ରତ୍ନଭଣ୍ଡାର ସୁରକ୍ଷା କଥା ସମସ୍ତେ ଭୁଲିଗଲେ

ରତ୍ନ ଭଣ୍ଡାର ମରାମତି ଆବଶ୍ୟକ କରୁଥିବା ନେଇ ବର୍ଷକ ତଳେ ରିପୋର୍ଟ ଦେଇଥିଲା ଏଏସ୍‌ଆଇ

ପୁରୀ : ଅସୁରକ୍ଷିତ ଅବସ୍ଥାରେ ରହିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ଭଣ୍ଡାର ଘର କାନ୍ଥରେ ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ବେଳେ ବର୍ଷା ହେଲେ ପାଣି ଝରୁଛି। ଆଜିକୁ ବର୍ଷକ ତଳେ ରତ୍ନ ଭଣ୍ଡାର ଯାଞ୍ଚ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଣମାଧ୍ୟମ ଆଗରେ କହିଥିଲେ, ସମୟ ସୁବିଧା ଦେଖି ଏହାର ଆବଶ୍ୟକ ମରାମତି କରାଯିବ। ଏହାମଧ୍ୟରେ ପ୍ରତ୍ନତତ୍ତ୍ବ ବିଭାଗର ବିଶେଷଜ୍ଞ କମିଟି ବି ରତ୍ନ ଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ଥିବା ରିପୋର୍ଟ ଦେଇସାରିଛି। ତଥାପି ରତ୍ନ ଭଣ୍ଡାରର ସୁରକ୍ଷାକୁ ନେଇ ନିରବି ଯାଇଛି ସମସ୍ତଙ୍କର ସ୍ବର। ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ମହାପ୍ରଭୁଙ୍କ ରତ୍ନଭଣ୍ଡାର ପ୍ରସଙ୍ଗକୁ ରାଜ୍ୟ ବିରୋଧୀ ଦଳ ବି ସଂପୂର୍ଣ୍ଣ ଭୁଲିଯାଇଛି।

ରତ୍ନଭଣ୍ଡାର ଭକ୍ତଙ୍କ ଭାବାବେଗ ସହ ଜଡ଼ିତ। ଏଠାରେ ମହାପ୍ରଭୁଙ୍କ ମହଣ ମହଣ ସୁନା ଅଳଙ୍କାର ରହିଛି। ବର୍ଷକ ତଳେ ରତ୍ନ ଭଣ୍ଡାରକୁ ନେଇ ତମ୍ବିତୋଫାନ ହୋଇଥିଲା। ସାରା ରାଜ୍ୟ ଉଠିଲା ପଡ଼ିଲା। ବହୁ ମାନସ ମନ୍ଥନ ପରେ ରତ୍ନ ଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। କାରଣ ଏହା ତୁରନ୍ତ ମରାମତି ଆବଶ୍ୟକ କରୁଥିବା ପ୍ରତ୍ନତତ୍ତ୍ବ ବିଭାଗ ରିପୋର୍ଟ ଦେଇଥିଲା। ‌େଶଷରେ ଅନେକ ବାଦବିବାଦ ମଧ୍ୟରେ ରତ୍ନଭଣ୍ଡାର ଖୋଲିବାକୁ ସ୍ବତନ୍ତ୍ର କମିଟି ଗଠନ ହେଲା। କିନ୍ତୁ ଦୁଆରୁ ମୁହଁରୁ ଚାବି ନପାଇ ଫେରି ଆସିଲା କମିଟି। ସାରା ରାଜ୍ୟବାସୀ ଉତ୍କଣ୍ଠାର ସହ ଚାହିଁ ରହିଥିବା ବେଳେ ଗଣମାଧ୍ୟମକୁ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ କି ରତ୍ନଭଣ୍ଡାର ଭିତରକୁ ଯାଇନଥିଲେ ବି ଦୂରରୁ ଏହାକୁ ଅନୁଧ୍ୟାନ କରାଯାଇଛି। ଦୁଆର ମୁହଁରୁ ଅନୁଧ୍ୟାନ ପରେ ଏହାର ଛାତରୁ କିଛି ଜାଗାରୁ ପାଣି ଗଳୁଥିବା ଏବଂ କାନ୍ଥର କିଛି ଜାଗାରେ ଫାଟ ହୋଇ ସେଥିରୁ ପାଣି ଜକଉଥିବା ଦେଖିବାକୁ ମିଳିଛି। ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଏହାର ମରାମତି ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ତତ୍କାଳୀନ ପ୍ରଶାସକ କହିଥିଲେ।

କିନ୍ତୁ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଭିତରେ ରତ୍ନ ଭଣ୍ଡାର ସୁରକ୍ଷା କଥାକୁ ସମ୍ପୂର୍ଣ୍ଣ ପାସୋରି ଦେଇଛନ୍ତି ସରକାର। ଏହା ମଧ୍ୟରେ ବର୍ଷେ ବିତିଗଲାଣି, ତଥାପି ସରକାର ଚୁପ୍ ହୋଇ ବସିଛନ୍ତି। ସେପଟେ ଶ୍ରୀମନ୍ଦିର ପ୍ରଶାସନର ସର୍ବୋଚ୍ଚ ନୀତି ନିର୍ଧାରକ ମନ୍ଦିର ପରିଚାଳନା କମିଟି ମଧ୍ୟ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଭୁଲିଯିବା ଦୁର୍ଭାଗ୍ୟଜନକ ବୋଲି ଭକ୍ତମାନେ କହିଛନ୍ତି। ଯେଉଁଠି ସରକାର, ପରିଚାଳନା କମିଟି ଏତେ ବଡ଼ ପ୍ରସଙ୍ଗକୁ ଭୁଲି ଯାଇଛନ୍ତି, ସେଠି ଅନ୍ୟମାନଙ୍କୁ କାହିଁକି ଦୋଷ ଦେବା ବୋଲି କହିଛନ୍ତି ଅନେକ ଶ୍ରୀଜଗନ୍ନାଥପ୍ରେମୀ। ବୁଦ୍ଧିଜୀବୀମାନଙ୍କ କହିବା କଥା ହେଲା, ରତ୍ନ ଭଣ୍ଡାର ମରାମତିର ପ୍ରକୃଷ୍ଟ ସମୟ ହେଉଛି ରଥଯାତ୍ରା। କାରଣ ଏହି ସମୟରେ ମହାପ୍ରଭୁ ଶ୍ରୀମନ୍ଦିରରୁ ରଥଯାତ୍ରାରେ ବାହାରି ୯ ଦିନ ମାଉସୀ ମା’ ଘ‌ରେ ଅବସ୍ଥାନ କରିବେ। ଏହି ନଅ ଦିନ ଶ୍ରୀମନ୍ଦିରରେ ସେତେଟା ଗହଳିଚହଳି ହୁଏନାହିଁ। ତେଣୁ ଘୋଷ ଯାତ୍ରା ସମୟରେ ରତ୍ନ ଭଣ୍ଡାର ମରାମତିରେ କୌଣସି ଅସୁବିଧା ହେବନି। ଆଗକୁ ପ୍ରବଳ ବର୍ଷା। ଯଦି ଏହି ସମୟରେ ମରାମତି କାମ କରାନଯାଏ ତେବେ ରତ୍ନଭଣ୍ଡାର ଆହୁରି ବିପଦ ଭିତରକୁ ଠେଲି ହୋଇଯିବ ବୋଲି ଭକ୍ତ ମହଲରେ ଆଶଙ୍କା ଜାତ ହୋଇଛି।

ସମ୍ବନ୍ଧିତ ଖବର