ଗୁପ୍ତ ରହିବ ବ୍ରହ୍ମ ବିଭ୍ରାଟ ରିପୋର୍ଟ

ପୁରୀ : ୨୦୧୫ ନବକଳେବର ବ୍ରହ୍ମ ବିଭ୍ରାଟ ରିେପାର୍ଟକୁ ନେଇ ଲାଗି ରହିଥିବା ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଆଜି ତିନି ଜଣିଆ ସବ୍ କମିଟି ରିେପାର୍ଟ ତର୍ଜମା କରି ଶ୍ରୀମନ୍ଦିର ପରିଚାଳନା କମିଟିକୁ ପ୍ରଦାନ କରିଛନ୍ତି। ତେବେ ବ୍ରହ୍ମ ପରିବର୍ତ୍ତନ ମହାପ୍ରଭୁଙ୍କ ଶ୍ରେଷ୍ଠ ନୀତି ବୋଲି ଦର୍ଶାଇ ଶ୍ରୀମନ୍ଦିର ପ୍ରଶାସନ ଏହି ରିେପାର୍ଟକୁ ଗୋପନ ରଖିଛି। କେବଳ ସେତିକି ନୁହେଁ, ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା କାରଣରୁ ଏହି ରିପୋର୍ଟକୁ କୌଣସି ପରିସ୍ଥିତିରେ ସାର୍ବଜନୀନ କରାଯାଇପାରିବ ନାହିଁ ବୋଲି ଆଜି ଶ୍ରୀମନ୍ଦିର ପରିଚାଳନା କମିଟିି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଏପରିକି ରିପୋର୍ଟର ଗୋପନୀୟତା ରକ୍ଷା ପାଇଁ ଏହା ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ ନାହିଁ। ଅର୍ଥାତ୍‌ ସୂଚନା ଅଧିକାର ଆଇନ ବଳରେ ମାଗିଲେ ବି ଏହି ତଥ୍ୟ ମିଳିବନି।

ତେବେ ମହାପ୍ରଭୁଙ୍କ ବ୍ରହ୍ମ ପରିବର୍ତ୍ତନ ସମୟରେ ବିଭ୍ରାଟ ହୋଇଥିବା କଥାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ବୀକାର କରିଛନ୍ତି। ୧୦ରୁ ୧୫ ଜଣ ସେବକଙ୍କ ଯୋଗୁ ଏହି ବିଶୃଙ୍ଖଳା ଉପୁଜିଥିବା ମୁଖ୍ୟ ପ୍ରଶାସକ ପ୍ରକାଶ କରି ଦୋ‌ଷୀ ସେବକଙ୍କ ବି‌ରୋଧରେ ଆସନ୍ତା ତିିନି ମାସ ଭିତରେ ଧାରା (୨୧) ବି ମୁତାବକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

ଆଜି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶ‌ାସନ କାର୍ଯ୍ୟାଳୟରେ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଥିିଲା। ଏଥିରେ ସୁପ୍ରିମକୋର୍ଟ ଦେଇଥିବା ଅନ୍ତରୀଣ ଆଦେଶକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା। ଆମିକସ୍‌ କ୍ୟୁରି ପୁରୀରୁ ଯିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ଚିଠି ଲେଖିଛନ୍ତି। ବଂଶାନୁକ୍ରମିକ ସେବା ଓ ପରମ୍ପରାକୁ ଆମିକସ୍‌ କ୍ୟୁରି ସୁରକ୍ଷିତ ରଖିପାରନ୍ତି। ତେବେ ଏଥିପାଇଁ ସର୍ତ୍ତମୂଳକ ଅନୁମତି ମିଳିବ। ଆମିକସ୍‌ କ୍ୟୁରି ଏଥିପାଇଁ ନିଯୋଗମାନଙ୍କ ପାଖରୁ ଅଣ୍ଡରଟେକିଂ ମାଗିଛନ୍ତି। ଠିକ ସମୟରେ ମହାପ୍ରଭୁଙ୍କ ସେବା, ପୂଜା ସାଙ୍ଗକୁ ସ୍ବଚ୍ଛତାକୁ ଗୁରୁତ୍ବ ଦେବା ଅାଦି ପ୍ରସଙ୍ଗରେ ନିଯୋଗଗୁଡିକ ତାଙ୍କ ତରଫରୁ ଅଣ୍ଡରଟେକିଂ ଦେବେ। ବିଶେଷ କରି ବଂଶାନୁକ୍ରମିକ ପରମ୍ପରା ଉପରେ ଆମିକସ୍‌ କ୍ୟୁରି ସବିଶେଷ ତଥ୍ୟ ମାଗିଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ।
ଏହାଛଡ଼ା ବୈଠକରେ ଶ୍ରୀଜଗନ୍ନାଥଙ୍କ ଜମି କିଣାବିକା ପାଇଁ ପ୍ରସ୍ତୁତ ନୂଆ ୟୁନିଫର୍ମ ପଲିସି ପରିଚାଳନା କମିଟିରେ ଅନୁମୋଦନ ଲାଭ କରିଛି। ଜମି ଦରରେ ଦୁଇଗୁଣା ବୃଦ୍ଧି କରାଯାଇଛି। ‌େସବକଙ୍କ ଦଖଲରେ ଜମି ଥିଲେ ତାଙ୍କୁ କେବଳ ଘର ବାଡି ପାଇଁ ୧୦ ଡିସିମିଲ ଜମି ପ୍ରଦାନ କରାଯିବ। ଅବଶିଷ୍ଟ ଜମି ଧାର୍ଯ୍ୟ ଦର ଦେଇ ମନ୍ଦିର ପ୍ରଶାସନଠାରୁ ସେବକମାନେ କିଣି ପାରିବେ।

ସେହିଭଳି ଆସନ୍ତା ଅକ୍ଟୋବର ପହିଲାରୁ ଧାଡି ଦର୍ଶନ ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ। ଭକ୍ତମ‌ାନେ ସିଂହଦ୍ବାର ଦେଇ ପ୍ରବେଶ କରିବେ ଏବଂ ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ କରିବେ। ଏଥି ପାଇଁ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଓ ପୁରୀ ଏସ୍‌ପି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଭକ୍ତମାନେ ପ୍ରଥମେ ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିବେ। ମନ୍ଦିର ଚାରିପାଖରେ ୮ ଫୁଟ୍ ଗ୍ରୀନ୍ ବେଲଟ୍ ଓ ୧୮ ଫୁଟ୍‌ ଖାଲି ଅଞ୍ଚଳ ରହିବ।

ଶ୍ରୀମନ୍ଦିରରେ ଦାନ ଦକ୍ଷିଣାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ କରିବା ନିମନ୍ତେ ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି। ଖୁବ ଶୀଘ୍ର ଦିନ ଧାର୍ଯ୍ୟ କରାଯାଇ ଏହାକୁ କାର୍ଯ୍ୟକାରୀ କରାଯିବ। ଶ୍ରୀମନ୍ଦିରରେ ଦାନଦକ୍ଷିଣା ସଂପୂର୍ଣ୍ଣ ବନ୍ଦ ରହିବ। କୌଣସି ଥାଳି, ଗରା ରହିବ ନାହିଁ। ମନ୍ଦିରରେ ଗୋଟିଏ ହୁଣ୍ଡି ବଦଳରେ ୪ଟି ହୁଣ୍ଡି ଓ ଦୁଇଟି ଦାନ ବାକ୍ସ ରହିବ। ଭିତରକାଠ ଓ ବାହାରକାଠ ନିକଟରେ ଦୁଇଟି ଦାନବାକ୍ସ ରଖାଯିବ। ଅନ୍ୟ ହୁଣ୍ଡିଗୁଡିକ କେଉଁଠି ରହିବ ତାହା କମିଟି ଅନୁଧ୍ୟାନ କରିବା ପରେ ନିଷ୍ପତ୍ତି ହେବ। ହୁଣ୍ଡି ଅର୍ଥ ଗଣତି ବ୍ୟବସ୍ଥା ମଧ୍ୟ ଶୃଙ୍ଖଳିତ କରାଯିବ। ହୁଣ୍ଡିରେ ପଡୁଥିବା ଦାନ ସୁନାକୁ ନାଜିରଖାନାରେ ରଖାନଯାଇ ପ୍ରତି ସୋମବାର ଦିନ ଏସ୍୍ବିଆଇ ଲକରରେ ରଖାଯିବ। ମହାପ୍ରଭୁଙ୍କ ଅଳଙ୍କାର ମରାମତି ପାଇଁ ଦୁଇ କିଲୋ ସୁନା ମହଜୁଦ୍‌ ରହିବ। ପରିଚାଳନା କମିଟିର ନିଷ୍ପତ୍ତି ମୁତାବକ, ଶ୍ରୀମନ୍ଦିର‌ ପ୍ରଶାସନର କର୍ମଚାରୀ ସଂଖ୍ୟା ହ୍ରାସ ସାଙ୍ଗକୁ ଆକାଉଣ୍ଟିଂ ବ୍ୟବସ୍ଥାକୁ ଅନ୍‌ଲାଇନ୍‌ କରାଯିବ।

କେବଳ ବଂଶାନୁକ୍ରମିକ ପରମ୍ପରା ଉଚ୍ଛେଦ ଓ ଶ୍ରୀମନ୍ଦିର ଆଇନ ସଂଶୋଧନକୁ ଛାଡିଦେ‌େଲ ଅନ୍ୟ ସମସ୍ତ ଆଦେଶକୁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଆଜିର ବୈଠକରେ ସ୍ଥିର ହୋଇଛି। ଆନନ୍ଦବଜାର ଅବଢା ଦର ତାଲିକା ସଂପର୍କରେ ପରେ ନିଷ୍ପତ୍ତି ହେବ। ଶ୍ରୀମନ୍ଦିର ଆଇନ ପରିବର୍ତ୍ତନ ପ‌ାଇଁ ରାଜ୍ୟ ସରକାରଙ୍କ ଅତିରିକ୍ତ ଆଇନ ସଚିବଙ୍କୁ ଦାୟିତ୍ବ ଦିଆଯାଇଛି। ଆସନ୍ତା ଅକ୍ଟୋବର ଦ୍ବିତୀୟ ସପ୍ତାହ ସୁଦ୍ଧା ସେ ତାଙ୍କର ପ୍ରସ୍ତାବ ରଖିବେ। ପରେ ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରାଯିବ। ସେହିଭଳି ଆସନ୍ତା ଅକ୍ଟୋବର ୨ରୁୁ ୧୭ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବ‌ା ଷୋଳପୂଜା ନୀତି ଶୃଙ୍ଖଳିତ କରିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିରରେ ଦୀର୍ଘ ୮୦୦ ବର୍ଷ ଧରି ଚାଲିଥିବା ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବାକୁ ଆପାତତଃ ଚୂଡ଼ାନ୍ତ ହୋଇଛି। ତେବେ ବଂଶାନୁକ୍ରମିକ ‌େସବା ପାଇବାକୁ ହେଲେ ସେବାୟତଙ୍କୁ ଶୃଙ୍ଖଳିତ ହେବାକୁ ପଡିବ, ସେବା ପୂଜାକୁ ଠିକ୍ ଭାବେ କରିବାକୁ ହେବ। ଏହାକୁ ତିନି ମ‌ାସ ଧରି ଅନୁଧ୍ୟାନ କରାଯିବ ବୋଲି ଜଣାପଡିଛି। ଆଜିର ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ରଙ୍କ ସମେତ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସ୍‌ପି ଡାକ୍ତର ସାର୍ଥକ ଷଡ଼ଙ୍ଗୀ ଏବଂ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତଥିଲେ।

ସମ୍ବନ୍ଧିତ ଖବର