ଡ୍ରୋନ୍‌ କଲା ଯାଞ୍ଚ : କଳସର ୪ଟି ସ୍ଥାନରେ ଫାଟ, ଗର୍ଭଗୃହକୁ ପାଣି ପଶିବା ରାସ୍ତା ମିଳୁନି

ପୁରୀ : ବାତ୍ୟା ‘ଫନି’ ପ୍ରଭାବରେ ଶ୍ରୀମନ୍ଦିର ନୀଳଚକ୍ର ବଙ୍କା ହୋଇନାହିଁ। ଏହା ସୁରକ୍ଷିତ ରହିଛି। ତଥାପି ଏହାର ଏଲାଇନ୍‌ମେଣ୍ଟ ଯାଞ୍ଚ କରାଯିବ। ଆଜି ଆକାଶମାର୍ଗରୁ ଡ୍ରୋନ୍‌ କ୍ୟାମେରା ଦ୍ବାରା ନୀଳଚକ୍ର ଓ ବଡ଼ଦେଉଳର ଯାଞ୍ଚ ପରେ ଏହି ସୂଚନା ମିଳିଛି। ଡ୍ରୋନ୍‌ ଯାଞ୍ଚ ବେଳେ କଳସର ୪ଟି ସ୍ଥାନରେ ଫାଟ ଥିବା ଜଣାପଡ଼ିଛି। ତେବେ ଗର୍ଭଗୃହକୁ ପାଣି କିପରି ପଶିଲା ତାର ଟେର୍‌ କିଛି ପାଇନି ଏଏସ୍‌ଆଇ।

୩ ତାରିଖରେ ‘ଫନି’ ଶ୍ରୀମନ୍ଦିରକୁ ଶ୍ରୀହୀନ କରିଦେଲା। ଗର୍ଭଗୃହରୁ ପାଣି ଗଳିଲା, ନୀଳଚକ୍ର କଳସ ଫାଟିଗଲା, ନୀଳଚକ୍ର ବଙ୍କା ହୋଇଥିବା କୁହାଗଲା। ଲୁହାଭାରା ପଡ଼ି ସିଂହମୂର୍ତ୍ତି ଭାଙ୍ଗିଲା, ଜୟ ମୂର୍ତ୍ତି ଗଳିପଡ଼ିଲା, ଭୋଗମଣ୍ଡପ ଘରର କଳସ ଫାଟି ଗଳି ପଡ଼ିଲା। ସୂର୍ଯ୍ୟମନ୍ଦିର, ସାକ୍ଷୀଗୋପାଳ ମନ୍ଦିରର କୀର୍ତ୍ତିରାଜି ନଷ୍ଟ ହେଲା। ନୀଳଚକ୍ରର ପ୍ରକୃତ ସ୍ଥିତି ଜାଣିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ଡ୍ରୋନ୍‌ କ୍ୟାମେରା ଦ୍ବାରା ଯାଞ୍ଚ କରିବାକୁ ନିଷ୍ପତ୍ତି ନେଲା। ତଦନୁଯାୟୀ ଆଜି ସକାଳ ସାଢ଼େ ୮ଟାରୁ ସାଢ଼େ ୯ଟା ମଧ୍ୟରେ ଡ୍ରୋନ୍‌ ଉଡ଼ାଇଥିଲା ଏଏସ୍‌ଆଇ। ବିଭିନ୍ନ ଦିଗରୁ ନୀଳଚକ୍ର ଓ କଳସର ଚିତ୍ର ନେଇଥିଲା। ଗର୍ଭଗୃହକୁ ପାଣି ପ୍ରବେଶ ସମ୍ଭାବନା ସ୍ଥଳ ଭେଣ୍ଟିଲେଟର ବି ତନଖି କରିଥିଲା। ଡ୍ରୋନ୍‌ ଯାଞ୍ଚ ବେଳେ ନୀଳଚକ୍ରରେ କୌଣସି କ୍ଷତି ହୋଇନଥିଲେ ମଧ୍ୟ କଳସର ୪ଟି ସ୍ଥାନରେ ପଥର ଯୋଡ଼େଇ ଫାଟି ଯାଇଥିବା ଫଟୋଚିତ୍ରରୁ ଜଣାଯାଇଛି। ତେବେ ନୀଳଚକ୍ର ବଙ୍କିଥିବା ଜଣାପଡ଼ୁନଥିଲେ ବି ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ପାରିନାହାନ୍ତି ଏଏସ୍‌ଆଇ ଅଧିକାରୀମାନେ। ଚୂଡ଼ାନ୍ତ ପ୍ରମାଣ ପାଇଁ ନୀଳଚକ୍ରର ଏଲାଇନ୍‌ମେଣ୍ଟ ଯାଞ୍ଚ କରାଯିବାକୁ ଯୋଜନା କରାଯାଇଛି। ଅନ୍ୟପକ୍ଷରେ ଗର୍ଭଗୃହକୁ ପାଣି କିପରି ପଶିଲା ତାହା ଯାଞ୍ଚରୁ ଜଣାପଡ଼ିନାହିଁ। ବଡ଼ବର୍ଷା ହେଲେ ଯାଇ ଗର୍ଭଗୃହକୁ ପାଣି ପ୍ରବେଶ ବାଟ ଧରାପଡ଼ିବ। ତେଣୁ କର୍ମଚାରୀଙ୍କୁ ଏଥି ପାଇଁ ଆଲର୍ଟ କରିଛନ୍ତି ଏଏସ୍‌ଆଇ କର୍ତ୍ତୃପକ୍ଷ।

ସମ୍ବନ୍ଧିତ ଖବର