ସ୍ୱର୍ଗଦ୍ୱାରରୁ ଶବଦାହର ହେବ ସିଧା ପ୍ରସାରଣ : ଲାଗିବ ଉଚ୍ଚକ୍ଷମତା ସଂପନ୍ନ ସିସିଟିଭି, ବଢ଼ିବ ପିଣ୍ଡି; ଘରେ ବସି ମୃତକଙ୍କ ପରିଜନ ଦେଖିପାରିବେ ଶେଷକୃତ୍ୟ

ପୁରୀ : ପୁରୀ ସ୍ୱର୍ଗଦ୍ୱାରର ହେବ ନବକଳେବର। ଖାଲି ସେତିକି ନୁହେଁ, ଏଣିକି ଶବଦାହର ହେବ ସିଧା ପ୍ରସାରଣ। ମୃତକଙ୍କ ପରିବାର ଓ ଆତ୍ମୀୟସ୍ୱଜନ ଘରେ ବସି ଏହାର ସିଧାସଳଖ ଦୃଶ୍ୟ ଦେଖି ପାରିବେ। ଏ ନେଇ ବିସ୍ତୃତ ପ୍ରକଳ୍ପ ଯୋଜନା (ଡିପିଆର୍‌) ପ୍ରସ୍ତୁତ କରିଛି ପୁରୀ ପୌରସଂସ୍ଥା। ପ୍ରଥମ ଥର ପାଇଁ ଶବଦାହର ସିଧା ପ୍ରସାରଣର ଯୋଜନା କରାଯାଇଥିବା ବେଳେ ଏ ନେଇ ଅଢ଼େଇ କୋଟି ଟଙ୍କାର ବ୍ୟୟବରାଦ ବି ପ୍ରସ୍ତୁତ ହୋଇଛି। ଯେଉଁଥିରେ ସିସିଟିଭି, ପିଣ୍ଡି ସାଙ୍ଗକୁ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଗୁରୁତ୍ଵ ଦିଆଯାଇଛି। ସ୍ୱର୍ଗଦ୍ଵାରକୁ ଦୈନିକ ଶବଦାହ ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ହଜାର ହଜାର ଲୋକଙ୍କ ସୁବିଧା ଓ ଶବଦାହକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଏଭଳି ଯୋଜନା ପ୍ରସ୍ତୁତ ହୋଇଛି ବୋଲି ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ସ୍ୱର୍ଗଦ୍ଵାର ଲୋକଙ୍କ ଧାର୍ମିକ ଭାବନା ସହିତ ଜଡ଼ିତ। ଏଠାରେ ଶବଦାହ କଲେ ମୃତ ବ୍ୟକ୍ତିଙ୍କୁ ସ୍ୱର୍ଗପ୍ରାପ୍ତି ହୁଏ ବୋଲି ଦୃଢ ବିଶ୍ୱାସ ରହି ଆସିଛି। କିନ୍ତୁ ଅନେକ ସମୟରେ ଶବଦାହ ପାଇଁ ଆସୁଥିବା ଲୋକେ ସ୍ୱର୍ଗଦ୍ଵାରରେ ଶୋଷଣ ଶିକାର ହେଉଛନ୍ତି। ଏମିତିକି ଶବଦାହ ପାଇଁ ଲୋକେ ଅନେକ ସମୟରେ ହଟହଟା ହେବାର ନଜିର ରହିଛି। ତେବେ ଲୋକଙ୍କୁ ଏଭଳି ଦୁର୍ଦ୍ଦଶାରୁ ମୁକ୍ତି ପାଇଁ ପୌରସଂସ୍ଥା ଏଭଳି ନିଷ୍ପତ୍ତି ନେଇଥିବା ପୌର ନିର୍ବାହୀ ଅଧିକାରୀ ଶ୍ରୀ ତରାଇ କହିଛନ୍ତି। ଶ୍ରୀ ତରାଇଙ୍କ ସୂଚନା ମୁତାବକ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍‌ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା ପରେ ଏ ସଂକ୍ରାନ୍ତୀୟ ଡିପିଆର୍‌ (ଡିଟେଲ୍‌ ପ୍ଲାନିଂ ରିପୋର୍ଟ) ପ୍ରସ୍ତୁତ ହୋଇଛି। ଏଥିରେ ସ୍ୱର୍ଗଦ୍ଵାରକୁ ପାଚେରି ବୁଲାଇବା ଉପରେ ଗୁରୁତ୍ଵ ଦିଆଯାଇଛି। ପିଣ୍ଡି ସଂଖ୍ୟା ୪୨କୁ ବୃଦ୍ଧି ଯୋଜନା ରହିଛି। ସିସିଟିଭି ନଥିବାରୁ ଅନେକ ସମୟରେ ଯେଉଁ ବିଭ୍ରାଟ ଅଭିଯୋଗ ହୋଇଆସୁଛି ତାର ସତ୍ୟାସତ୍ୟ ଜଣାପଡ଼ୁନଥିଲା। ଏଣୁ ପୂରା ସ୍ୱର୍ଗଦ୍ଵାରକୁ ସିସିଟିଭି ନଜରରେ ରଖିବାକୁ ଯୋଜନା ରହିଛି। ଏହି କ୍ରମରେ ସ୍ୱର୍ଗଦ୍ଵାର ଭିତର ଓ ଚାରିପାଖରେ ୧୪ରୁ ଅଧିକ ଉଚ୍ଚ କ୍ଷମତା ସଂପନ୍ନ ସିସିଟିଭି ଲଗାଇବାକୁ ବ୍ୟବସ୍ଥା କରାଯାଇଛି। ଏହି ସିସିଟିଭି ଜରିଆରେ ମୃତକଙ୍କ ଶେଷକୃତ୍ୟର ସିଧା ପ୍ରସାରଣ କରାଯିବ।

ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥା ମିଳିତ ଭାବେ ସ୍ୱର୍ଗଦ୍ଵାର ନାଁରେ ଏକ ୱେବ୍‌ସାଇଟ୍‌ ଖୋଲିବେ। ଯେଉଁଥିରେ ଶବଦାହର ଲାଇଭ୍‌ ଷ୍ଟ୍ରିମିଂ କରାଯିବ। ସୁତରାଂ ମୃତକଙ୍କ ଆତ୍ମୀୟ ପରିଜନ ବିଦେଶରେ ଥିଲେ ବି ଯେ କେହି ଏହି ୱେବ୍‌ସାଇଟ୍‌ ଖୋଲି ଶବଦାହର ସିଧା ପ୍ରସାରଣ ଦେଖିପାରିବେ। ଶ୍ରାଦ୍ଧକ୍ରିୟା କରିବାରେ ବି ଲୋକେ ଅସୁବିଧା ଭୋଗୁଥିଲେ। ଶ୍ରାଦ୍ଧକ୍ରିୟା ପାଇଁ ଥିବା ପୁରୁଣା ଘର ଲୋକଙ୍କ ପାଇଁ ଯଥେଷ୍ଟ ହୋଇନଥିବାରୁ ଘର ସଂଖ୍ୟାରେ ବୃଦ୍ଧି ଓ ପୁରୁଣା ଘରର ଉନ୍ନତିକରଣ ଲକ୍ଷ୍ୟ ରଖାଯାଇଛି। ସେହିପରି ସ୍ୱର୍ଗଦ୍ଵାରରେ ବିଶୃଙ୍ଖଳା ରୋକିବା ପାଇଁ ସୁରକ୍ଷା କର୍ମୀ ନିଯୁକ୍ତି ଉପରେ ଗୁରୁତ୍ଵାରୋପ କରାଯାଇଛି। ଯେଉଁମାନେ ଶବଦାହ ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ସେମାନଙ୍କ କାମ ତଦାରଖ ପାଇଁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରାଯାଇଛି। ଯେଉଁମାନେ ଆଗ ଶବଦାହ ପାଇଁ ଆସୁଛନ୍ତି ସେମାନେ କିପରି ଆଗ ଶବଦାହ କରି ଫେରିବେ ତା’ ଉପରେ ବି ଗୁରୁତ୍ଵ ଦିଆଯାଇଛି। କ୍ରମିକ ନମ୍ବର ଅନୁଯାୟୀ ଶବଦାହ ହେଉଛି କି ନାହିଁ ସେ ସଂପର୍କରେ ସିସିଟିଭି ଓ ତଦାରଖ ପାଇଁ ନିଯୁକ୍ତ ଲୋକେ ନଜର ରଖିବେ। ଏଥିପାଇଁ ଅଢ଼େଇ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି। କିନ୍ତୁ ପୌରସଂସ୍ଥା ପାଖରେ ବର୍ତମାନ ମାତ୍ର ୬୩ ଲକ୍ଷ ଟଙ୍କା ରହିଛି। ବାକି ଟଙ୍କା କୋଉ ସୂତ୍ରରୁ ଆସିବ ସେ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି। ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା କରାଯାଇଛି ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ତରାଇ କହିଛନ୍ତି।

ସମ୍ବନ୍ଧିତ ଖବର