ଚାବି ହଜିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଜିଲ୍ଲାପାଳ : ମୁଁ ନିର୍ଦ୍ଦୋଷ, ମତେ ଟାର୍ଗେଟ୍‌ କରାଯାଉଛି, ସବୁପ୍ରକାର ତଦନ୍ତକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ

ପୁରୀ : ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ମୁଁ ସଂପୂର୍ଣ୍ଣ ନିର୍ଦ୍ଦୋଷ। ଏଥିରେ ମୋର କିଛି ଭୂମିକା ନାହିଁ। ବିନା କାରଣ ଏବଂ ଅଯଥାରେ ମତେ ଟାର୍ଗେଟ୍‌ କରାଯାଉଛି। ଯାହା କହୁଛି ସବୁ ସତ। ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ମୋର ଭରସା ଅଛି, ତାଙ୍କୁ ହାତ ଟେକି ଦେଇଛି। ରତ୍ନ ଭଣ୍ଡାର ଚାବି ମିଳିବା ସତରେ ମହାପ୍ରଭୁଙ୍କର ଏକ ବଡ ଚମତ୍କାରିତା ବୋଲି ଆଜି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାବବିହ୍ଵଳ ହୋଇ ଏ ପ୍ରକାର ମନ୍ତବ୍ୟ ରଖିଛନ୍ତି। ଚାବି ହଜିବା ପ୍ରସଙ୍ଗରେ ସବୁପ୍ରକାର ତଦନ୍ତକୁ ସେ ସାମ୍ନ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ଏ ସଂପର୍କରେ ସବୁ କଥା ସେ ତଦନ୍ତ କମିସନଙ୍କୁ ଜଣାଇବେ। ଭିତର ରତ୍ନ ଭଣ୍ଡାର ଚାବି ରେକର୍ଡ ରୁମ୍‌ରୁ ମିଳିଥିବା ନେଇ ଗତକାଲି ଜିଲ୍ଲାପାଳ ସୂଚନା ଦେବା ପରେ ଏହାକୁ ନେଇ ବିରୋଧୀ ରାଜନୈତିକ ଦଳଗୁଡିକ ତୁମ୍ବିତୋଫାନ କରିବା ସହ ସିଧାସଳଖ ଜିଲ୍ଲାପାଳଙ୍କୁ ଟାର୍ଗେଟ୍‌ କରିଥିଲେ। ଆଜି ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ ଡକାଇ ଏହି ପ୍ରସଙ୍ଗରେ ନିଜ ପକ୍ଷ ରଖିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ଵାଲ କହିଥିଲେ, ଚାବି ହଜିବା ପାଇଁ ସେ ଆଦୌ ଦାୟୀ ନୁହନ୍ତି। ଚାବି ହଜିଛି ବୋଲି ସେ କେବେ କେଉଁଠି କହିନାହାନ୍ତି। ୧୯୭୦ ପରେ ଟ୍ରେଜେରିକୁ ଚାବି ଫେରିନଥିବା ଅନୁଧ୍ୟାନରୁ ଜଣାପଡିବା ପରେ ରତ୍ନଭଣ୍ଡାର ଚାବି ଜିଲ୍ଲା ଟ୍ରେଜେରିରେ ନାହିଁ, ଏ କଥା ସେ କେବଳ ଲିଖିତ ଭାବେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ। ଗତ ଏପ୍ରିଲ ୨ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ରତ୍ନ ଭଣ୍ଡାର ଚାବି ଦେବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅନୁରୋଧ କରିଥିଲା। ଜିଲ୍ଲାପାଳ ୩ ତାରିଖରେ ଟ୍ରେଜେରି ଅଫିସରଙ୍କୁ ଏ ସଂପର୍କରେ ଜଣାଇବା ପରେ ଖୋଜା ପଡିଥିଲା ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି। ତେବେ ଟ୍ରେଜେରିକୁ ତନ୍ନ ତନ୍ନ ଯାଞ୍ଚ କରିବା ପରେ ଚାବି ନାହିଁ ବୋଲି ଏପ୍ରିଲ ୪ ତାରିଖରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରିଥିଲେ ଜିଲ୍ଲା ଟ୍ରେଜେରି ଅଧିକାରୀ। ଜିଲ୍ଲାପାଳ ବି ସେହି ଦିନ ଟ୍ରେଜେରିରେ ମହାପ୍ରଭୁଙ୍କ ଭିତର ରତ୍ନ ଭଣ୍ଡାର ଚାବି ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିବାର ସମସ୍ତ ରେକର୍ଡ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଥିଲେ।

ଜିଲ୍ଲାପାଳ ଆହୁରି କହିଥିଲେ, ଚାବି ଖୋଜିବାରେ ସେ ଆଦୌ ହେଳା କରିନାହାନ୍ତି। ଗତ ୨୪ ତାରିଖରେ ଚାବି ଖୋଜିବାକୁ ଶ୍ରୀମନ୍ଦିର ପ୍ରଶାସନ ଜିଲ୍ଲାପାଳଙ୍କୁ ଚିଠି ଲେଖିବା ପରେ ସେ ଏଥି ପାଇଁ ଦୁଇଟି ତଦନ୍ତ କମିଟି ଗଠନ କରିଥିଲେ। ଗତକାଲି ଅପରାହ୍ନରେ ଜିଲ୍ଲା ରେକର୍ଡ ରୁମ୍‌ରୁ ଏକ ଜଉମୁଦ ଲଫାପା ଭିତରୁ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ମିଳିଥିଲା। ଚାବି ମିଳିବା ପରେ ସେ ତୁରନ୍ତ ଏହାର ସତ୍ୟତା ପ୍ରକାଶ କରିଛନ୍ତି। ଏଭଳି ପରିସ୍ଥିତିରେ ଚାବି ହଜିବା ପାଇଁ ସେ କେମିତି ଦାୟୀ ହେଲେ ବୋଲି ଜିଲ୍ଲାପାଳ ପ୍ରଶ୍ନ କରି ତାଙ୍କୁ ଟାର୍ଗେଟ୍‌ କରିବା ଠିକ୍‌ ନୁହେଁ ବୋଲି କହିଥିଲେ।

ସବୁ ସେହି କାଳିଆର ଲୀଳା…

ପୁରୀ : ମହାପ୍ରଭୁଙ୍କ ଭିତର ରତ୍ନ ଭଣ୍ଡାର ଚାବି ହଜିବା ଏବଂ ଗତକାଲି ଅପ୍ରତ୍ୟାଶିତ ଭାବେ ଜିଲ୍ଲା ରେକର୍ଡ ରୁମରୁ ଚାବି ମିଳିବା ଘଟଣା ମହାପ୍ରଭୁ ଜଗନ୍ନାଥଙ୍କ ଅପାର ଲୀଳା। ଏ କଥା ଖୋଦ୍‌ ଜିଲ୍ଲାପାଳ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଚାବି ଖୋଜିବାକୁ ଗଠନ କରାଯାଇଥିବା କମିଟିର ସଦସ୍ୟ ମଧ୍ୟ ଏ କଥା ମର୍ମେ ମର୍ମେ ଅନୁଭବ କରିଛନ୍ତି। ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି ଚାବି ହଜିବା ଓ ମିଳିବା ସବୁ ସେହି କାଳିଆର ଲୀଳା ବୋଲି କହିଛନ୍ତି।

ତାଙ୍କ ସୂଚନା ଅନୁସାରେ, ରତ୍ନ ଭଣ୍ଡାର ଚାବି ଖୋଜିବାକୁ ଦୁଇଟି କମିଟି ଗଠନ କରାଯାଇଥିବା ବେଳେ ଚାବି ଖୋଜିବା ତାଙ୍କ ପାଇଁ ଏକ ବଡ଼ ଆହ୍ଵାନ ଥିଲା। ତନ୍ନ ତନ୍ନ କରି ସେମାନେ ରେକର୍ଡ ରୁମ୍‌, ନାଜିରଖାନା ଯାଞ୍ଚ କରିଥିଲେ। ତେବେ ପାଞ୍ଚ ଦିନ କାଳ ଖୋଜାଖୋଜି କରି ଦୁଇ କମିଟି ନିରାଶ ହୋଇ ପଡିଥିଲେ। ଏମିତିକି କମିଟିର ସଦସ୍ୟମାନେ ଚାବି ଆଉ ମିଳିବ ନାହିଁ ବୋଲି ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦେଇଥିଲେ। ଗତକାଲି ଚାବି ଖୋଜିବାର ଶେଷ ଦିନରେ ରତ୍ନଭଣ୍ଡାର ଚାବିଟି ଏକ ନାଲି ରଙ୍ଗର ରେଜିଷ୍ଟର ଭିତରେ ଏକ ହଳଦିଆ ଲଫାପା ଭିତରେ ଥିବା ଦେଖିବାକୁ ମିଳିଥିଲା। ରେଜିଷ୍ଟରଟି ରେକର୍ଡ ରୁମ୍‌ର ଏକ ଆଲମିରା ଭିତରେ ଥିଲା। ଗତକାଲି ଅପରାହ୍ନରେ ଉକ୍ତ ରେଜିଷ୍ଟର ଭିତରେ ଚାବି ଦେଖି କମିଟି ସଦସ୍ୟମାନେ ଆଶ୍ଚର୍ଯ୍ୟ ହୋଇ ପଡିଥିଲେ। ଚାବି ଏଇଠି ଅଛି ବୋଲି ବଡ ପାଟି କରିଥିଲେ। ଚାବି ମିଳିବା କ୍ଷଣି ତୁରନ୍ତ ସେମାନେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। କ୍ଷଣକ ମଧ୍ୟରେ ଜିଲ୍ଲାପାଳଙ୍କ ପାଖରେ ଏ ଖବର ପହଞ୍ଚିଥିଲା। ମହାପ୍ରଭୁ ଅନେକ ସମୟରେ ନାନା ଚମତ୍କାରିତା ଦେଖାଇଥିବାର ହଜାର ହଜାର ଜ୍ୱଳନ୍ତ ପ୍ରମାଣ, କିମ୍ବଦନ୍ତୀ, ଜନ ଅନୁଭୂତି ରହିଛି। ସୁତରାଂ ଗତକାଲି ଶେଷ ଦିନରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ମିଳିବା କାଳିଆ ଠାକୁରଙ୍କର ମହିମା ବୋଲି ଚର୍ଚ୍ଚା ହେଉଛି। ଯାଞ୍ଚ ବେଳେ ଦୁଇଟି ଗୁରତ୍ଵପୂର୍ଣ୍ଣ କାଗଜପତ୍ର ମିଳିଛି। ୧୯୭୮ର ଏକ ରେକର୍ଡ ଓ ୧୮୦୫ର ତତ୍କାଳୀନ ବ୍ରିଟିଶ୍‌ ଭାଇସ୍‌ରାୟଙ୍କ ଏକ ଟୁର୍‌ ଗାଇଡ୍‌ ମଧ୍ୟ ମିଳିଛି। ଏଥିରେ ମଧ୍ୟ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର