ପୁରୀରେ ସ୍ୱେରେଜ୍‌ କେଳେଙ୍କାରୀ : ମାଟି ତଳେ ପାଇପ୍‌ ନାହିଁ

ପୁରୀ : ପୁରୀ ସହରରେ ନିର୍ମିିତ ସ୍ୱେରେଜ୍‌ ବ୍ୟବସ୍ଥାରେ ଆଉ ଏକ କେଳେଙ୍କାରୀ ଧରାପଡ଼ିଛି। ସବୁ ନିର୍ମାଣ କାମ ସରିବା ପରେ କମିସନିଂ ସରିଛି। ଘରକୁ ଘର ସଂଯୋଗ ମଧ୍ୟ ଦିଆ ଚାଲିଛି। ଏ ନେଇ ସରକାରଙ୍କୁ ମଧ୍ୟ ରିପୋର୍ଟ ଯାଇଛି। ହେଲେ ମାଟି ତଳେ ପାଇପ୍‌ ନାହିଁ। ଖାଲି ମ୍ୟାନ୍‌ହୋଲ୍‌ କରି ଛାଡ଼ି ଦିଆଯାଇଛି। ସର୍ବୋଦୟ ନଗର ଗୁଣ୍ଡିଚା ବିହାରରେ ପାଇପ ଲାଇନ ଖୋଳା ଯାଉଥିବା ବେଳେ ମାଟି ତଳେ ପାଇପ୍‌ ନ ଥିବା ଧରାପଡ଼ିଛି। ପୂର୍ବରୁ ୫୦ ମିଟରରୁ ଊଦ୍ଧ୍ଵର୍ ମରାମତି ଆଳରେ ପାଇପ୍‌ ପକାଇ ଦେଇଥିବା ବେଳେ ଆଉ ଅଳ୍ପ ବାଟ ପାଇପ୍‌ ପକାଇବାକୁ ରହିଛି। ଏଣୁ ରାତି ଅଧିଆ ପାଇପ୍‌ ପକାଇବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏହା ଜଣାପଡ଼ିବା ପରେ ସର୍ବୋଦୟ ନଗରରେ କିଛି ଯୁବକ ପ୍ରତିବାଦ କରିଛନ୍ତି। ହେଲେ ଜଣେ ବଡ଼ ନେତାଙ୍କ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିବାରୁ ସେମାନେ ଚୁପ ହୋଇ ଯାଇଛନ୍ତି।

ସର୍ବୋଦୟ ନଗରରେ ସମସ୍ତ ଘରକୁ ସ୍ୱେରେଜ୍‌ ସଂଯୋଗ ଦିଆଯାଇଛି। ବିଭିନ୍ନ ସମୟରେ ଚାମ୍ବର ପୂର୍ଣ୍ଣ ହୋଇ ଆବର୍ଜନା ରାସ୍ତାରେ ଭାସିବାରୁ ଏହାକୁ ନେଇ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ତେବେ ମ୍ୟାନ୍‌ହୋଲ ଖୋଲି ପମ୍ପ ସାହାଯ୍ୟରେ କର୍ମଚାରୀ ମଇଳା ଉଠାଇବା ବେଳେ ମାଟି ତଳେ ପାଇପ୍‌ ନ ଥିବା ଜଣାପଡ଼ିଥିଲା। ହେଲେ ସେତେବେଳେ ଏହା ପଦାକୁ ଆସିନଥିଲା। ଏବେ ଏହି କେଳେଙ୍କାରୀ ଧରାପଡ଼ିଛି। ତେବେ ପାଇପ୍‌ ନ ପକାଇ କିଭଳି କମିସନିଂ ହେଲା, କିଭଳି ଘରକୁଘର ସଂଯୋଗ ଦିଆଯିବା ସହ ସରକାରଙ୍କୁ ରିପୋର୍ଟ ଗଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମସ୍ତେ ମିଳିମିଶି ୮୦ କୋଟିରୁ ପାଖାପାଖି ୫୦ କୋଟି ଲୁଟି ଥିବା ବେଳେ ଏବେ ମରାମତି ଆଳରେ ଖର୍ଚ୍ଚ ହେଉଥିବା ୨୦ କୋଟିରୁ ଆଉ ୧୦ କୋଟି ଚଳୁ ଯୋଜନା ରହିଛି। କେବଳ ସର୍ବୋଦୟ ନଗର ଗୁଣ୍ଡିଚା ବିହାର ନୁହେଁ, ଏଭଳି ବିଭିନ୍ନ ଜାଗାରେ ଲୁଟି ନିଆଯାଇଛି।

ସହରବାସୀଙ୍କ ପାଇଁ ସ୍ୱାଚ୍ଛନ୍ଦ୍ୟ ଜୀବନଯାପନର ସ୍ୱପ୍ନ ନେଇ କାର୍ଯ୍ୟକ୍ଷମ ହୋଇଥିବା ସ୍ୱେରେଜ୍‌ ବ୍ୟବସ୍ଥା ଏବେ ଯମ ପାଲଟିଛି। ସହରର ବିଭିନ୍ନ ସ୍ଥାନରେ ପାଇପ ଦବି ଗାଡ଼ ହୋଇଯାଉଛି। ଏ ଯାବତ୍‌ ୧୭ ଗାଡ଼ ହୋଇଥିବା ବେଳେ ରାସ୍ତା ଦବି ଚାଲିଛି। ଏହାକୁ ମରାମତି ନ କରି କେବଳ ମାଟି ପକାଇ ପୋତି ଦିଆଯାଉଛି। ଏଥିନେଇ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ସଚେତନ ନାଗରିକ ମଞ୍ଚର ପ୍ରସନ୍ନ ଦାଶ ଅଭିଯୋଗ କରିବା ପରେ ଏହାର ଭିଜିଲାନ୍‌ସ୍‌ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର