ରତ୍ନ ଭଣ୍ଡାରରେ ରତ୍ନ ଅଛି ତ? : କାହା ହାତରେ ଚାବି, ପ୍ରଶାସନ ଡରୁଛି କାହିଁକି

ପୁରୀ : କେମିତି ହଜିଗଲା ରତ୍ନଭଣ୍ଡାରର ଚାବି? କିଏ ଏଭଳି ଦୁଃସାହସ କଲା? ଜଣେ କି ଦୁଇଜଣ ନୁହେଁ, ଏହା ମଧ୍ୟରେ ଡଜନେରୁ ଅଧିକ ପ୍ରଶାସକ ଶ୍ରୀମନ୍ଦିର ଦାୟିତ୍ୱ ତୁଲାଇଛନ୍ତି। ଏତେ ବେଫିକର ଯେ ମହାପ୍ରଭ୍ରଙ୍କ ଚାବି କେଉଁଠାରେ ଅଛି, ଏକଥା ଜାଣିବା ଲାଗି ଆଗ୍ରହ ଦେଖାଇଲେ ନାହିଁ? ଶ୍ରୀମନ୍ଦିର ପରିଚାଳନା କମିଟି ମଧ୍ୟ ଏତେ ଦାୟିତ୍ୱହୀନ ହେଲେ କେମିତି?

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିଯିବା ଘଟଣାକୁ ନେଇ ଏବେ ସମଗ୍ର ରାଜ୍ୟର ଭକ୍ତମାନଙ୍କ ଭିତରେ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରିଲାଣି। ରତ୍ନ ଭଣ୍ଡାରରେ ଯେତିକି ରତ୍ନ ଅଛି ବୋଲି ତାଲିକାଭୁକ୍ତ ହୋଇଛି, ତାହାର ନିରାପତ୍ତା ଏବେ ରାଜ୍ୟବାସୀ ସନ୍ଦେହରେ ପଡିଛନ୍ତି। ଏହି ରତ୍ନ ଅଛି ନା ନାହିଁ, ସେ ନେଇ ନିଶ୍ଚିତ କରିବା ଲାଗି ଭକ୍ତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଲାଣି।

ଗତ ଏପ୍ରିଲ ୫ ତାରିଖ ସଂସ୍କରଣରେ ମହାପ୍ରଭୁଙ୍କ ଚାବି ହଜିଥିବା ନେଇ କେବଳ ‘ସମ୍ବାଦ’ର ପ୍ରଥମ ପୃଷ୍ଠାରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲ। ‘କୁଆଡେ ଗଲା ଚାବି’ ଶୀର୍ଷକ ଖବର ‘ପ୍ରକାଶ ପରେ ଏହାକୁ ନେଇ ଭକ୍ତ ଓ ସେବାୟତ ସମାଜ ବ୍ୟତିବ୍ୟସ୍ତ ହୋଇ ପଡିଥିଲେ। ହେଲେ ସେଦିନ ଚାବି ହଜିବା କଥାକୁ ପ୍ରଶାସନ ଟାଳି ଦେଇଥିଲା। କେବଳ ସେତିକି ନୁହେଁ, ସମୁଦାୟ ପ୍ରସଙ୍ଗକୁ ହଜାଇ ଦେବା ଲାଗି ସମସ୍ତେ ଏକାଠି ହୋଇଯାଇଥିଲେ। ହେଲେ ଏ ସଂକ୍ରାନ୍ତରେ ଏପ୍ରିଲ ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ବିବରଣୀ ପଦାକୁ ଆସିବା ପରେ ଚାବି ହଜିଯାଇଥିବା ପ୍ରସଙ୍ଗ ପୁଣି ତାଜା ହୋଇଛି।

ସବୁଠାରୁ ସାଂଘାତିକ କଥା ହେଉଛି, ଶ୍ରୀମନ୍ଦିର ପରିଚାଳନା କମିଟି ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ମୁହଁ ବନ୍ଦ କରି ବସିଛନ୍ତି। କାହିଁକି ଓ କାହାକୁ ସୁରକ୍ଷା ଦେବାକୁ ଯାଇ ସେ ସମୟରେ ପ୍ରଶାସନ ମିଛ କହିଲା, ତାହା ଭକ୍ତମାନଙ୍କୁ ଆନ୍ଦୋଳିତ କଲାଣି। ଏ ନେଇ ଆଜି ଖୋଦ୍‌ ଶଙ୍କରାଚାର୍ଯ୍ୟ ମଧ୍ୟ ନିଜର କ୍ଷୋଭ ସମ୍ଭରଣ କରିପାରିନାହାନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୪୮ ବର୍ଷ ଧରି ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଚାବି ଜିଲ୍ଲା ଟ୍ରେଜେରିକୁ ଫେରିନଥିବା କଥା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ଏପ୍ରିଲ ୪ ତାରିଖ ପରିଚାଳନା କମିଟି ବୈଠକରେ ସ୍ପଷ୍ଟ କରିଛନ୍ତି। ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିଛି ଯେ ହଜିଯାଇଥିବା ଚାବିର ଅପବ୍ୟବହାର ହୋଇନି ତ? ରତ୍ନ ଭଣ୍ଡାରର ଚାବି ନ ଥିବାରୁ ମହାପ୍ରଭୁଙ୍କ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ?

ବିରୋଧୀ କଂଗ୍ରେସ ଓ ବିଜେପି ଦଳର ଏଭଳି ଜଟିଳ ପ୍ରଶ୍ନ ସରକାରଙ୍କୁ ଅଡୁଆରେ ପକାଇ ଦେଲାଣି। ଚାବି ହଜିବାକୁ ନେଇ ପରିଚାଳନା କମିଟି ବୈଠକରେ ଗଜପତି ମହାରାଜ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ଚାବି ଜିଲ୍ଲାପାଳଙ୍କ ପାଖରେ ରହେ, ହଜିବା ଅବିଶ୍ୱାସଯୋଗ୍ୟ ବୋଲି କହି ସନ୍ଦେହ ପ୍ରକଟ କରିଥିଲେ। ଟ୍ରେଜେରିକୁ ଚାବି ଆସିନଥିବା ଜିଲ୍ଲାପାଳ କହିଥିଲେ ହେଁ ଏ ଦିଗରେ ଗତ ଦୁଇ ମାସ ଭିତରେ କେହି କିଛି ପଦକ୍ଷେପ ନେଇନାହାନ୍ତି।

ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ୪ ତାରିଖରେ ବାହାର ରତ୍ନ ଭଣ୍ଡାର ଯାଞ୍ଚ କରିବା ଲାଗି ହାଇକୋର୍ଟ ନିର୍ଦେଶରେ ସ୍ୱତନ୍ତ୍ର କମିଟି ଯାଇଥିଲେ। କିନ୍ତୁ ଚାବି ନ ମିଳିବାରୁ ସେମାନେ ବାହାରୁ କାନ୍ଥ ଯାଞ୍ଚ କରି ଫେରିଥିଲେ। ତେବେ ଆଶ୍ଚର୍ଯ୍ୟର କଥା ଯେ ଭଣ୍ଡାର ଚାବି ତ ମିଳିଲା ନାହିଁ, କିନ୍ତୁ କମିଟିର ସଭ୍ୟ ଆଉ ଯାହା ଦେଖିଥିଲେ ତାହା ସହଜରେ ବିଶ୍ୱାସ ହେଉନାହିଁ। ଜଣେ ସଭ୍ୟଙ୍କ କହିବା ଅନୁସାରେ ଭିତର ଭଣ୍ଡାର କାନ୍ଥରେ ଖୋପ ମରାମତି ହୋଇଥିବା ଦେଖାଯାଉଥିଲା। କିନ୍ତୁ ତାହାର ମୂଳ ପଥରଟି ଭିତରେ ପଡ଼ିଥିଲା। କେବଳ ସେତିକି ନୁହେଁ, କିଛି ସିନ୍ଦୁକରେ ତାଲା ନଥିବା ମଧ୍ୟ ଦେଖାଯାଇଥିଲା। ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା।

ରତ୍ନ ଭଣ୍ଡାର ଖୋଲାଯିବା ନେଇ ଶ୍ରୀମନ୍ଦିର ଆଇନ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଥିଲେ ହେଁ ଏ ଆଇନକୁ ବର୍ଷ ବର୍ଷ ଧରି ପାଳନ କରାଯାଉନାହିଁ। ଏହି ଆଇନର ଧାରା-୩୨ ଅନୁଯାୟୀ ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ନିୟମ ୧୯୬୦ର (୫) ଧାରାରେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ ଉଲ୍ଲେଖ ରହିଛି। ଏହି ଧାରା ମୁତାବକ, ରତ୍ନ ଭଣ୍ଡାରରେ ଗଚ୍ଛିତ ଥିବା ସମସ୍ତ ଜିିନିଷ ଶ୍ରୀମନ୍ଦିର ପରିଚାଳନା କମିଟି କିଭଳି ଅଧିଗ୍ରହଣ କରିବ ସେ ନେଇ ମଧ୍ୟ ବିସ୍ତୃତ ଭାବେ ଉଲ୍ଲେଖ ରହିଛି। ମାତ୍ର ଗତ ୩୪ ବର୍ଷରେ ଭିତରେ ପରିଚାଳନା କମିଟି ରତ୍ନ ଭଣ୍ଡାର ଅଧିକୃତ କରିନଥିବା ଜଣାପଡିଛି। ପ୍ରତି ତିନି ବର୍ଷରେ ପରିଚାଳନା କମିଟିର ପରିବର୍ତ୍ତନ ହୋଇଥାଏ। ନୂତନ ସଦସ୍ୟ ପରିଚାଳନା କମିଟିକୁ ଚୟନ ହୋଇଥାନ୍ତି। ତେବେ ତିନି ବର୍ଷରେ ଥରେ ରତ୍ନ ଭଣ୍ଡାର ଅଧିକୃତ ହୁଏ ନାହିଁ ବୋଲି ଜଣେ ପରିଚାଳନା କମିଟିର ଜଣେ ସଦସ୍ୟ ନିଜ ନାମ ଗୋପନ ରଖି କହିଛନ୍ତି। ଏଠାରେ ପ୍ରକାଶଥାଉକି, ଗତ ୩୪ ବର୍ଷ ମଧ୍ୟରେ ୧୧ଟି ପରିଚାଳନା କମିଟି ଗଠିତ ହୋଇଛି। ଅର୍ଥାତ ଶ୍ରୀମନ୍ଦିର ଆଇନକୁ ଏଠାରେ ଖୋଲାଖୋଲି ଫାଙ୍କି ଦିଆଯାଇଛି।

ସମ୍ବନ୍ଧିତ ଖବର