ପୁରୀଘାଟ ଥାନାରେ ଭଙ୍ଗାରୁଜା

୫୦ କଂଗ୍ରେସ କର୍ମୀଙ୍କ ବିରୋଧରେ ଏତଲା, ଗିରଫ ଓ ଦୁର୍ବ୍ୟବହାର ଅଭିଯୋଗରେ ଧାରଣା, ରାସ୍ତାରୋକ

କଟକ: ଜଣେ କଂଗ୍ରେସ କର୍ମୀଙ୍କୁ ପୁଲିସର ଗିରଫଦାରୀ ଏବଂ ଦୁର୍ବ୍ୟବହାର ଅଭିଯୋଗରେ ଆଜି ପୁରୀଘାଟ ଥାନାରେ ଲଙ୍କାକାଣ୍ଡ ଘଟିଛି। କଂଗ୍ରେସ କର୍ମୀମାନେ ଥାନାରେ ପଶି ଭଙ୍ଗାରୁଜା କରିବା ସହିତ ଥାନା ସାମ୍‌ନାରେ ଦୁଇ ଘଣ୍ଟାକାଳ ରାସ୍ତାରୋକ କରିଛନ୍ତି। ପରେ ଉଭୟ ପକ୍ଷର ଆପୋସ ଆଲୋଚନା ପରେ ରାସ୍ତାରୋକ ଉଠିଥିଲା। କିନ୍ତୁ ପୁଲିସ ଆଜି ରାତିରେ ରାସ୍ତାରୋକ ଏବଂ ଥାନାରେ ଗଣ୍ଡଗୋଳ ଅଭିଯୋଗରେ ୫୦ ଜଣ କଂଗ୍ରେସ କର୍ମୀଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ଦୁଇ ନମ୍ବର ବ୍ଲକ୍‌ କଂଗ୍ରେସ ସଭାପତି ପୁରୀଘାଟ ଥାନା ବାଖରାବାଦ୍‌ ଅଞ୍ଚଳର ବିଜୟ କୁମାର ବାରିକଙ୍କ ବିରୋଧରେ ୨୦୧୭ ମସିହାରୁ ଏକ କୋର୍ଟ ଓ୍ଵାରେଣ୍ଟ ଥିଲା। ପୁରୀଘାଟ ଥାନା ପୁଲିସ ଆଜି ବିଜୟଙ୍କୁ ସକାଳ ପ୍ରାୟ ୯ଟା ୪୫ରେ ଗିରଫ କରିଥିଲା। କିନ୍ତୁ ତାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ କଟକ ନଗର କଂଗ୍ରେସ କମିଟି ସଭାପତି ଇଂଜିନିୟର ମହମ୍ମଦ ମୋକିମ୍‌ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଥାନାକୁ ଯାଇଥିଲେ। ସେମାନେ ଇନ୍‌ସ୍ପେକ୍ଟରଙ୍କ କାର୍ଯ୍ୟାଳୟରେ ଧସେଇ ପଶିଥିଲେ। ତାଙ୍କୁ ଘେରିବା ସହିତ ପୁଲିସର ଏଭଳି କାର୍ଯ୍ୟକୁ ତୀବ୍ର ବିରୋଧ କରିଥିଲେ। ଥାନାର ଟେବୁଲ କାଚ, ଡୋର୍‌ କାଚ ଓ ନୋଟିସ୍‌ ବୋର୍ଡ ଭଙ୍ଗାରୁଜା କରିଥିଲେ। ସକାଳ ୧୧ଟାରୁ ଦିନ ପ୍ରାୟ ୧ଟା ପର୍ଯ୍ୟନ୍ତ ଥାନା ସାମ୍‌ନାରେ ରାସ୍ତାରୋକ କରିଥିଲେ। ଘଟଣା ସ୍ଥଳରେ ଏସିପି ପ୍ରମୋଦ ରଥ ପହଞ୍ଚି ଉତ୍ତ୍ୟକ୍ତ କଂଗ୍ରେସ କର୍ମୀଙ୍କୁ ବୁଝାସୁଝା କରିଥିଲେ। ଆପୋସ ଆଲୋଚନା ପରେ ସ୍ଥିତି ଆୟତ ହୋଇଥିଲା। ଥାନାରୁ ମଧ୍ୟ ବିଜୟଙ୍କୁ ବେଲ୍‌ ମିଳିଯାଇଥିଲା। ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁଙ୍କ କହିବା ଅନୁଯାୟୀ, ବିଜୟଙ୍କ ବିରୋଧରେ ଓ୍ଵାରେଣ୍ଟ ଥିବାରୁ ତାଙ୍କୁ ଥାନାକୁ ଅଣାଯାଇ ବେଲ୍‌ ଦିଆଯାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି କଂଗ୍ରେସ କର୍ମୀ ତାଙ୍କ କାର୍ଯ୍ୟାଳୟରେ ପଶି ଦୁର୍ବ୍ୟବହାର ଓ ଜିନିଷପତ୍ର ଭଙ୍ଗାରୁଜା କରିଛନ୍ତି। ଏ ନେଇ କଂଗ୍ରେସ୍‌ର ୫୦ କର୍ମୀଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି। ଅନ୍ୟପଟେ ନଗର କଂଗ୍ରେସ ସଭାପତି ଶ୍ରୀ ମୋକିମ୍‌ କହିିଛନ୍ତି ଯେ ପୁରୀଘାଟ ଥାନା ପୁଲିସ ଜଣେ ବରିଷ୍ଠ ନାଗରିକଙ୍କୁ ଥାନାରେ ଦୁର୍ବ୍ୟବହାର କରିବା ସହ ୩ ଘଣ୍ଟା କାଳ ବସାଇ ରଖିଥିଲା। ଏହି ଘଟଣାର ପ୍ରତିବାଦରେ ରାସ୍ତାରୋକ କରାଯାଇଥିଲା। ପୂର୍ବରୁ କର୍ପୋରେଟର୍‌ ବୈଶାଳୀ ବେହେରାଙ୍କୁ ମଧ୍ୟ ପୁଲିସ ଦୁର୍ବ୍ୟବହାର କରିଥିଲା। ଘଟଣା ସମ୍ପର୍କରେ ପୁଲିସ କମିସନରଙ୍କୁ ଅବଗତ କରାଯିବ।

ସମ୍ବନ୍ଧିତ ଖବର