ଏଥର ରଥଯାତ୍ରା ପାଇଁ ଖର୍ଚ୍ଚ ହେବ ୩.୩୬ କୋଟି
ରଥଯାତ୍ରା ଖର୍ଚ୍ଚ ଦୁଇ ଗୁଣା ବଢିଲା, ଠାକୁରଙ୍କ ପୂଜା ଖର୍ଚ୍ଚ ଓ ସେବାୟତଙ୍କ ପାଉଣା ପରିମାଣ ବି ବଢିଛି
ପୁରୀ : ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାରେ ଖର୍ଚ୍ଚ ହେବ ୩ କୋଟି ୩୬ ଲକ୍ଷ ଟଙ୍କା। ଏହି ବ୍ୟୟବରାଦ ଉପରେ ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଗତ ରଥଯାତ୍ରା ଅପେକ୍ଷା ଏକ କୋଟି ୬୧ ଲକ୍ଷ ୮୭ ହଜାର ଟଙ୍କା ଅଧିକ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଅର୍ଥାତ ଗୋଟିଏ ବର୍ଷରେ ରଥଯାତ୍ରା ବାବଦ ଖର୍ଚ୍ଚ ଦୁଇ ଗୁଣ ବୃଦ୍ଧି ହୋଇଛି। କେବଳ ରଥଯାତ୍ରା ନୁହେଁ, ଦୁଇ ବର୍ଷରେ ସେବାୟତଙ୍କ ପାଉଣା ବାବଦରେ ୩ କୋଟି ୬୦ ଲକ୍ଷ ୨୭ ହଜାର ଟଙ୍କା ଅଧିକ ଖର୍ଚ୍ଚ କରାଯିବାକୁ ଧାର୍ଯ୍ୟ କରିଛି ପରିଚାଳନା କମିଟି। ୨୦୧୯-୨୦ ବଜେଟ୍ରେ ଏହି ବ୍ୟୟ ଅଟକଳକୁ ମଞ୍ଜୁରି ଦେଇଛି କମିଟି।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ରଥଯାତ୍ରା ବାବଦରେ ପ୍ରଶାସନ ୩ କୋଟି ୩୬ ଲକ୍ଷ ୬୫ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରିଛି। ଯଦିଓ ୨୦୧୮-୧୯ରେ ଏ ବାବଦରେ ଏକ କୋଟି ୭୪ ଲକ୍ଷ ୭୮ ହଜାର ୧୪୫ ଟଙ୍କା ଖର୍ଚ୍ଚ ହୋଇଥିଲା ଏ ବର୍ଷ ଏହା ପ୍ରାୟ ଦୁଇ ଗୁଣ ବଢ଼ିଯିବ ବୋଲି ହିସାବ କରାଯାଇଛି।
୨୦୧୭-୧୮ରେ ରଥଯାତ୍ରା ବାବଦକୁ ଏକ କୋଟି ୪୨ ଲକ୍ଷ ୬୫ ହଜାର ୮୪୦ ଟଙ୍କା ଖର୍ଚ୍ଚ ହୋଇଥିଲା। ସେହିପରି ୨୦୧୭-୧୮ରେ ସେବାୟତଙ୍କୁ ପାଉଣା ବାବଦରେ ଶ୍ରୀମନ୍ଦିର ପ୍ରଶାସନ ୨୦ କୋଟି ୪୧ ଲକ୍ଷ ୯୬ ହଜାର ୯୮୯ ଟଙ୍କା ଦେଇଥିଲା। ୨୦୧୮-୧୯ରେ ଏହି ପାଉଣା ପରିମାଣ ବଢ଼ି ୨୨ କୋଟି ୬୫ ଲକ୍ଷ ୫୪ ହଜାର ୧୯୧ରେ ପହଞ୍ଚିଥିବା ବେଳେ ଏ ବର୍ଷ ସେବାୟତଙ୍କ ପାଉଣା ବାବଦରେ ୨୪ କୋଟି ୨ ଲକ୍ଷ ୨୪ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଠାକୁରଙ୍କ ପୂଜା ବାବଦ ଖର୍ଚ୍ଚ ଦୁଇ ବର୍ଷରେ ଏକ କୋଟିରୁ ଅଧିକ ବଢ଼ିଛି। ୨୦୧୭-୧୮ରେ ଠାକୁରଙ୍କ ପୂଜା ବାବଦରେ ଏକ କୋଟି ୬୬ ଲକ୍ଷ ୬୮ ହଜାର ୮୯୯ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୧୮-୧୯ରେ ଏହା ଦୁଇ କୋଟି ୨୭ ଲକ୍ଷ ୨୫ ହଜାର ୪୦୪ ଟଙ୍କା ଓ ଚଳିତ ବର୍ଷ ଏହି ପରିମାଣ ୨ କୋଟି ୮୦ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି।