ପୋଲ ଗୟଳ ମୋଡ଼ା ଆରମ୍ଭ : ଆଜି ଉଠିବ ଚାରିନାହାକା

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୫୪ ଦିନ ପୂରିଛି। ଆଜିଠାରୁ ପୋଲ ଗୟଳ(ବଡ଼ ଗୟଳ) ମୋଡ଼ା କାମ ଆରମ୍ଭ ହୋଇଛି। ପ୍ରଥମ ଦିନରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ଦୁଇଟି ଲେଖାଏଁ, ୬ଟି ପୋଲ ଗୟଳ ମୋଡ଼ା କାମ ଶେଷ ହୋଇଛି। ପରବର୍ତୀ ସମୟରେ ପର୍ଯ୍ୟାୟକ୍ରମେ ବାକି ପୋଲ ଗୟଳ ମୋଡ଼ା କାମ ଶେଷ ହେବ। ସେପଟେ ଗରଗରା କାଠ କଳସା ହୋଇ ପଟା ପଡ଼ିଛି। ଅସୁଆରୀ ଓ ଟାଣ କାମ ବି ଆଗେଇ ଚାଲିଛି। ତାଳଧ୍ୱଜ ରଥରେ ୪ଟା ଅସୁଆରୀ ଓ ୧୨ଟି ଟାଣ କାମ ଶେଷ ହୋଇଛି। ସେହିପରି ନନ୍ଦିଘୋଷ ରଥର ୪ଟି ଅସୁଆରୀ ଓ ୧୭ଟି ଟାଣ ଏବଂ ଦର୍ପଦଳନ ରଥର ୪ଟି ଅସୁଆରୀ ଓ ୧୨ଟି ଟାଣ କାମ ଶେଷ ହୋଇଛି। ଆସନ୍ତାକାଲିଠାରୁ ଚାରିନାହାକ କାମ ଆରମ୍ଭ କରିବାକୁ ବିଶ୍ୱକର୍ମାମାନେ ନିଷ୍ପତ୍ତି ନେଇଛନ୍ତି। ଭୋଇ ସେବକମାନେ ଥାଳି ଉଠା କାମ ଶେଷ କରିବା ପରେ ଏହି ଚାରିନାହାକା କାମ ଆରମ୍ଭ ହେବ। ବିଧି ମୁତାବକ ଭୋଇ ସେବକମାନେ ରଥଖଳାରେ ୨୦ ଫୁଟିଆ ଫାଳି କାଠ ପକାଇବା ପରେ ଚକ ଓ ଅଖ ଉପରକୁ ଚାରିନାହାକା ଉଠିବ। ଅନ୍ୟପଟେ ରଥର ଚାଳିରେ ଆବଶ୍ୟକ ପଡ଼ୁଥିବା ଶ୍ରେଣୀ ଓ ସିଂହାସନ କାମ ବି ଆଗେଇ ଚାଲିଛି। ରୂପକାର ସେବକମାନେ ନାଟଗୁଡ଼ୁ ଓ ସିଂହାସନ କାମ ଆଗେଇ ନେଇଛନ୍ତି। ଦୋଳବେଦିରେ ଗୟଳ କାଠ ଚିରଟ କାମ ବି ଆଗେଇ ଚାଲିଛି। ଦୋଳବେଦି କମାରଶାଳରେ ଗୟଳ କଣ୍ଟା, ଦଣ୍ଡାକଣ୍ଟା କାମ ଆଗେଇ ଚାଲିଛି।

ସମ୍ବନ୍ଧିତ ଖବର