ଜବରଦଖଲରେ ଶ୍ରୀଜଗନ୍ନାଥଙ୍କ ୨୭ ହଜାର ଏକର ଜମି

ଫେରିଛି ୩୩ ହଜାର, ଉଚ୍ଛେଦ ପାଇଁ ରୁଜୁ ହୋଇଛି ୩୮୭ ମାମଲା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଚଳାଚଳ ସମ୍ପତ୍ତି ରହିଛି। କିନ୍ତୁ ସମୁଦାୟ ସମ୍ପତ୍ତିର ପାଖପାଖି ଅଧା ଜବରଦଖଲକାରୀଙ୍କ କବଜାରେ ରହିଛି। ଫଳରେ ମହାପ୍ରଭୁଙ୍କ ଷାଠିଏ ପଉଟି ମହାପ୍ରସାଦ ପାଇଁ ଚାଉଳ କିଣିବାକୁ ପଡ଼ୁଛି। ଅତୀତରେ ଜମିରୁ ଯାହା ମିଳୁଥିଲା ତାହା ଆଉ ମିଳୁନାହିଁ। ତେବେ ଏ ନେଇ ରାଜ୍ୟ ସରକାର କଠୋର ହେବାକୁ ଯାଉଛନ୍ତି। ମହାପ୍ରଭୁଙ୍କ ସମସ୍ତ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ନାମରେ ରେକର୍ଡଭୂକ୍ତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଆରଆଇ ସର୍କଲ ଓ ତହସିଲ ସ୍ତରରେ ଜମି ଚିହ୍ନଟ କରାଯାଇ ସବୁ ଜମିକୁ ଫେରାଇ ଅଣାଯିବ ବୋଲି ଜଣାପଡିଛି। ବିଗତ ବର୍ଷ ମାନଙ୍କରେ ୬ଟି ଜିଲ୍ଲାର ପ୍ରାୟ ୯୬ ଏକର ଜମିକୁ ଜବରଦଖଲ ମୁକ୍ତ କରିବାକୁ ଅଭିଯାନ ଆରମ୍ଭ ହୋଇଛି। ୬ଟି ଜିଲ୍ଲାରେ ଜବରଦଖଲକାରୀଙ୍କ ନାମରେ ପ୍ରାୟ ୩୮୭ଟି ମାମଲା ରୁଜୁ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ମହାପ୍ରଭୁଙ୍କ ନାମରେ ରହିଥିବା ଜମିରୁ କୋଟି କୋଟି ଟଙ୍କାର ରାଜସ୍ୱ ହରିଲୁଟ୍‌ କରାଯାଉଥିବା ଜଣାପଡ଼ିଛି।

ସୂଚନା ମୁତାବକ ଏବେ ରାଜ୍ୟର ୨୩ ଜିଲ୍ଲାରେ ମହାପ୍ରଭୁଙ୍କର ୬୦ ହଜାର ୬୧୮ଏକର ୫୫୩ ଡିସିମିଲ୍‌ ଜମି ରହିିଛି। ମହାପ୍ରଭୁଙ୍କ ଏହି ସମୁଦାୟ ଭୂସମ୍ପତ୍ତିରୁ ୩୩ ହଜାର ୮୪୩ ଏକର ୬୪୩ ଡେସିମିଲ ଜମିକୁ ବିଗତ ଦିନରେ ସରକାର ଫେରି ପାଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ସ୍ୱତ୍ତ୍ଵଲିପି ଆଇନ ମୁତାବକ, ଶ୍ରୀଜଗନ୍ନାଥ ମହାପ୍ରଭୁ, ବିଜେ ପୁରୀ, ମାର୍ଫତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କ ନାମରେ ଏ ସମସ୍ତ ଜମି ରେକର୍ଡଭୂକ୍ତ ହୋଇଛି। ଅବଶିଷ୍ଟ ୨୭ ହଜାର ଏକର ଜମି ଏବେ ବି ଜବରଦଖଲକାରୀଙ୍କ କବଜାରେ ରହିଛି। ମହାପ୍ରଭୁଙ୍କ ଜମିକୁ ଦଖଲ କରିଥିବା ଲୋକଙ୍କ ବିରୋଧରେ ମକୋଦ୍ଦମା କରାଯାଇ ଏହାକୁ ଫେରାଇ ଅଣାଯିବ। ଅନ୍ୟପକ୍ଷରେ ଯେଉଁମାନେ ମହାପ୍ରଭୁଙ୍କ ଜମିକୁ ଭାଗ ଦଖଲରେ ରଖିଛନ୍ତି ସେ ସବୁ ଜମିକୁ ଜବରଦଖଲ ବୋଲି ଧରାଯିବ ନାହିଁ। ସେମାନଙ୍କଠାରୁ ଭାଗ ପାଉଣା ଆଦାୟ କରାଯିବ।

ଜମି ଫେରାଇବାକୁ ନିଆଯିବ କଡ଼ା ପଦକ୍ଷେପ: ମନ୍ତ୍ରୀ
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଫେରାଇ ଆଣିବାକୁ ଏଣିକି ସରକାର କଡ଼ା ପଦକ୍ଷେପ ଗ୍ରହଣ କରିବେ। ଯେଉଁ ଜମି ମନ୍ଦିର ପ୍ରଶାସନ ଅକ୍ତିଆରରେ ନାହିଁ ତୁରନ୍ତ ସେ ସବୁ କିଭଳି ମନ୍ଦିର ପ୍ରଶାସନ ଅଧୀନକୁ ଆସିବ ସେ ଦିଗରେ ସରକାର ଯତ୍ନବାନ ହେବେ ବୋଲି ଆଜି ଶ୍ର୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ଶହ ଶହ ଏକର ଜମି ରହିଛି। ତାହା ମହାପ୍ରଭୁଙ୍କ କାମରେ ଲାଗୁ ନାହିଁ। ଏ ସବୁକୁ ଫେରାଇ ଆଣିବା ସରକାରଙ୍କ ଦାୟିତ୍ଵ। ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା ମହାପ୍ରଭୁଙ୍କ ଭଣ୍ଡାର କିଭଳି ପୂରିବ ସେ ନେଇ ମଧ୍ୟ ଚିନ୍ତା ପ୍ରକାଟ କରିଛନ୍ତି। ମହାପ୍ରଭୁଙ୍କ ପାଇଁ ଯଦି କେହି ବ୍ୟକ୍ତି ଅଳଙ୍କାର, ଉପକରଣ ଦାନ କରିବାକୁ ଚାହାନ୍ତି ତେବେ ସେମାନେ ଶ୍ରୀମନ୍ଦିର ପ୍ରଶାସନ ଜରିଆରେ ଏ ଦାନ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ନିବେଦନ କରିଥିଲେ

ସମ୍ବନ୍ଧିତ ଖବର