ଶ୍ରୀମନ୍ଦିରରେ ଶୃଙ୍ଖଳା ସଂକ୍ରାନ୍ତ ସତ୍ୟପାଠରେ କ୍ଷୋଭ : ଦର୍ଶନ, ମହାପ୍ରସାଦ ସେବନରେ ଶୋଷଣ; ଦଇତା ନିଯୋଗର ସତ୍ୟପାଠ ଆଜି

ପୁରୀ : ମହାପ୍ରସାଦରେ ବ୍ୟବହୃତ ଚାଉଳ ଓ ଡାଲି ଦର ତୁଳନାରେ ୬ ଗୁଣା ଅର୍ଥ ଭକ୍ତଙ୍କଠାରୁ ଆଦାୟ ହେଉଛି। ଭାରତର ଅନ୍ୟ ପ୍ରମୁଖ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ହେଉଥିବାବେଳେ ପୁରୀ ଶ୍ରୀମନ୍ଦିରରେ କାହିଁକି ହୋଇ ପାରୁନାହିଁ? ଏମିତି ପ୍ରଶ୍ନ ଉଠାଇ ଆଜି ପୁରୀ ଜିଲ୍ଲା ଜଜ୍‌ଙ୍କ ନିକଟରେ ସତ୍ୟପାଠ ଦାଖଲ ହୋଇଛି। ପୁରୀର ଆଇନଜୀବୀ ରମେଶ ପ୍ରସାଦ ସିଂହଙ୍କ ସମେତ ୪ ଜଣ ଆଜି ସତ୍ୟପାଠ ଦାଖଲ କରିଛନ୍ତି। ଶ୍ରୀମନ୍ଦିରକୁ ନେଇ ସେମାନଙ୍କ ମନରେ ଥିବା କ୍ଷୋଭ ଏଥିରେ ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ଜଜ୍‌ ଗତ ୧୨ ତାରିଖରେ ଭକ୍ତ, ସେବାୟତ ଓ ସାଧାରଣ ଲୋକଙ୍କଠାରୁ ସତ୍ୟପାଠ ଆହ୍ଵାନ କରିଥିଲେ। ସତ୍ୟପାଠ ଦାଖଲ ପାଇଁ ସର୍ବସାଧାରଣଙ୍କୁ ନୋଟିସ୍‌ ଜାରି କରାଯାଇଥିଲା। ଏହି ଆଧାରରେ ଆଜି ୪ଟି ସତ୍ୟପାଠ ଦାଖଲ କରାଯାଇଥିବା ଜଣାପଡିଛି। ଆସିଥିବା ସତ୍ୟପାଠ ମଧ୍ୟରୁ ଶୃଙ୍ଖଳିତ ଦର୍ଶନ, ମହାପ୍ରସାଦ ଶୋଷଣ ପ୍ରସଙ୍ଗକୁ ଗୁରୁତ୍ୱ ମିଳିଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଶ୍ରୀ ସିଂହ ତାଙ୍କ ସତ୍ୟପାଠରେ ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟା ସଂପର୍କରେ ବର୍ଣ୍ଣନା କରିଛନ୍ତି। ଏଥିରେ ଶ୍ରୀ ସିଂହ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ କରିବା ଲାଗି ବିଶେଷ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେହିଭଳି ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରିରେ କରାଯାଉଥିବା ଶୋଷଣକୁ ନେଇ ମଧ୍ୟ ଆପତ୍ତି ଉଠାଇଛନ୍ତି। ମନ୍ଦିର ଭିତରେ ନିଲାମ ବନ୍ଦ କରିବାକୁ ଦାବି ରଖି ସେ ଦର୍ଶାଇଛନ୍ତି ଯେ ନିଲାମଧାରୀ ସଂସ୍ଥା ମୋଟା ଅର୍ଥ ଦେଇ ନିଲାମ ନେଉଥିବାରୁ ଲାଭଜନକ ମନୋବୃତ୍ତି ରଖୁଛନ୍ତି ଓ ଭକ୍ତଙ୍କୁ ମାତ୍ରାଧିକ ଶୋଷଣ କରିବା ଲାଗି ସୁଯୋଗ ପାଉଛନ୍ତି। ଏହା ଉପରେ କଟକଣା ଜାରି ହେବାର ଆବଶ୍ୟକତା ରହିଛି।

ସେହିଭଳି ଭାରତର ପ୍ରମୁଖ ମନ୍ଦିରମାନଙ୍କରେ ଗର୍ଭଗୃହ ଦର୍ଶନ କରାଯାଉଥିବା ବେଳେ ଶ୍ରୀମନ୍ଦିରରେ ଏହା ବାରଣ ହୋଇଛି। ଏ ପ୍ରସଙ୍ଗକୁ ବିଚାରକୁ ନେବାକୁ ଦାବି ଉଠିଛି। ଅନ୍ୟପକ୍ଷରେ ଆସନ୍ତାକାଲି କିଛି ନିଯୋଗ ଓ ସେବାୟତ ସତ୍ୟପାଠ ଦାଖଲ କରିବେ। ଦଇତାପତି ନିଯୋଗର ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ନିଯୋଗର ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ସତ୍ୟପାଠ ଦାଖଲ କରିବେ।

ଶ୍ରୀମନ୍ଦିର ଶୋଷଣ ଓ ବିଭିନ୍ନ ସମସ୍ୟାକୁ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଶ୍ରୀମନ୍ଦିରର ସେବକ/କର୍ମଚାରୀ ଦାନ ଦକ୍ଷିଣା ନେଇ ପାରିବେ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରସଙ୍ଗରେ ଆସନ୍ତା ଜୁନ ୩୦ ତାରିଖ ସୁଦ୍ଧା ପୁରୀ ଜିଲ୍ଲା ଜଜ୍‌ଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ବଳରେ ଜିଲ୍ଲା ଜଜ୍‌ ଅମ୍ବୁଜ ମୋହନ ଦାସ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଛତିଶା ନିଯୋଗ ବୈଠକରେ ଉପସ୍ଥିତ ରହି ନିଯୋଗର କଥା ଶୁଣିଛନ୍ତି। ସତ୍ୟପାଠ ଜରିଆରେ ଭକ୍ତ, ସେବାୟତ ନିଯୋଗ ପକ୍ଷ ରଖିବାକୁ ଜିଲ୍ଲା ଜଜ୍‌ ଗତ ୧୨ ତାରିଖରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବିଜ୍ଞପ୍ତି ଜାରି କରିଛନ୍ତି। ଆଜି କୋର୍ଟ ଖୋଲିବା ପରେ ପ୍ରଥମ ସତ୍ୟପାଠ ଦାଖଲ ହୋଇଛି। ସତ୍ୟପାଠର ଶେଷ ତାରିଖ ୨୦ ତାରିଖ ଧାର୍ଯ୍ୟ ହୋଇଛି। ଅର୍ଥାତ ସତ୍ୟପାଠ ଦାଖଲ ପାଇଁ ହାତରେ ମାତ୍ର ଦୁଇ ଦିନ ସମୟ ବାକି ରହିଛି। ସତ୍ୟପାଠ ଦାଖଲର ଅବଧି ଆଉ କିଛି ଦିନ ବଢିଲେ ଶ୍ରୀମନ୍ଦିରକୁ ନେଇ ଅଧିକ ସତ୍ୟପାଠ ଆସିପାରନ୍ତା ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର