ସୀମା ଟପିଲାଣି ସ୍ବର୍ଗଦ୍ବାର ଅତ୍ୟାଚାର : ଶବ ପୋଡ଼ିବାକୁ ଆସିଥିଲେ, କାଠ ଫାଳିଆରେ ନିର୍ଘାତ ମାଡ଼ ଖାଇଲେ

ପୁରୀ : ସ୍ବର୍ଗଦ୍ବାରରେ ଅତ୍ୟାଚାର ସୀମା ଟପିଲାଣି। ଶବଦାହ ପାଇଁ ମୃତକଙ୍କ ଆତ୍ମୀୟ ପରିଜନଙ୍କୁ ଏଠାରେ ଶୋଷଣ କରାଯାଉଥିବା ବେଳେ ଏବେ ମରଣାନ୍ତକ ଆକ୍ରମଣ କରିବାକୁ ପଛାଉନାହାନ୍ତି। ବୁଧବାର ରାତି ୧୧ଟା ବେଳେ ସ୍ବର୍ଗଦ୍ବାରକୁ ଶବ ପୋଡିବାକୁ ଆସିଥିବା ଜଣେ ମୃତକଙ୍କ ସଂପର୍କୀୟଙ୍କୁ କାଠ ଫାଳିଆରେ ନିର୍ଘାତ ମାଡ଼ ହୋଇଛି। ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର ଏୟାରପୋର୍ଟ କଲୋନିର ଲକ୍ଷ୍ମୀଧର ସାହୁ ତାଙ୍କର ଜ‌ଣେ ସଂପର୍କୀୟଙ୍କ ଶବ ସଂସ୍କାର ପାଇଁ ଆଜି ସ୍ବର୍ଗଦ୍ବାର ଆସିଥିଲେ। ଶବ ସଂସ୍କାର ପାଇଁ ଆବଶ୍ୟକ କାଗଜପତ୍ର ଦେଖାଇବା ପରେ ସେଠାରେ ଉପସ୍ଥିତ ଜଣେ ଯୁବକ ଏବେ ଶବ ସଂସ୍କାର ହୋଇପାରିବ ନାହିଁ, କଲେକ୍ଟର ଆସିବେ, ପଳାଇଯା ବୋଲି କହିଥିଲେ। ତେବେ ମୃତକଙ୍କ ସଂପର୍କୀୟ ଏହାର ପ୍ରତିବାଦ କରିଥିଲେ। ସେମାନେ କାଗଜପପତ୍ର ଦେଖାଇଲା ବେଳେ ସଂପୃକ୍ତ ଯୁବକ ଜଣକ ଏହାକୁ ଫିଙ୍ଗି ଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ‌ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ‌ଯୁବକ ଜଣକ ସେଠାରେ ପଡିଥିବା ଏକ କାଠ ଫାଳିଆରେ ଲକ୍ଷ୍ମୀଧରଙ୍କୁ ଗୋଡେଇ ଗୋଡେଇ ବାଡେଇଥିଲା। ଏ ନେଇ ଲକ୍ଷ୍ମୀଧର ଅଭିଯୋଗ କରିଥିଲେ ମଧ୍ୟ ଅଭିଯୁକ୍ତ ନାମରେ ଥାନାରେ ଏତଲା ହୋଇନାହିଁ। ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର