ସମୁଦ୍ର କୂଳ ଲଂଘିବା ଘଟଣା : ୫ରେ ଆସିବେ ବିଶେଷଜ୍ଞ ଦଳ

ପୁରୀ : ସମୁଦ୍ର କୂଳ ଲଂଘିବା ଘଟଣାର ଅନୁଧ୍ୟାନ ପାଇଁ ଆସନ୍ତା ୫ ଓ ୬ ତାରିଖରେ ଚେନ୍ନାଇ ନ୍ୟାସ୍‌ନାଲ ସେଣ୍ଟର ଫର୍‌ ସଷ୍ଟେନେବଲ୍‌ କୋଷ୍ଟାଲ୍‌ ମ୍ୟାନେଜମେଣ୍ଟ ଓ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓସନିକ୍‌ ଟେକ୍ନୋଲୋଜିର ବରିଷ୍ଠ ବିଶେଷଜ୍ଞ ଦଳ ପୁରୀ ଗସ୍ତରେ ଆସୁଛନ୍ତି। ଏହି ଦଳ ସ୍ୱର୍ଗଦ୍ୱାର ସମ୍ମୁଖ ଓ ବାଙ୍କି ମୁହାଣରେ ସମୁଦ୍ର କାହିଁକି କୂଳ ଖାଉଛି ତାର ଅନୁଧ୍ୟାନ କରିବା ସହ ସ୍ଥାୟୀ ପ୍ରତିକାର ଉପରେ ପ୍ରସ୍ତାବ ରଖିବେ। ଏହାବାଦ୍‌ ଏହି ଦଳ ରାମଚଣ୍ଡୀ ବି ଯିବାର କାର୍ଯ୍ୟକ୍ରମ ରହିଛି। ପୁରୀ ବ୍ୟତୀତ ବିଶେଷଜ୍ଞ ଦଳ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଓ ଅନ୍ୟାନ୍ୟ ଜିଲ୍ଲାକୁ ଯିବାର କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂଚନା ମୁତାବକ, ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓସନିକ୍‌ ଟେକ୍ନୋଲୋଜିର ବରିଷ୍ଠ ବିଶେଷଜ୍ଞ ଦଳ ଆସନ୍ତା ୫ ତାରିଖରେ ସମୁଦ୍ର କୂଳ ଲଂଘିବା ଘଟଣାର ଅନୁଧ୍ୟାନ କରି ପ୍ରତିକାର ପାଇଁ ପ୍ରସ୍ତାବିତ ୧୪ କୋଟି ଟଙ୍କାର ପ୍ରକଳ୍ପ ଉପରେ ମତାମତ ରଖିବେ। ଏହି ଦଳରେ ଡ. ଏମ୍‌ଭି ରାମାନୁଜନ୍‌ ମୂର୍ତି, ସତ୍ୟକିରଣ ରାଜୁ, ଅରୁଣ କୁମାର ଆଲୁଓ୍ଵାଲିଆ, ଓସନିକ୍‌ଗ୍ରାଫର୍‌ ଡ. ପି.କେ.ପାଣିଗ୍ରାହୀ ରହିଛନ୍ତି। ସେହିଭଳି ୬ ତାରିଖରେ ଚେନ୍ନାଇ ନ୍ୟାସ୍‌ନାଲ ସେଣ୍ଟର ଫର୍‌ ସଷ୍ଟେନେବଲ୍‌ କୋଷ୍ଟାଲ୍‌ ମ୍ୟାନେଜମେଣ୍ଟର ଟିମ୍‌ ସମୁଦ୍ର କୂଳ ସ୍ଥିତି ଅନୁଧ୍ୟାନ ପାଇଁ ଆସୁଛନ୍ତି। ମିଷ୍ଟର ମଣିକାନ୍ତ, ଇସାକ୍‌ ରଂଜନ, ଅରୁଣ କୁମାର, ମୁଲାରି ସାହା ଏହି ଦଳରେ ରହିଛନ୍ତି।

ସମ୍ବନ୍ଧିତ ଖବର