ଶବଦାହ ପାଇଁ ସ୍ୱର୍ଗଦ୍ୱାରରେ ସ୍ଥାନାଭାବ : ଶବଦାହ ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି, ନାଲିଫିତା ତଳେ ଚାପି ହୋଇ ରହିଯାଇଛି ସ୍ୱର୍ଗଦ୍ୱାରର ବିକାଶ

ପୁରୀ : ଶ୍ରୀମନ୍ଦିର ଭଳି ସ୍ବର୍ଗଦ୍ବାର ମଧ୍ୟ କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ। ଏଥିପାଇଁ ପ୍ର‌ତ୍ୟହ ଶହ ଶହ ସଂଖ୍ୟାରେ ମୃତଦେହ ସ୍ବର୍ଗଦ୍ବାରକୁ ଦାହ ପାଇଁ ଆସୁଛି। କିନ୍ତୁ ସ୍ବର୍ଗଦ୍ବାରରେ ସ୍ଥାନାଭାବ ଶବଦାହରେ ଅନ୍ତରାୟ ସୃଷ୍ଟି କରୁଛି। ମୃତକଙ୍କ ଆତ୍ମୀୟସ୍ବଜନଙ୍କୁ ଶବଦାହ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। କେବଳ ଶବସଂସ୍କାର ନୁହେଁ, ଏଥିପାଇଁ ଅର୍ଦ୍ଧପିଣ୍ଡ ଓ ଅନ୍ୟାନ୍ୟ ବିଧିବିଧାନ ପାଇଁ ବି ଘୋର ଅସୁବିଧା ସୃଷ୍ଟି ହେଉଛି।

ମିଳିଥିବା ସୂଚନା ମୁତାବକ, ସ୍ବର୍ଗଦାରର ବିକାଶ ପାଇଁ ୧୯୮୮ ମସିହାରେ ପୁରୀ ପୌରସଂସ୍ଥାକୁ ସ୍ବର୍ଗଦ୍ବାର ନାଁରେ ୧ ଏକର ଜମି ଦିଆଯାଇଥିଲା। କାଳକ୍ରମେ ଏହି ୧ ଏକର ଜାଗାରୁ ୫୩୫ ଡେସିମିଲ୍ ଜାଗାକୁ ପ୍ରତିପତିଶାଳୀ ରାଜନେତା, ସେବାୟତମାନେ ଦଖଲ କରି ନେଇଥିଲେ। ଏହି ଜମିରେ କେଉଁଠି ହୋଟେଲ ତ’ କେଉଁଠି ଗେଷ୍ଟ ହାଉସ୍, ପୁଣି କେଉଁଠି ମଦ ଦୋକାନ ଠିଆ ହୋଇଛି। ଫଳରେ ସ୍ବର୍ଗଦ୍ବାରର ମାତ୍ର ୪୬୫ ଡେସିମିଲ୍ ଜାଗା ରହିଥିଲା। ଦୁଇ ବର୍ଷ ତଳେ ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ବିଭିନ୍ନ ସଂଗଠନ, ରାଜନୈତିକ ଦଳ। ଏହି ଘଟଣା ପରେ ସ୍ବର୍ଗଦ୍ବାର ଓ ଏହା ସଂଲଗ୍ନ ପ୍ରାୟ ୩୦ ଏକର ସରକାରୀ ଜମିର ମାପଚୁପ ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କ ନାଁରେ ଥିବା ଏହି ଜମିକୁ ନେଇ ବିବାଦ ଦେଖାଦେବା ପରେ ଶ୍ରୀମନ୍ଦିର ପ୍ରଶାସନର ନିଦ ଭାଙ୍ଗିଥିଲା। ସେ ସମୟରେ ଶ୍ରୀମନ୍ଦିର ପ୍ରଶାସନ ନିଜ ଜାଗାକୁ ଦଖଲକୁ ନେବାକୁ ଉଦ୍ୟମ ଆରମ୍ଭ କରିଥିଲା। ସେତେବେଳେ ପୁରୀ ତହସିଲଦାରଙ୍କ କୋର୍ଟରେ ଏହି ମାମଲାର ବିଚାର ହୋଇଥିଲା। ଯେଉଁମାନେ ଏହି ଜାଗାକୁ ଜବରଦଖଲ କରି ରଖିଥିଲେ, ସେମାନଙ୍କ ନାମ ବି ପଦାକୁ ଆସିଥିଲା। ସେ ସମୟରେ ସ୍ବର୍ଗଦ୍ବାରର ସ୍ଥାନାନ୍ତର ପ୍ରସଙ୍ଗ ବି ଉଠିଥିଲା। କିନ୍ତୁ ଧାର୍ମିକ ଭାବନା ସହ ଜଡ଼ିତ ଏହି ସ୍ଥାନରୁ ଅନ୍ୟତ୍ର ସ୍ଥାନାନ୍ତରଣକୁ ଦୃଢ଼ ବିରୋଧ ହୋଇଥିଲା। ବିଭିନ୍ନ ସଂଗଠନ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବହୁ ବାଦବିବାଦ ପରେ ପ୍ରଶାସନ ସ୍ବର୍ଗଦ୍ବାରର ବିକାଶ ସହ ସଂପ୍ରସାରଣ କଥା ଚିନ୍ତା କରିଥିଲା। ସ୍ବର୍ଗଦ୍ବାର ନାମରେ ଥିବା ଜମିକୁ ଫେରାଇ ଆଣିବା ସହ ଶବଦାହ ପାଇଁ ଆବଶ୍ୟକ ସମସ୍ତ ସୁବିଧା ସୁଯୋଗ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଅତୀତରେ ଏ ନେଇ ଡିପିଆର ବି ପ୍ରସ୍ତୁତ ହୋଇଥିଲା। ଯେଉଁଥିରେ ପିଣ୍ଡି ନିର୍ମାଣ ସହ ସୁରକ୍ଷା କର୍ମୀ, ସିସି କ୍ୟାମେରା ଆଦି ବ୍ୟବସ୍ଥା ରହିଥିଲା। ଅଧିକାରୀ ବଦଳିବା ସହ ପୁଣି ନୂଆ ଯୋଜନା ପ୍ରସ୍ତୁତ ହେଲା। ବମ୍ବେର ଏକ ସଂସ୍ଥା ଜରିଆରେ ନକ୍ସା ପ୍ରସ୍ତୁତ ଯୋଜନା ହେଲା। ତାର ସ୍ଥିତି କ’ଣ ଅଛି, ସେ ବିଷୟରେ ବି କେହି ସଠିକ୍ କହି ପାରୁନାହାଁନ୍ତି। ସମୟ ଗଡ଼ିବା ସହ ସ୍ବର୍ଗଦ୍ବାରର ବିକାଶ ଓ ସଂପ୍ରସାରଣ ପ୍ରସଙ୍ଗକୁ ବି ସମସ୍ତେ ଭୁଲି ଗଲେଣି। ଅନ୍ୟପଟେ ସ୍ବର୍ଗଦ୍ବାର ଜମିକୁ ନେଇ ରହିଥିବା ବିବାଦର ଏ ପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ। କାଳକ୍ରମେ ଏହା ପ୍ରଶସ୍ତ ହେବା ବଦଳରେ ସଂକୁଚିତ ହେବାରେ ଲାଗିଛି। ଏ ସଂପର୍କରେ ପୁରୀ ପୌର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶଙ୍କୁ ପଚାରିବାରୁ ସେ କହିଥିଲେ ଯେ, ସ୍ବର୍ଗଦ୍ବାରର ବିକାଶର ନକ୍ସା ପ୍ରସ୍ତୁତ ପାଇଁ ବମ୍ବେର ଏକ ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା। ସଂସ୍ଥା ନକ୍ସାର ଚୂଡ଼ାନ୍ତ ରିପୋର୍ଟ ଦେଇନାହିଁ। ରିପୋର୍ଟ ମିଳିବା ପରେ ଏ ନେଇ ଯାହା କିଛି କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର