ଶ୍ରୀମନ୍ଦିର ଦୀପ ଘିଅରେ ବି ଅପମିଶ୍ରଣ! ଓମଫେଡ୍‌ ଡବାରେ ଭରାଯାଉଛି ନକଲି ଘିଅ

ଓମ୍‌ଫେଡ ଦେଉଛି ରିହାତିରେ ଘିଅ, ତଥାପି ଲୋଭ

ପୁରୀ : ମହାପ୍ରସାଦ ପ୍ରସ୍ତୁତିରେ ଷ୍ଟିମ୍‌ ରାଇସ୍‌ ଓ ପଚା ପରିବା ବ୍ୟବହାର ହେଉଥିବା ଅଭିଯୋଗ ପରେ ଏବେ ଦୀପରେ ଭେଜାଲ ଘିଅ ବ୍ୟବହାର ହେଉଥିବା କଥା ଉଠିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଲାଗିବ ବିଶୁଦ୍ଧ ଘିଅ। ଏଥି ପାଇଁ ଜାରି ହୋଇଛି ନିର୍ଦ୍ଦେଶନାମା। ଭେଜାଲ ଘିଅ ଦେ‌ଲେ ହେବ କାର୍ଯ୍ୟାନୁଷ୍ଠାନ। କୌଣସି ପରିସ୍ଥିତିରେ ବି ଘିଅରେ ସାଲିସ କରାଯିବ ନାହିଁ। ଠିକ ଘିଅ ଦିଆଯାଉଛି କି ନାହିଁ ତା’ର ତଦାରଖ ହେବ। ନିୟମିତ ବ୍ୟବଧାନରେ ଦୀପ ଦୋକାନରେ ବିକ୍ରି ହେଉଥିବା ଘିଅ ଯାଞ୍ଚ କରାଯିବ। ୨୦୧୭ରୁ ଏହି ବ୍ୟବସ୍ଥା ହୋଇଛି।

ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘିଅ ଯାଞ୍ଚ କରାଯାଉ ନଥିବାରୁ ଏବେ ଶ୍ରୀମନ୍ଦିରରେ ଅପମିଶ୍ରିତ ଘିଅ ବିକ୍ରି କରାଯାଉଛି। ଓମଫେଡ୍‌ ଡବାରୁ ବାହାର କରି ଦିଆଯାଉଥିବା ଘିଅ ଓମଫେଡର ନୁହେଁ, ବରଂ ଓମଫେଡ୍‌ ଡବାରେ ଦୋକାନୀ ଶସ୍ତ‌ା ତଥା ଅପମିଶ୍ରିତ ଘିଅ ଆଣି ବିକ୍ରି କରୁଥିବା ଶ୍ରୀମନ୍ଦିରରେ କ‌ାର୍ଯ୍ୟରତ କର୍ମଚାରୀ, ଭକ୍ତ ଅଭିଯୋଗ କରୁଛନ୍ତି। ଏହା ଦ୍ବାରା ଦୀପ ଭଲ ନ ଜଳିବା ସହ କଳା ଆସ୍ତରଣ ହେଉଛି।

ଶ୍ରୀମନ୍ଦିର ପ୍ରଶାସନ ଅତର୍କିତ ଚଢ଼ଉ କଲେ ଓମଫେଡ୍‌ ଡବାରେ ଥିବା ଶସ୍ତ‌ା ଘିଅର ରହସ୍ୟ ପଦାକୁ ଆସିବ ବୋଲି ଜଣେ କର୍ମଚାରୀ ତାଙ୍କ ନାମ ଗୋପନ ରଖି କହିଛନ୍ତି। ଏପରିକି କିଛି ନକଲି ଘିଅ ବ୍ରହ୍ମପୁର ଅଞ୍ଚଳରୁ ଆସି ପୁରୀ ହେରାଗୌରୀସାହିର ଏକ ଗଳିରେ ମହଜୁଦ ରହୁଛି। ରାତିରେ ଏହା ଆସୁଛି। ଏହି ଘିଅ ମନ୍ଦିରକୁ ଯାଉଥିବା ଅଭିଯୋଗ ହୋଇଛି।

ଓମଫେଡ୍‌ରୁ ରିହାତି ଦରରେ ଘିଅ ପାଇ ମଧ୍ୟ ଶସ୍ତା ତଥା ଅପମିଶ୍ରିତ ଘିଅ ଦିଆଯାଉଥିବାରୁ ମନ୍ଦିର ପ୍ରଶାସନ ଏହା ଉପରେ ଚଢ଼ଉ କରିବାକୁ ଦାବି ହୋଇଛି। ତେବେ କିଛି ଦୋକାନୀ ଭଲ ଘିଅ ଦେଉଥିବା ବେଳେ ଆଉ କିଛି ଲାଭଖୋର ମନୋବୃତ୍ତି ରଖି ଖୁଲମଖୁଲା ଅପମିଶ୍ରଣ କରୁଥିବା ଅଭିଯୋଗ ହୋଇଛି। ପୂର୍ବରୁ ଶ୍ରୀମନ୍ଦିରରେ ନିମ୍ନମାନର ଘିଅ ଦିଆଯାଉଥିଲା। ଏହି ଅପମିଶ୍ରିତ ଘିଅ ଜାଳିବା ଦ୍ବାରା ମନ୍ଦିର କଳା ପଡୁଥିଲା, ପରିବେଶ ଦୂଷିତ ହେଉଥିଲା। ଏ ନେଇ ଅଭିଯୋଗ ହେବା ପରେ ଗତ ୨୦୧୭ରେ ତତ୍କାଳୀନ ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ଶ୍ରୀମନ୍ଦିରରେ କେବଳ ଓମଫେଡ୍‌ ଘିଅ ଦିଆଯିବ ବୋଲି ଏକ ମହତ ପଦକ୍ଷେପ ନେଇଥିଲେ। ଦୀପ ଦୋକାନୀ କେବଳ ଓମଫେଡ୍‌ ଘିଅ ହିଁ ଦେବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନିୟମିତ ଯାଞ୍ଚ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା।

ମାତ୍ର ଶ୍ରୀମନ୍ଦିର ପରିସରରେ ଦୀପ ଦୋକାନର ଘିଅ ଯାଞ୍ଚ କରାଯାଉ ନାହିଁ। ଦୀପ ଦୋକାନୀ ସମସ୍ତଙ୍କୁ ଦେଖାଇବା ପାଇଁ ଓମଫେଡ ଡବା ରଖିଛନ୍ତି। ଓମଫେଡ ଡବାରୁ ବାହାର ଘିଅ ବି ଦୀପରେ ଦେଉଛନ୍ତି। ତେବେ ଏହା ଓମଫେଡ୍‌ ନୁହେଁ ବୋଲି ଅଭିଯୋଗ ହୋଇଛି। ଓମଫେଡ୍‌ ଡବାରେ ନିମ୍ନମାନର ଘିଅ ଭର୍ତ୍ତି କରାଯାଇ ମହଜୁଦ ରଖାଯାଉଛି। ଯାଞ୍ଚ ଦାୟିତ୍ବରେ ଥିବା କର୍ମଚାରୀ ବି ଏହି ଦୁର୍ନୀତିରେ ସାମିଲ ଥିବା ଅଭିଯୋଗ ହେଉଛି। ମନ୍ଦିର ଚାରିଦ୍ବାର ଦେଇ କିଭଳି ଏହି ନକଲି ଘିଅ ଯାଉଛି ତାକୁ ନେଇ ମଧ୍ୟ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଆପତ୍ତି ଉଠାଇଛନ୍ତି। ଶ୍ରୀମନ୍ଦିର ପରିସରର ସାତପାହାଚ, ଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର, ବଟ ଗଣେଶ, କାଶୀ ବିଶ୍ବନାଥ, ସତ୍ୟନାରୟଣଙ୍କ ପାଖରେ ଦୀପ ବିକ୍ରି କରାଯାଉଛି। ଅନ୍ୟପକ୍ଷରେ ଓମଫେଡ୍‌ ରିହାତି ଦରରେ ଘିଅ ‌ ଯୋଗାଉଥିଲେ ବି ଅଧିକ ଲାଭ ଆଶାରେ ଏଥିରେ ମଧ୍ୟ ଅପମିଶ୍ରଣ କରାଯାଉଛି। ଏ ସଂପର୍କରେ ଶ୍ରୀମନ୍ଦିର ପରିଚାଳାନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, ମନ୍ଦିର ଚାରିଦ୍ବାର ଦେଇ ଯଦି ଘିଅ ଯାଉଛି, ଏଥିପାଇଁ ଦାୟିତ୍ବରେ ଥିବା ସୁପରଭାଇଜର, କମାଣ୍ଡର୍‌ ଦାୟୀ। ଏ ଘିଅ ମନ୍ଦିର ଭିତରକୁ ଯାଉଛି କେମିତି ପ୍ରଥମେ ତା’ର ଯାଞ୍ଚ କରାଯାଉ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର