମାନଙ୍କୁ  ୭୨ ଘଣ୍ଟା ପୂର୍ବରୁ ପୁରୀ ଛାଡିବାକୁ ପଡିବ ବୋଲି ନିର୍ଦ୍ଦେଶ ରହିଛି।

ସମ୍ବନ୍ଧିତ ଖବର