ବର୍ଷାରେ ଭିଜିଲେ ମହାପ୍ରଭୁ : ରଥ କନକମୁଣ୍ଡିରେ ତ୍ରୁଟି; ଠାକୁରଙ୍କ ଶ୍ରୀଅଙ୍ଗ, ଶ୍ରୀଭୁଜ, ମସ୍ତକରେ ବି ପଡ଼ିଲା ପାଣି

ପୁରୀ : ବିଶ୍ୱନିୟନ୍ତା ମହାପ୍ରଭୁଙ୍କୁ ଶେଷରେ ରଥରେ ଓଦା ହେବାକୁ ପଡ଼ିଛି। ରଥ ନିର୍ମାଣରେ ତ୍ରୁଟି ଯୋଗୁ ଗତକାଲି ରାତିତମାମ ବର୍ଷାପାଣିରେ ଶରଧାବାଲିରେ ରଥାରୂଢ଼ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଭିଜି ଓଦା ହୋଇଛି। ମହାପ୍ରଭୁଙ୍କ ଶ୍ରୀଭୁଜ ଓ ମସ୍ତକରେ ଟପ୍‌ ଟପ୍‌ ପାଣି ଗଳୁଥିବା ଦଇତା ସେବକମାନେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ରାତିରେ ରଥ ଉପରେ ଥିବା ଦଇତା ସେବକ ଏଭଳି ଦୃଶ୍ୟ ଦେଖିବା ପରେ ଚକିତ ହୋଇ ପଡ଼ିଥିଲେ। ରାତି ସାରା ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଭିଜିଥିବାରୁ ଭକ୍ତ ମହଲରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତାଳଧ୍ୱଜ ରଥରେ ପାଣି ଗଳୁଥିବାରୁ ବଡ଼ଠାକୁରଙ୍କ ଶ୍ରୀଅଙ୍ଗ ଓଦା ହୋଇଥିବା ପ୍ରଥମେ ଦୃଷ୍ଟିକୁ ଆସିବା ପରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ମଧ୍ୟ ପାଣି ଗଳୁଥିବା ଦେଖିବାକୁ ମିଳିଥିଲା। ଏ ସଂପର୍କରେ ଦଇତାପତି ସେବାୟତମାନେ ତତ୍‌କ୍ଷଣାତ ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ମନ୍ଦିର ପ୍ରଶାସନ ମଧ୍ୟ ଏହି ସମ୍ବେଦନଶୀଳ ଅଭିଯୋଗକୁ ଗୁରୁତର ସହକାରେ ଗ୍ରହଣ କରିଥିବା ଜଣାପଡ଼ିଛି।

ତେବେ କୋଟି କୋଟି ଓଡ଼ିଆଙ୍କ ପ୍ରାଣର ଦେବତାଙ୍କୁ ବର୍ଷାରେ ଭିଜାଇବା ଘଟଣା ଖାଲି ଭକ୍ତମାନଙ୍କ ଭାବାବେଗକୁ ଆଘାତ ପହଞ୍ଚାଇନି, ଏଭଳି ଏକ ଅକ୍ଷମଣୀୟ ତ୍ରୁଟି ଓ ଦାୟିତ୍ଵହୀନତା କାହା ଭୁଲ ପାଇଁ ହୋଇଛି, ଏଥିପାଇଁ ଦାୟୀ କିଏ ତାକୁ ନେଇ ଏବେ ତନାଘନା ଆରମ୍ଭ ହୋଇଛି।

ତେବେ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାଶ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

ତାଙ୍କ ନିକଟରେ ଏ ସଂକ୍ରାନ୍ତରେ କେହି ଲିଖିତ ଅଭିଯୋଗ କରିନଥିବା କହିଛନ୍ତି। ତେବେ ମହାପ୍ରଭୁ ଆଡ଼ପ ମଣ୍ଡପକୁ ବିଜେ ହେବା ପରେ ମହାପ୍ରଭୁଙ୍କ ରଥ ମରାମତି ହେବ ବୋଲି ପରୋକ୍ଷରେ ସ୍ୱୀକାର କରିଛନ୍ତି।

ରଥ ନିର୍ମାଣ କରୁଥିବା ଜଣେ ବିଶ୍ୱର୍କମାଙ୍କ କହିବା ଅନୁସାରେ, କନକମୁଣ୍ଡିରେ ତ୍ରୁଟି ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି। କିନ୍ତୁ ରଥ ନିର୍ମାଣରେ ଆଉ କିଛି ସମସ୍ୟା ନାହିଁ।

ଏଠାରେ ସୂଚନାଯୋଗ୍ୟ, କନକମୁଣ୍ଡି ମହାପ୍ରଭୁଙ୍କ ମସ୍ତକ ଉପରେ ରହି ଶ୍ରୀଅଙ୍ଗକୁ ସୁରକ୍ଷା ଦେଇଥାଏ।

ଅନ୍ୟପକ୍ଷରେ ଦଇତା ନିଯୋଗ ସଭାପତି ରାମକୃଷ୍ଣ ଦାସ ମହାପାତ୍ର ପାଣି ଗଳିବା ଘଟଣାକୁ ସ୍ୱୀକାର କରିଛନ୍ତି। କହିଛନ୍ତି, ଗତକାଲି ରାତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବର୍ଷାପାଣିରେ ଭିଜିଥିଲା। ଆସନ୍ତାକାଲି ରଥ କନକମୁଣ୍ଡି ମରାମତି ହୋଇପାରେ ବୋଲି ସେ ପ୍ରକାଶ କରିଛନ୍ତି।

ପ୍ରକାଶଥାଉକି, ଚଳିତ ବର୍ଷ ଯୋଡ଼ା ଆଷାଢ଼ ପଡ଼ୁଥିବାରୁ ଏଥର ରଥ ନିର୍ମାଣ ପାଇଁ ପର୍ଯ୍ୟାପ୍ତ ସମୟ ମିଳିଥିଲା। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ ପାଇଁ ପାଖାପାଖି ତିନି ମାସ ସମୟ ମିଳିଥିଲା। ରଥ ନିର୍ମାଣ କାମ ମଧ୍ୟ ଯଥେଷ୍ଟ ପୂର୍ବରୁ ସରିଥିଲା। ତେବେ ରଥରେ କନକମୁଣ୍ଡି ଲଗାଇଲା ବେଳେ ଏହାକୁ ଯାଞ୍ଚ କରାଯାଇନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରଥ ନିର୍ମାଣ ଯାଞ୍ଚ କମିଟି ଏବେ ଅଡ଼ୁଆରେ ପଡ଼ିଛି।

ନିୟମ ମୁତାବକ, ରଥ ନିର୍ମାଣ ତଦାରଖ କରିବାକୁ ଏକ ୧୧ ଜଣିଆ ଯାଞ୍ଚ କମିଟି ରହିଛି। ସେମାନେ ଯାଞ୍ଚ କରିବା ପରେ ରଥ ପାଇଁ ଏକ ପ୍ରମାଣପତ୍ର ଦେଇଥାନ୍ତି। ସେମାନଙ୍କ ପ୍ରମାଣପତ୍ରକୁ ଆଧାର କରି ରଥ ଠିକ୍‌ ଅଛି ବୋଲି ଧରି ନିଆଯାଇଥାଏ। ଚଳିତ ବର୍ଷ ମଧ୍ୟ ତାହା ହୋଇଥିଲା। ଏଥର ରଥ ଯାଞ୍ଚ ବେଳେ କନକ ମୁଣ୍ଡିରେ ଥିବା ତ୍ରୁଟି ପ୍ରତି କାହିଁକି ଧ୍ୟାନ ଦିଆଯାଇନଥିଲା ତାକୁ ନେଇ ପ୍ରଶ୍ନ ଉଠିଛି। କେଉଁ ପରିସ୍ଥିତିରେ ରଥରେ ମହାପ୍ରଭୁ ଭିଜିଲେ ତା’ର ତଦନ୍ତ କରିବାକୁ ବି ଦାବି ହୋଇଛି।

ସମ୍ବନ୍ଧିତ ଖବର