ପିଟିପିଟି ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ, ରାସ୍ତାରେ ୨୦ ଘଣ୍ଟା ପଡ଼ି ରହିଲା ମୃତଦେହ

ପୁରୀ : ପାରିବାରିକ କଳହକୁ ନେଇ ଜଣେ ଯୁବକଙ୍କୁ ତାଙ୍କ ସମ୍ପର୍କୀୟମାନେ ପିଟି ପିଟି ହତ୍ୟା କରିବା ପରେ ରାସ୍ତାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହି ଶବଟି ରାସ୍ତାରେ ଦୀର୍ଘ ୨୦ ଘଣ୍ଟା ପଡ଼ି ରହିବା ପ‌ରେ ଆଜି ସନ୍ଧ୍ୟା ସାଢ଼େ ସାତଟାରେ ପୁଲିସ ଏହି ଶବକୁ ଜବତ କରିଛି। ପୁଲିସର ଏହି ଉଦାସୀନତାକୁ ସ୍ଥାନୀୟ ଲୋକେ ଆକ୍ଷେପ କରିଛନ୍ତି। ଗତକାଲି ରାତି ପ୍ରାୟ ଏଗାରଟା ସମୟରେ କେତେକ ଦୁର୍ବୃତ୍ତ ଏହି ମୃତଦେହକୁ ଏଠାରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ଚନ୍ଦନପୁର ଥାନା ଅନ୍ତର୍ଗତ କନ୍ତେଶ୍ବର ରାସ୍ତାରେ ଏହି ମୃତଦେହ ପଡ଼ିଥିବାର ଖବର ଆଜି ଅପରାହ୍ନ ୫ଟାରେ ମିଳିଥିଲା ବୋଲି ପୁଲିସ କହିଛି।

ମୋହରିର ଭାବେ କାର୍ଯ୍ୟ କରୁଥିବା ଚନ୍ଦନପୁର ଥାନା ଅନ୍ତର୍ଗତ ଆରଳ ଗ୍ରାମର ବିଜୟ ସେଠୀ(୪୫)ଙ୍କର ମୃତଦେହ ଆଜି ଦିନ ତମାମ କନ୍ତେଶ୍ବର ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ଚନ୍ଦନପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଜୟଙ୍କର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏ ସମ୍ପର୍କରେ ଆଜି ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଗତକାଲି ରାତି ଏଗାରଟା ବେଳେ ସଂଘବଦ୍ଧ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବିଜୟଙ୍କ ଶବକୁ ଘଟଣାସ୍ଥଳରୁ ଉଠାଇବାକୁ ପୁଲିସକୁ ପ୍ରାୟ ୨୦ ଘଣ୍ଟା ଲାଗିଯାଇଥିଲା।

ମୃତ ବିଜୟଙ୍କ ପତ୍ନୀ ଝରଣା ଅଭିଯୋଗ କରିଛନ୍ତି ଯେ ଗତକାଲି ରାତି ପ୍ରାୟ ସାଢ଼େ ଦଶଟା ସମୟରେ ତାଙ୍କ ସ୍ବାମୀ ବିଜୟ ଫୋନ କରି ତାଙ୍କୁ କୁଟୁମ୍ବର ଭାଇମାନେ ସଂଘବଦ୍ଧ ହୋଇ ପିଟୁଥିବା ନେଇ ସେ ତାଙ୍କ ପତ୍ନୀ ଝରଣାଙ୍କୁ ଫୋନରେ କହିଥିଲେ। ଏହାପରେ ବିଜୟଙ୍କ ଫୋନ୍‌ ସୁଇଚ୍‌ ଅଫ୍ ହୋଇଯାଇଥିଲା। ନଳିବସନ୍ତ ଗାଁ’ସ୍ଥିତ ନିଜ ବାପ ଘରେ ରହୁଥିବା ଝରଣା ଆଜି ଆରଳ ଗ୍ରାମକୁ ଫେରି ‌କନ୍ତେଶ୍ବରରେ ପହଞ୍ଚି ବିଜୟଙ୍କ ଶବକୁ ଚିହ୍ନଟ କରିଥିଲେ। ଏ ସମ୍ପର୍କରେ ଚନ୍ଦନପୁର ଥାନାକୁ ଖବର ଦିଆଯାଇଥିଲେ ମଧ୍ୟ ପୁଲିସ ଘଟଣାସ୍ଥଳରେ ବହୁ ବିଳମ୍ବରେ ପହଞ୍ଚିଥିଲା। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଝରଣା ଅଭିଯୋଗ କରିଛନ୍ତି ଯେ ପାରିବାରିକ କଳହକୁ ନେଇ ବିଜୟ ଓ ତାଙ୍କର କୁଟୁମ୍ବର ଭାଇ ସଞ୍ଜୟ, ଅଜୟ, ଚିନ୍ମୟ ଓ ଚନ୍ଦ୍ରଶେଖରଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେବ ବିବାଦ ଲାଗି ରହିଥିଲା। ଏହି ବିବାଦକୁ ନେଇ ଚନ୍ଦନପୁର ଥାନାରେ ଅନେକ ଅଭିଯୋଗ ହୋଇଛି। ମାତ୍ର ପୁଲିସ ସେହି ଅଭିଯୋଗକୁ ଗୁରୁତ୍ବ ଦେଇନଥିଲା। ଏହାର ପରିଣାମରେ ଆଜି ବିଜୟଙ୍କର ଜୀବନ ଚାଲିଗଲା ବୋଲି ଝରଣା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର