ଆଜି ତିନି ରଥ ନେବେ ଦକ୍ଷିଣମୋଡ଼

ପୁରୀ : ରଥଯାତ୍ରାଠାରୁ ଉତ୍ତରମୁହାଁ ହୋଇ ରହିଥିବା ତିନି ରଥ ଆସନ୍ତାକାଲି (ମଙ୍ଗଳବାର) ଦକ୍ଷିଣ ମୋଡ଼ ନେବେ। ଏହା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସଙ୍କେତ। ରଥ ଦକ୍ଷିଣ ମୋଡ଼ ପାଇଁ ଆଜିଠାରୁ ବଡ଼ଦାଣ୍ଡରେ ବାଲି ବିଛାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଏଥି ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରିଛି। ମଧ୍ୟାହ୍ନ ସାଢ଼େ ୧୨ଟାରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ନେଇ ଶରଧାବାଲିରେ ବାହୁଡ଼ା ପାଇଁ ପ୍ରସ୍ତୁତ ହୋଇ ରହିବେ। ପରମ୍ପରା ଅନୁସାରେ ପ୍ରଥମେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିକୁ ନିଆଯିବ। ଏହା ପରେ ବଡ଼ଠାକୁରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣମୁଖୀ କରି ରଖାଯିବ।

ଦକ୍ଷିଣମୋଡ଼ ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ, ଆସନ୍ତାକାଲି ଭୋର ୪ଟାରେ ଦ୍ବାରଫିଟା, ସାଢ଼େ ୪ଟାରେ ଭିତରଶୋଧ, ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ମଇଲମ-ତଡ଼ପଲାଗି, ୬ଟାରେ ଅବକାଶ ନୀତି ଅନୁଷ୍ଠିତ ହେବ। ସାଢ଼େ ୬ଟାରୁ ସାଢ଼େ ୭ଟା ସାହାଣମେଲା ଦର୍ଶନ ପରେ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ନୀତି ହୋଇ ବେଶ ଶେଷ ହେବ। ସାଢ଼େ ୧୨ଟାରେ ରଥ ଆଜ୍ଞାମାଳ ବିଜେ ହେବ। ଅପରାହ୍ଣ ୩ଟାରେ ମହାପ୍ରଭୁଙ୍କୁ ନୂଆଲୁଗା ଲାଗି ଓ ବେଶ ହେବ। ପୁନର୍ବାର ମଇଲମ ହୋଇ ରାତି ୧୧ଟାରେ ଚନ୍ଦନ ଲାଗି ହେବ। ରାତି ୧୨ଟାରେ ବଡ଼ସିଂହାର ବେଶ ଓ ରାତି ସାଢ଼େ ୧୨ଟାରେ ବଡ଼ସିଂହାର ଭୋଗ ହୋଇ ରାତି ଗୋଟାଏରେ ପହୁଡ଼ ହେବ।

ସମ୍ବନ୍ଧିତ ଖବର