ସମ୍ବିଧାନର ଆମୂଳଚୂଳ ପରିବର୍ତ୍ତନ ଆବଶ୍ୟକତା ରହିଛି: ପୁରୀ ଶଙ୍କରାଚାର୍ଯ୍ୟ

ଭୁବନେଶ୍ୱର : ଭାରତକୁ ଯଦି ବିଶ୍ୱଗୁରୁର ସ୍ଥାନରେ ଆମେ ଦେଖିବା ପାଇଁ ଚାହୁଁଥାଉ, ତେବେ ଆମ ସମ୍ବିଧାନର ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ରହିଛି। ଧର୍ମ ସମ୍ରାଟ ପୂଜ୍ୟ କରପାତ୍ରୀଜୀ ମହାରାଜଙ୍କ ଦ୍ୱାରା ୧୯୪୮ ମସିହାରେ ପ୍ରତିଷ୍ଠିତ ରାଜନୈତିକ ଦଳ ରାମରାଜ୍ୟ ପରିଷଦକୁ ସରସ୍ୱତୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଏହି ମତ ଦେଇଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ ଆମେ ପୁନଃ ଗଠିତ କରିଥିବା ରାମରାଜ୍ୟ ପରିଷଦ କୌଣସି ରାଜନୈତିକ ପ୍ରକ୍ରିୟାରେ ଭାଗ ନେବ ନାହିଁ। ସମାଜରେ ତଳେ ପଡ଼ିଥିବା ଜନତାର ସର୍ବବିଧ କଲ୍ୟାଣ ପାଇଁ କାର୍ଯ୍ୟ କରିବ। ପ୍ରଶାସନକୁ ସୁଚିନ୍ତିତ ପରାମର୍ଶ ଦେବା ସହ ଆବଶ୍ୟକସ୍ଥଳେ ସଂଗଠନ ଶକ୍ତି ପ୍ରଦର୍ଶନ କରି ଜନମଙ୍ଗଳ କାର୍ଯ୍ୟରେ ହେଉଥିବା ଦୁର୍ନୀତି ଭ୍ରଷ୍ଟାଚାର, ଅନ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବ।

ଉତ୍ତର ପ୍ରଦେଶର ବୃନ୍ଦାବନଠାରେ ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ନିଜସ୍ୱ ଆଶ୍ରମ ଶ୍ରୀହରିହର ଆଶ୍ରମଠାରେ ଅନୁଷ୍ଠିତ ଏହି ଦୁଇଦିନିଆ ସଂଗୋଷ୍ଠୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀହରିହର ଆଶ୍ରମର ବ୍ୟବସ୍ଥାପକ ଆଚାର୍ଯ୍ୟ ବିବେକ ମିଶ୍ର ସ୍ୱାଗତ ଭାଷଣ ଦେବା ପରେ ରାମ ରାଜ୍ୟ ପରିଷଦର ନିରୀକ୍ଷକ ସ୍ୱାମୀ ନିର୍ବିକଳ୍ପାନନ୍ଦ ମହାରାଜ କାର୍ଯ୍ୟକ୍ରମର ରୂପରେଖ ଦେବା ସହ ଭବିଷ୍ୟତ କାର୍ଯ୍ୟକ୍ରମ ବିଷୟରେ ମତବ୍ୟକ୍ତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସଂଯୋଜକ ମନୋଜ ରଥ ପରିଚାଳନା କରିଥିଲେ।

ଏହି ଦୁଇଦିନିଆ ସଂଗୋଷ୍ଠୀରେ ଉତ୍ତର ପ୍ରଦେଶ, ବିହାର, ପଞ୍ଜାବ, ହରିଆନା, ଛତିଶଗଡ଼, ଓଡ଼ିଶା, ମଧ୍ୟପ୍ରଦେଶ, ରାଜସ୍ଥାନ ପ୍ରଭୃତି ୧୫ଟି ରାଜ୍ୟରୁ ୫୫ ଜଣ ପ୍ରତିନିଧି ଯୋଗଦେଇଥିଲେ। ଓଡ଼ିଶା ରାଜ୍ୟ ସଂଯୋଜକ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଆଦିତ୍ୟ ବାହିନୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେମନ୍ତ ଦାସ, କୋଷାଧ୍ୟକ୍ଷ କିଶନ ଭରତିଆ ଯୋଗଦେଇ କନ୍ୟାସନ୍ତାନର ସୁରକ୍ଷା ଓ ପର୍ଯ୍ୟାବରଣ ଉପରେ ମତାମତ ଦେଇଥିଲେ। ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ କୃଷକ ମୋର୍ଚ୍ଚାର ଉପାଧ୍ୟକ୍ଷ ନରେଶ ସିରୋହି କୃଷକ କଲ୍ୟାଣ ପାଇଁ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ। ରାମ ରାଜ୍ୟ ପରିଷଦର ଦ୍ୱିତୀୟ ପୂର୍ଣ୍ଣାଙ୍ଗ ଅଧିବେଶନ ୨୦୧୮ ମସିହା ଜାନୁଆରୀ ୩ରେ ପୁରୀଠାରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ଜ୍ଞାନେନ୍ଦ୍ରଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର