ପୁରୀ : ଶ୍ରୀମନ୍ଦିର ପ୍ରତି ଏଏସ୍ଆଇର ଚରମ ଅବହେଳା। ଦାୟିତ୍ବହୀନତାର ସମସ୍ତ ସୀମା ପାର୍ କରିଛି ଏଏସ୍ଆଇ। ୩ ତାରିଖ ପ୍ରଳୟଙ୍କରୀ ବାତ୍ୟାରେ ଶ୍ରୀମନ୍ଦିର ବିଭିନ୍ନ ଦିଗରୁ ପ୍ରଭାବିତ ହୋଇଥିବା ବେଳେ ୬ ଦିନ ପରେ ମଧ୍ୟ ଏଏସ୍ଆଇ ଟିମ୍ ଶ୍ରୀମନ୍ଦିର ସ୍ଥିତି ଯାଞ୍ଚ କରିନାହିଁ। ଫଳରେ କ୍ଷୟକ୍ଷତି ଆକଳନ କରାଯାଇ ପାରୁନାହିଁ। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି।
ବାତ୍ୟା ‘ଫନି’ ସମଗ୍ର ପୁରୀ ଜିଲ୍ଲାର ମାନଚିତ୍ରକୁ ବଦଳାଇ ଦେଇଛି। ଏଥିରୁ ବାଦ୍ ପଡ଼ିନାହିଁ ହିନ୍ଦୁଧର୍ମର ପ୍ରାଣକେନ୍ଦ୍ର ଶ୍ରୀମନ୍ଦିର। ବାତ୍ୟାରେ ଶ୍ରୀମନ୍ଦିର ପ୍ରଭାବିତ ହେବାର କେବେ ରେକର୍ଡ ନଥିଲେ ମଧ୍ୟ ଏଥର ‘ଫନି’ ଯୋଗୁ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ହେଲେ ପ୍ରଭାବ କେତେ ଗମ୍ଭୀର ତାର ଆକଳନ କେବଳ ଏଏସ୍ଆଇ କରିପାରିବ। ମାତ୍ର ଏ ପର୍ଯ୍ୟନ୍ତ ଏଏସ୍ଆଇ ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ କରିନାହିଁ। ବାତ୍ୟା ପରେ ଶ୍ରୀମନ୍ଦିର ନୀଳଚକ୍ର ସାମାନ୍ୟ ବଙ୍କିଥିବା ଚୂନରା ସେବକମାନେ କହିଛନ୍ତି। ଯାହା ତୁରନ୍ତ ଯାଞ୍ଚ କରାଯିବା ଆବଶ୍ୟକ। କେବଳ ସେତିକି ନୁହେଁ, ଗର୍ଭଗୃହରେ ଥିବା ରତ୍ନ ସିଂହାସନରେ ପାଣି ପଡ଼ିଛି। ୧୮ ଫୁଟ୍ର ଶକ୍ତ କାନ୍ଥ ଭେଦି ପାଣି କିପରି ପଡ଼ିଲା ତାହା ମଧ୍ୟ ଯାଞ୍ଚ କରାଯିବା ଜରୁରି।
ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ନୀଳଚକ୍ର ପର୍ଯ୍ୟନ୍ତ ଲୁହାଭାରା ବାନ୍ଧିଥିଲା ଏଏସ୍ଆଇ। ଯାଞ୍ଚ ପରେ ତାକୁ କାଢ଼ି ଦିଆଯିବା କଥା। ମାତ୍ର ତାହା କଲାନାହିଁ। ଏଏସ୍ଆଇର ଏହି ଦାୟିତ୍ବହୀନତା ପାଇଁ ଏବେ ଶ୍ରୀମନ୍ଦିରକୁ ଭୋଗିବାକୁ ପଡ଼ିଛି ପରିଣାମ। ‘ଫନି’ ମାଡ଼ରେ ଟନ୍ ଟନ୍ ଓଜନର ଲୁହାଭାରା ଉପୁଡ଼ି ବାହାରି ଯାଇଛି। ଯାହାଫଳରେ ସିଂହ ମୂର୍ତ୍ତି ଭାଙ୍ଗି ଯାଇଛି। ଅନେକ ସ୍ଥାନରୁ ପଥର ଭାଙ୍ଗିଥିବା ବେଳେ ମନ୍ଦିରର କଳାକୃତି ବି ନଷ୍ଟ ହୋଇଯାଇଛି। ଲୁହାଭାରା ମାଡ଼ରେ ତିନି ଧାଡ଼ି ପଥର ଘୁଞ୍ଚି ଯାଇଥିବା ବେଳେ ମୁକ୍ତିମଣ୍ଡପ ଛାତରୁ ପଥର ଏବଂ ବେହରଣ ଦ୍ବାର ଖମ୍ବରୁ ପ୍ଲାଷ୍ଟର ଖସିଛି। ଏହାବ୍ୟତୀତ ସାକ୍ଷୀଗୋପାଳ, ବିମଳା ମନ୍ଦିର ମଧ୍ୟ ପ୍ରଭାବିତ ହୋଇଛି। ସିଂହଦ୍ବାରରେ ପ୍ରଭାବ ଅଧିକ ରହିଛି। ଯେଉଁଠି ଜୟମୂର୍ତ୍ତି ଭାଙ୍ଗି ଗଳି ପଡ଼ିଛି। ଏମିତି ଅନେକ ସ୍ଥାନରେ ଶ୍ରୀମନ୍ଦିର ପ୍ରଭାବିତ ହୋଇଛି।
ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ଏଏସ୍ଆଇର। ବାତ୍ୟା ପରେ କ୍ଷୟକ୍ଷତି ଆକଳନ ବା ସ୍ଥିତି ଯାଞ୍ଚ କରିବା ଦାୟିତ୍ବ ମଧ୍ୟ ଏଏସ୍ଆଇର। ହେଲେ ବାତ୍ୟାର ୬ ଦିନ ପରେ ବି ଏଏସ୍ଆଇର କୌଣସି ଟିମ୍ ଯାଞ୍ଚ ପାଇଁ ଶ୍ରୀମନ୍ଦିର ଆସିନାହାନ୍ତି। ଶ୍ରୀମନ୍ଦିରର ସ୍ଥିତି କ’ଣ, ବାତ୍ୟା ମନ୍ଦିର ଢ଼ାଞ୍ଚାକୁ କେତେ ପ୍ରଭାବିତ କରିଛି, ଏହାର ମାତ୍ରା କେତେ ତାହା ଜାଣିବା ପାଇଁ କୋଟି କୋଟି ଭକ୍ତ ଚାହିଁ ରହିଥିବା ବେଳେ ଏଥିପ୍ରତି ଗୁରୁତ୍ବ ନଦେଇ ସାଂଘାତିକ ଦାୟିତ୍ବହୀନତାର ପରିଚୟ ଦେଇଛି ଏଏସ୍ଆଇ। ଲୁହାଭାରା ଭୁଶୁଡ଼ିବା ପରେ କେବଳ ତାକୁ ସଫା କରି ନିରବରେ ବସିଯାଇଛି। ଯାହା ସୂଚନା ମିଳିଛି, ଏଏସ୍ଆଇର ବୈଷୟିକ କମିଟି ଦିନେ ଦୁଇଦିନ ମଧ୍ୟରେ ମନ୍ଦିର ସ୍ଥିତି ଅନୁଧ୍ୟାନ ପାଇଁ ଆସିବେ।