ପୁରୀକୁ ବିଶ୍ବ ଐତିହ୍ୟ ସହରର ମାନ୍ୟତା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବି

ପୁରୀ : ପୁରୀର ବିକାଶ ପାଇଁ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ନିଜ ଅଞ୍ଚଳରେ ଅସହଯୋଗ ହେଉଥିବା ନେଇ ଚର୍ଚ୍ଚା ହେଉଥିବ‌ା ‌ବେଳେ ବିଧାୟକ ଏବେ ସିଧାସଳଖ ଦିଲ୍ଲୀରେ ପହଞ୍ଚି ସହରର ବିକାଶକୁ ତ୍ବରାନିତ୍ବ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ବିଧାୟକ ଆଜି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ତାଙ୍କ ବାସଭବନରେ ଭେଟି ପୁରୀକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଅନୁରୋଧ କରିଛନ୍ତି। ବିଧାୟକ ଶ୍ରୀ ଷଡଙ୍ଗୀ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀର ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ସହିତ ମନ୍ତ୍ରୀ ଶ୍ରୀ ପଟେଲଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ସେଠାରେ ବିଧାୟକ ଶ୍ରୀ ଷଡଙ୍ଗୀ ପୁରୀର ଐତିହ୍ୟ ଓ ସଂସ୍କୃତି ସଂପର୍କରେ ମନ୍ତ୍ରୀ ଶ୍ରୀ ପଟେଲଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ପର୍ଯ୍ୟଟନର ବିକାଶ , ପୁରୀକୁ ସାଂସ୍କୃତିକ ସହରର ମାନ୍ୟତା ପ୍ରଦାନ କରିବା ପାଇଁ ସ୍ବତନ୍ତ୍ର ଅର୍ଥ ବରାଦ କରିବାକୁ ଦାବି କରିଛନ୍ତି। ଏ ନେଇ ଏକ ଦାବିପତ୍ର ମଧ୍ୟ ଶ୍ରୀ ଷଡ଼ଙ୍ଗୀ ପ୍ରଦାନ କରିଛନ୍ତି। ମନ୍ତ୍ରୀ ଖୁବଶୀଘ୍ର ପୁରୀ ଆସି ସ୍ଥିତି ସମୀକ୍ଷା କରିବା ସହିତ ପୁରୀର ବିକାଶ ପାଇଁ ଯାହା ଆବଶ୍ୟକ ତାହା କରିବାକୁ ପ୍ରତିଶ୍ରୁତି ଦେଇଥିବା ବିଧାୟକ ଶ୍ରୀ ଷଡ଼ଙ୍ଗୀ ଜଣାଇଛନ୍ତି। ପୁରୀ ବିଧାନସଭା ଆସନରୁ ବିଧାୟକ ଭାବେ ବିଜୟୀ ହେବା ପ‌ରେ ଶ୍ରୀ ଷଡ଼ଙ୍ଗୀଙ୍କୁ ପୁରୀରେ ଆବଶ୍ୟକ ସହଯୋଗ ମିଳୁନାହିଁ। ଅଧିକାରୀମାନେ ମଧ୍ୟ ତାଙ୍କ କଥାକୁ ସେତେଟା ପ୍ରଧାନ୍ୟ ଦେଉନଥିବା ନେଇ ଚର୍ଚ୍ଚା ହେଉଥିଲା। ଏବେ ବିଧାୟକ କେନ୍ଦ୍ର ସରକାରଙ୍କ ସହାୟତାରେ ପୁରୀର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି। ପୁରୀ ପାଇଁ ସେ ଯାହା ସଂକଳ୍ପ ନେଇଛନ୍ତି ତାହା ସେ କରିକି ଦେଖାଇବେ ବୋଲି ଦୃ‌ଢୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର