ଅନିଶ୍ଚିତତାରେ ପୁରୀ ମେଡିକାଲ କଲେଜ : କଲେଜ ନିର୍ମାଣ ସରିଲାଣି, ଡାକ୍ତରଖାନା ପାଇଁ ହୋଇନି ଜମି ଚିହ୍ନଟ, ୨୦୨୦ରେ ନାମଲେଖା ଓ ପାଠପଢା ନେଇ ଆଶଙ୍କା

ପୁରୀ : ପୁରୀବାସୀଙ୍କୁ ସରକାର ଭଣ୍ଡାଇ ଦେଲେ କି? ବହୁ ପ୍ରତୀକ୍ଷିତ ମେଡିକାଲ କଲେଜକୁ ନେଇ ଏମିତି କିଛି ପ୍ରଶ୍ନ ସଂପ୍ରତି ଜିଲ୍ଲାବାସୀଙ୍କ ମନରେ ଉଙ୍କି ମାରିଛି। ହେବା ମଧ୍ୟ ସ୍ବାଭାବିକ। କାରଣ ଶିଳାନ୍ୟାସର ୫ ବର୍ଷ ପରେ କେବଳ ମେଡିକାଲ କଲେଜର କୋଠାକୁ ଛାଡ଼ିଦେଲେ ଆଉ କିଛି କାମ ଆଗକୁ ବଢ଼ିନି। ଅଥଚ ଏହି ସମୟ ମଧ୍ୟରେ ବାରିପଦା, କୋରାପୁଟ, ବଲାଙ୍ଗୀର, ବାଲେଶ୍ବରରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ସହ କିଛି ନୂଆ ମେଡିକାଲ କଲେଜରେ ସିଟ୍ ସଂଖ୍ୟା ବି ବଢ଼ି ସାରିଲାଣି। ହେଲେ ପୁରୀ ମେଡିକାଲ କଲେଜ ସେଇ ୫ ତାଲା କୋଠା ନିର୍ମାଣରେ ସୀମିତ ରହିଛି। ଯାହାକୁ ନେଇ ଲୋକଙ୍କ ମନ‌ରେ ସଂଶୟ ଓ ଦ୍ବନ୍ଦ୍ବଭାବ ସୃଷ୍ଟି ହୋଇଛି।

ରାଜ୍ୟରେ ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମି ଏବଂ ଦେଶର ଏକ ପ୍ରମୁଖ ପର୍ଯ୍ୟଟନ ପୀଠକୁ ଦୃଷ୍ଟିରେ ରଖି ସରକାର ପୁରୀରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ, ୨୦୧୫ ଜୁଲାଇ ୪ ତାରିଖ‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ବାଲିଗୁଆଳି ସମଙ୍ଗ ମୌଜାରେ ଏହି ଅତ୍ୟାଧୁନିକ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ୨୦୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମେଡିକାଲ କଲେଜର କୋଠା ନିର୍ମାଣ ଏବେ ଶେଷ ‌ହୋଇଛି। ପାଞ୍ଚ ତାଲା ବିଶିଷ୍ଟ ଏହି ମେଡିକାଲ କଲେଜରେ ପ୍ରଶାସନିକ ଭବନଠୁ ଆରମ୍ଭ କରି ଅଧ୍ୟୟନ କକ୍ଷ, ହଷ୍ଟେଲ, ବିଶାଳ ଅଡିଟୋରିୟମ, ଲାବ୍, ଶବ ବ୍ୟବଚ୍ଛେଦ ଗୃହ ସମେତ ପାଠପଢା ଲାଗି ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ହୋଇସାରିଛି। ତେବେ ଏମ୍‌ସିଆଇର ସର୍ତ୍ତ ମୁତାବକ ମେଡିକାଲ କଲେଜ ପାଇଁ ସବୁଠୁ ବଡ ଆବଶ୍ୟକତା କୁହାଯାଉଥିବା ‌ଡାକ୍ତରଖାନା ପାଇଁ ଏଯାବତ ଜମି ଚିହ୍ନଟ ହୋଇ ପାରିନାହିଁ। ଏହା ହିଁ ମେଡିକାଲ କଲେଜ କାର୍ଯ୍ୟକ୍ଷମ ନ ହେବାର ମୁଖ୍ୟ କାରଣ।

ଶ୍ରୀମନ୍ଦିର ପ୍ରଶାସନର ୨୫ ଏକର ଜମିରେ ଛିଡ଼ା ହୋଇଛି ଏହି ଭବ୍ୟ ମେଡିକ‌ାଲ କଲେଜ। ତେବେ ଜମି ବିବାଦ ଓ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ କାମ ବିଳମ୍ବ ହେବାରୁ ୨୦୧୬ରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା। ୨୦୧୮ ସୁଦ୍ଧା ସମସ୍ତ ନିର୍ମାଣ କାମ ସାରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ କୋଠା ନିର୍ମାଣ ସରିଛି। ହେଲେ ମେଡିକାଲ ଚ‌ାଲିବା ପାଇଁ ଯାହା ସର୍ତ୍ତାବଳୀ ରହିଛି ତାକୁ ସରକାର ପୂରଣ କରିପାରୁନାହାନ୍ତି। କଲେଜ ପାଇଁ ୨୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ ଯୋଜନା ଥିବା ବେଳେ ଜମି ଚିହ୍ନଟ ପ୍ରକ୍ରିୟା ଅଗ୍ରଗତି ହୋଇ ପାରୁନାହିଁ। ବିକଳ୍ପ ବ୍ୟବସ୍ଥା ଭାବେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ କରିବା ଲାଗି ସ୍ଥିର ହୋଇଥିଲେ ହେଁ ଦୁର୍ବଳ ଭିତ୍ତିଭୂମି ଯୋଗୁ ‌ପାଠପଢା ପାଇଁ ମେଡିକା‌ଲ୍‌ କାଉନସିଲ ଅନୁମତି ଦେବ କି ନାହିଁ ସେ ନେଇ ସନ୍ଦେହ ଉପୁଜିଛି। ସୁତରାଂ ନିଜସ୍ବ ଡାକ୍ତରଖାନା ନିର୍ମାଣ ନ ହେବା ଯାଏ ମେଡିକାଲ କଲେଜ‌ ଖୋଲିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଏଭଳି ପରିସ୍ଥିତିରେ ଆସନ୍ତା ୨୦୨୦ ସୁଦ୍ଧା ମେଡିକାଲ କଲେଜରେ ନାମଲେଖା ଓ ପାଠପଢା ହେବ ବୋଲି ଯାହା କୁହାଯାଉଛି ସେଥିରେ ଏହା ବଡ଼ ଅନ୍ତରାୟ ସାଜିଛି।

ସମ୍ବନ୍ଧିତ ଖବର