ବାତ୍ୟା ‘ଫନି’ର ୪ ମାସ ପରେ ବି ଅଣ୍ଟା ସଳଖି ପାରୁନି ପୁରୀ ହୋଟେଲ ଶିଳ୍ପ, ଏବେ ବି ଅସଜଡ଼ା ସ୍ଥିତିରେ ଅନେକ ହୋଟେଲ

ପୁରୀ : ବାତ୍ୟା ‘ଫନି’ର ୪ ମାସ ପରେ ବି ପୁରୀରେ ହୋଟେଲ ଶିଳ୍ପ ମୁଣ୍ଡ ଟେକି ପାରିନି। ବ୍ୟବସାୟ ତ ଦୂର କଥା, ଅଧିକାଂଶ ହୋଟେଲ ପୂର୍ବ ସ୍ଥିତିକୁ ଫେରି ପାରିନାହାନ୍ତି। ‘ଫନି’ ଓ ମାନ୍ଦାବସ୍ଥାର ପ୍ରଭାବ ପୁରୀର ହୋଟେଲ ଶିଳ୍ପ ଉପରେ ପଡ଼ିଛି। ଫଳସ୍ବରୂପ ଗତବର୍ଷ ତୁଳନାରେ ଆଜି ସୁଦ୍ଧା ପୁରୀକୁ ୩୦ରୁ ୪୦ ପ୍ରତିଶତ ପର୍ଯ୍ୟଟକ କମିଥିବା ଜଣାପଡିଛି। ୨୦୧୫ରେ ପୁରୀରେ ୪୧ ଲକ୍ଷ ୧୭ ହଜାର ୬୫୯ ପର୍ଯ୍ୟଟକ (ହୋଟେଲ ଅକ୍ୟୁପାନ୍‌ସି) ରହିଥିଲେ। ସେହି ବର୍ଷ ୨୫ ହଜାର ୭୩୫ ବିଦେଶୀ ପର୍ଯ୍ୟଟକ ପୁରୀର ବିଭିନ୍ନ ହୋଟେଲରେ ରହିଥିଲେ। ୨୦୧୬ରେ ୪୨ ଲକ୍ଷ ୭୯ ହଜାର ୬୩୩ ପର୍ଯ୍ୟଟକ ହୋଟେଲ ବ୍ୟବହାର କରିଥିବା ବେଳେ ୨୯ ହଜାର ୨୦୯ ବିଦେଶୀ ପର୍ଯ୍ୟଟକ ରହିଥିଲେ। ୨୦୧୭ରେ ୪୬ ଲକ୍ଷ ୮୪ ହଜାର ୧୫୦ ପର୍ଯ୍ୟଟକ ପୁରୀ ଆସିଥିଲା ବେଳେ ବିଦେଶୀ ପର୍ଯ୍ୟଟକ ଆସିଥିଲେ ୩୮ ହଜାର ୯ ଜଣ। ୨୦୧୮ରେ ଏହି ସଂଖ୍ୟା ଆନୁମାନିକ ଭାବେ ୪୭ ଲକ୍ଷ ୨୨ ହଜାର ହେବ ବୋଲି ଆକଳନ କରାଯାଇଛି। ତେବେ ୨୦୧୯ର ପରିସଂଖ୍ୟାନ ହିସାବ ହୋଇନଥିଲେ ମଧ୍ୟ ‘ଫନି’ ଓ ମାନ୍ଦାବସ୍ଥା ଯୋଗୁଁ ପୁରୀକୁ ୩୦ରୁ ୪୦ ପ୍ରତିଶତ ପର୍ଯ୍ୟଟକ କମିଥିବା ହୋଟେଲ ମାଲିକମାନେ ସ୍ବୀକାର କରିଛନ୍ତି। ପର୍ଯ୍ୟଟକ ସଂଖ୍ୟା ହ୍ରାସ ପାଇବା ପଛରେ ଏହି ଦୁଇଟି ପ୍ରମୁଖ କାରଣକୁ ଦାୟୀ କରିଛନ୍ତି ହୋଟେଲ ଶିଳ୍ପ ସହ ଜଡ଼ିତ ବ୍ୟବସାୟୀ।

ହୋଟେଲ ମାଲିକଙ୍କ ସୂଚନା ମୁତାବକ, ମେ ୩ ତାରିଖରେ ବାତ୍ୟା ‘ଫନି’ ତାଣ୍ଡବଲୀଳା ରଚିବା ପରେ ପୁରୀର ୮୦ ପ୍ରତିଶତ ହୋଟେଲ ପାଖପାଖି ମାସେ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ବିଦ୍ୟୁତ୍ ସଂ‌ଯୋଗ ମିଳିବା ପରେ ମେ, ଜୁନ ଓ ଜୁଲାଇ ମାସରେ ବ୍ୟବସାୟ ଶୂନ ରହିଥିଲା। ଅଗଷ୍ଟ ଓ ସେ‌େପ୍ଟମ୍ବର ମାସ‌ରେ ମଧ୍ୟ ସମାନ ଅବସ୍ଥା ଉପୁଜିଛି। ଗତବର୍ଷ ଯେଉଁ ଭଳି ପର୍ଯ୍ୟଟକ ଆସୁଥିଲେ ଏ ବର୍ଷ ବିଭିନ୍ନ କାରଣରୁ ଏହା ହ୍ରାସ ପାଇଥିବ‌ା ପୁରୀ ‌ହୋଟେଲ ମାଲିକ ସଂଘର ସଂପାଦକ ରାଜକିଶୋର ପାତ୍ର କହିଛନ୍ତି। ଏହା ‘ଫନି’ କିମ୍ବା ମାନ୍ଦାବସ୍ଥା ଯୋଗୁଁ ହୋଇ ଥାଇପାରେ ବୋଲି କହିଛନ୍ତି। ତେବେ ଅକ୍ଟୋବର ମାସ ବେଳକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଥିବା ସେ କହିଛନ୍ତି।

‘ଫନି’କୁ ନେଇ ବଙ୍ଗୀୟ ପର୍ଯ୍ୟଟକଙ୍କ ମନରେ ଯେଉଁ ଧାରଣା ରହିଥିଲା ସରକାର ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର କରି ଏହାକୁ କିଛି ମାତ୍ରାରେ ଦୂର କରିଛନ୍ତି। ଅନ୍ୟପକ୍ଷରେ ହୋଟେଲ ଶିଳ୍ପର ନୈରାଶ୍ୟଜନକ ଚିତ୍ର ପାଇଁ କିଛି ହୋଟେଲ ମାଲିକ ସରକାରଙ୍କୁ ଦାୟୀ କରିବାକୁ ପଛାଇନାହାନ୍ତି। ପୁରୀ ପର୍ଯ୍ୟଟନର ପ୍ରମୁଖ ଅଂଶ ଭାବେ ହୋଟେଲ ଶିଳ୍ପକୁ ବିବେଚନା କରାଯାଏ। କିନ୍ତୁ ପୁରୀ ହୋଟେଲ ଶିଳ୍ପର ବିକାଶ ପାଇଁ ସରକାର କିଛି ଚିନ୍ତା କରିନାହାନ୍ତି ବୋଲି ଅଭିଯୋଗ ଉଠିଛି। କୋଟି କୋଟି ଟଙ୍କାର କ୍ଷତି ସହିଥିବା ହୋଟେଲ ମାଲିକ ଏବେ ହୋଟେଲ ଚଳାଇବା ଓ କର୍ମଚାରୀଙ୍କୁ ଦରମା ଦେବା ସ୍ଥିତିରେ ନାହାନ୍ତି। ବୀମା କରିଥିବା କେତେକ ହୋଟେଲ ମାଲିକ ‘ଫନି’ ଆର୍ଥିକ କ୍ଷତିରୁ କିଛିଟା ଲାଘବ ପାଇଥିଲେ। ଯେଉଁମାନେ ବୀମା କରିନଥିଲେ ‌ସେମାନେ ଏବେ ଘୋର ଦୁର୍ଦ୍ଦଶା‌ରେ। ଫନି ପ‌ରେ ହୋଟେଲ ମାଲିକ ସଂଘ ପକ୍ଷରୁ ଏକ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବାକୁ ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ମାତ୍ର ସରକାର ତାହାକୁ ବି ବିଚାରକୁ ନେଇନାହାନ୍ତି। କେବଳ ସେତିକି ନୁହେଁ ସହଜ ଋଣ (ସଫଟ୍‌ ଲୋନ୍‌) ବ୍ୟବସ୍ଥାରେ ମଧ୍ୟ କୌଣସି ସହଯୋଗ ମିଳିଲା ନାହିଁ। ବ୍ୟାଙ୍କ ସୁଧହାର କମାଇବାକୁ ଯେଉଁ ଯୋଜନା କରାଯାଇଥିଲା ତାହା ବି ଫଳପ୍ରଦ ହେଲାନି।

ଏ ସଂପର୍କରେ ପୁରୀ ହୋଟେଲ ଆସୋସିଏସନ୍‌ ସଭାପତି ରାମକୃଷ୍ଣ ଦାସ ମହାପାତ୍ରଙ୍କ କହିବା କଥା ହେଲା, ପୁରୀର ହୋଟେଲ ଶିଳ୍ପ ଏବେ ଭୟଙ୍କର ସଙ୍କଟ ଦେଇ ଗତି କରୁଛି। ପୁରୀର ‌ହୋଟେଲ ଶିଳ୍ପ ଭୁଶୁଡିଲେ ରାଜ୍ୟ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହେବ। ଗତବର୍ଷ ତୁଳନାରେ ପୁରୀରେ ୪୦ ପ୍ରତିଶତ ପର୍ଯ୍ୟଟକ କମିଛନ୍ତି। ଯାହା ଚିନ୍ତାଜନକ। ପୁରୀ ହୋଟେଲ ସଂଘ ସହିତ ପ୍ରାୟ ୪୨୦ ହୋଟେଲ ସଭ୍ୟ ରହିଛନ୍ତି। ଏହା ବାଦ୍ ମଧ୍ୟ ପୁରୀରେ ବହୁ ହୋଟେଲ ରହିଛି। ‘ଫନି’ ଓ ମାନ୍ଦାବସ୍ଥାକୁ ନେଇ ହୋଟେଲ ଶିଳ୍ପ ଋଗଣ ହେବାରେ ଲାଗିଛି। ପୁରୀର ବିକାଶ ହେଉ, କିନ୍ତୁ ହୋଟେଲ ଶିଳ୍ପର ପୁନରୁଦ୍ଧାର ପାଇଁ ମଧ୍ୟ ସରକାର ଚିନ୍ତା କରନ୍ତୁ ବୋଲି ଶ୍ରୀ ଦାସ ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର