ସ୍ନାନଯାତ୍ରା ନୀତି ଚୂଡ଼ାନ୍ତ, ରାତିରେ ପହଣ୍ଡି

ପୂର୍ବାହ୍ଣ ୧୧ଟାରୁ ହାତୀବେଶ, ସାହାଣମେଲା ଦର୍ଶନ ବନ୍ଦ

ପୁରୀ : ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତଥା ସ୍ନାନଯାତ୍ରାର ନୀତି ଚୂଡ଼ାନ୍ତ ହୋଇଛି। ନୀତି ସବ୍‌କମିଟି ଦ୍ବାରା ପ୍ରସ୍ତୁତ ନୀତିକାନ୍ତିର ନିର୍ଘଣ୍ଟ ସମୟ ଉପରେ ଛତିଶାନିଯୋଗ ଆଜି ମୋହର ମାରିଛି। ଚଳିତବର୍ଷ କରୋନା କଟକଣା ପାଇଁ ସଅଳ ନୀତି ସାରିବାକୁ ନିଷ୍ପତ୍ତି ହୋଇଛି। ଚୂଡ଼ାନ୍ତ ନୀତି ଅନୁଯାୟୀ ରାତି ଗୋଟାଏରୁ ଭୋର ୪ଟା ଭିତରେ ପହଣ୍ଡି ନୀତି ଅନୁଷ୍ଠିତ ହେବ। ପୂର୍ବାହ୍ଣ ସାଢ଼େ ୧୦ଟାରେ ଛେରାପହଁରା ପରେ ପୂର୍ବାହ୍ଣ ୧୧ଟାରୁ ମହାପ୍ରଭୁଙ୍କ ହାତୀବେଶ ଆରମ୍ଭ ହେବ। ସ୍ନାନବେଦୀରେ ନୀତିକାନ୍ତି ଶେଷ ପରେ ଅପରାହ୍ଣ ୫ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ସେହି ଅନୁଯାୟୀ ଅନ୍ୟାନ୍ୟ ନୀତି ସଂପାଦିତ ହେବ। ଆସନ୍ତା ୩୦ ତାରିଖ ପରିଚାଳନା କମିଟି ବୈଠକ ପରେ ନୀତିକାନ୍ତିରେ ଶେଷ ମୋହର ବାଜିବ। ଅନ୍ୟପଟେ କରୋନା କଟକଣା ପାଇଁ ଚଳିତବର୍ଷ ଭକ୍ତଙ୍କ ସାହାଣମେଲା ଦର୍ଶନ ବନ୍ଦ ରଖାଯାଇଛି।

ଆଜି ଛତିଶାନିଯୋଗ ବୈଠକରେ ଜୁନ ୫ ତାରିଖ ଦେବସ୍ନାନ ପୂର୍ଣ୍ଣିମା ସହ ଜୁନ ୧ରେ ରାଜେନ୍ଦ୍ରାଭିଷେକ, ଜୁନ ୨ରେ ରୁକ୍ମିଣୀ ହରଣ ଏକାଦଶୀ, ଜୁନ ୩ରେ ଚମ୍ପକଦ୍ବାଦଶୀ ଓ ଦଇତା ପ୍ରବେଶ, ଜୁନ ୪ରେ ତ୍ରୟୋଦଶୀ ତଥା ସେନାପଟା ଲାଗି ସହ ସ୍ନାନଯାତ୍ରା ପରବର୍ତ୍ତୀ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚୂଡ଼ାନ୍ତ ନୀତି ଅନୁଯାୟୀ, ୪ ତାରିଖ ରାତି ୧ଟାରେ ମଙ୍ଗଳାର୍ପଣ, ରାତି ୧ଟାରୁ ୪ଟା ଭିତରେ ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ହୋଇ ପହଣ୍ଡି ଆରମ୍ଭ ହେବ। ଭୋର ସାଢ଼େ ୪ଟାରୁ ୫ଟା ଭିତରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ସାଢ଼େ ୫ଟାରେ ଅଧରପୋଛା, ୬ଟାରେ ଅବକାଶ, ସାଢ଼େ ୬ଟାରେ ରୋଷହୋମ, ୬ଟା ୪୫ରେ ସୂର୍ଯ୍ୟପୂଜା, ୭ଟାରେ ବେଶଶେଷ ଓ ଦ୍ବାରପାଳ ପୂଜା, ସାଢ଼େ ୭ଟାରୁ ସାଢ଼େ ୯ଟା ଜଳବିଜେ, ପୂଜା, ସ୍ନାନ, ପୂର୍ବାହ୍ଣ ୧୦ଟାରେ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ ହେବ।

ପୂର୍ବାହ୍ଣ ସାଢ଼େ ୧୦ଟାରେ ଛେରା ପହଁରା ନୀତି ପରେ ପୂର୍ବାହ୍ଣ ୧୧ଟା ରୁ ୧୨ଟା ଭିତରେ ହାତୀବେଶ ଅନୁଷ୍ଠିତ ହେବ। ମଧ୍ୟାହ୍ନ ୧୨ଟାରେ ମହନ୍ତ ଶାଢ଼ୀବନ୍ଧା ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ଗୋଟାଏ ରୁ ୩ଟା ପର୍ଯ୍ୟନ୍ତ ଘଣ୍ଟଛତା, ସକାଳଧୂପ ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୪ଟାରେ ହାତୀବେଶ ମଇଲମ, ସାଢ଼େ ୪ଟାରେ ପୁଷ୍ପାଞ୍ଜଳି ଓ ଡୋରଲାଗି, ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ବାହୁଡ଼ା ପହଣ୍ଡି ନୀତି ଅନୁଷ୍ଠିତ ହେବ। ସାଢ଼େ ୮ଟାରେ ସୁନା ଚିତା ଓ ରାହୁରେଖା ମଇଲମ, ରାତି ୯ଟାରୁ ୧୨ଟା ଭିତରେ ତାଟିବନ୍ଧା, ରାତି ସାଢ଼େ ୧୨ଟାରେ ଦଶାବତାର ବିଜେ ନୀତି ଅନୁଷ୍ଠିତ ହେବ। ରାତି ଗୋଟାଏରେ ମହାସ୍ନାନ ହେବ।

ରାତି ସାଢ଼େ ଗୋଟାଏରେ ମଇଲମ, ବେଶ, ୨ଟା ରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ, ସାଢ଼େ ୩ଟାରେ ଦକ୍ଷିଣି‌ଘର ଭୋଗ, ଜୟ-ବିଜୟ ଦ୍ବାର ବନ୍ଦ, ବେହେରଣ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ। ଭୋର ୪ଟାରେ ଅନବସର ନୀତି, ୪ଟା ୫୦ରେ ପଣା ଭୋଗ, ୫ଟାରେ ବେହେରଣ ଦ୍ବାର ବନ୍ଦ ଓ ଜୟ-ବିଜୟ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ। ଅନ୍ୟ ଦିନମାନଙ୍କର ନୀତି ବି ସଅଳ ସାରିବାକୁ ନିଷ୍ପତ୍ତି ହୋଇଛି। ଏ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର କହିଛନ୍ତି, ଆଜିର ମୁଖ୍ୟ ପ୍ରସଙ୍ଗ ରହିଥିଲା ଦେବସ୍ନାନ ପୂର୍ଣ୍ଣିମା। ଏହି ନୀତିକାନ୍ତି ସହ ଯେଉଁ ସେବକମାନେ ଜଡ଼ିତ ରହିବେ, ସେମାନେ କିଭଳି କରୋନା କଟକଣାକୁ ମାନି କାମ କରିବେ ସେ ଦିଗରେ ଗୁରୁତ୍ବ ଦିଆଯାଇଛି।

ଆଉ ଦୁଇଦିନ ଭିତରେ ନୀତି ସଂପୃକ୍ତ ସମସ୍ତ ନିଯୋଗ ସ୍ନାନଯାତ୍ରା ନୀତି ସଂପାଦନ ପାଇଁ ସର୍ବନିମ୍ନ ସଦସ୍ୟ ତାଲିକା ଦେବେ। ସେହି ଅନୁଯାୟୀ କିଭଳି ସୁରୁଖୁରରେ ନୀତି ସଂପାଦିତ ହେବ ‌ସେ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ଶ୍ରୀ କୁମାର କହିଛନ୍ତି। ବୈଠକରେ ଜିଲ୍ଲାପାଳ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶ, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର