ଶ୍ରୀମନ୍ଦିର ଚତୁଃପାର୍ଶ୍ବ ମାପଚୁପ ବେଳେ ଗଣ୍ଡଗୋଳ, ଅଧିକାରୀ-ବିସ୍ଥାପିତ ମୁହାଁମୁହିଁ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ପାଇଁ ଆଜି ମାପଚୁପ ବେଳେ ଅଧିକାରୀ-ବିସ୍ଥାପିତ ମୁହାଁମୁହିଁ ହୋଇଛନ୍ତି। ଢ଼େର ସମୟ ଏ ନେଇ ଉତ୍ତେଜନା ଦେଖାଦେବା ସହ ମାପଚୁପ ବନ୍ଦ ରହିଥିଲା। ଅତିରିକ୍ତ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି। ତେବେ ଏହି ବାଦବିବାଦ ଭିତରେ ଆଜି ମାପଚୁପ ବନ୍ଦ ରହିବା ସହ ସରକାରୀ ଅଧିକାରୀମାନେ ଅଧାରୁ ଫେରି ଆସିଛନ୍ତି।

ଗତ ୧୬ ତାରିଖରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ମାପଚୁପ ଆରମ୍ଭ ହୋଇଛି। ମାପଚୁପ ସରିବା ପରେ ବନ୍ଦ ରହିଥିବା ଉଚ୍ଛେଦ କାର୍ଯ୍ୟ ପୁଣି ଆରମ୍ଭ ହେବ। ଏହି କ୍ରମରେ ଆଜି ସକାଳେ ପଶ୍ଚିମ ଓ ଦକ୍ଷିଣଦ୍ବାର ପାର୍ଶ୍ବ ମାପଚୁପ ଆରମ୍ଭ ହୋଇଥିଲା। ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ଆର୍‌ଆଇ, ଅମିନମାନେ ମାପଚୁପ କରିବା ବେଳେ ସ୍ଥାନୀୟ ଲୋକମାନେ ବିରୋଧ କରିଥିଲେ। ବିନା ସୂଚନାରେ ଅଧିକାରୀମାନେ ଘରେ ପଶି ମାପଚୁପ କରୁଥିବାରୁ ଗାଣ୍ଡୁଆ ଚଉରା ଛକ ନିକଟ ମଣିକର୍ଣ୍ଣାକା ସାହିଠାରେ ଉତ୍ତେଜନା ଦେଖାଦେବା ସହ ଲୋକମାନେ ଏହାର ଜୋରଦାର ପ୍ରତିବାଦ କରିଥିଲେ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଅଧିକାରୀମାନେ ମାପଚୁପ ପୂର୍ବରୁ କିଛି ବି ସୂଚନା ଦେଉନାହାନ୍ତି। ନା ଏ ସଂପର୍କରେ କୌଣସି ଚିଠି କରାଯାଉଛି, ନା ପୂର୍ବରୁ କିଛି ସୂଚନା ଦିଆଯାଉଛି। ଜୋରଜବରଦସ୍ତ ଅଧିକାରୀମାନେ ଘରେ ପଶି ମାପଚୁପ କରୁଛନ୍ତି। କିଏ କାହା ଛାତ ଉପରେ ଚଢ଼ି ମାପଚୁପ କଲାଣି ତ’ କିଏ କାହା ଅଗଣାରେ ପଶି ମାପଚୁପ କରୁଛି। କାହା ଘରେ ପଶିବା ପୂର୍ବରୁ ଗୃହକର୍ତାଙ୍କ ଅନୁମତି ନେବାକୁ ଏହି ସରକାରୀ ଅଧିକାରୀମାନେ ଭୁଲି ଯାଉଛନ୍ତି। ସେପଟେ ପୁଲିସମାନେ ବି ଜୋତା ପିନ୍ଧା ଅବସ୍ଥାରେ ସିଧାସଳଖ ଘରେ ପଶିଯାଉଛନ୍ତି। ବିନା ସୂଚନାରେ ଏଭଳି ମାପଚୁପ ଠିକ୍ ନୁହେଁ ବୋଲି ଅଭିଯୋଗ କରି ଲୋକମା‌ନେ ଏହାକୁ ଦୃଢ଼ ବିରୋଧ କରିଥିଲେ। ଅଧିକାରୀମାନଙ୍କୁ ଗାଳିଗୁଲଜ କରିବା ସହ ମାପଚୁପ କରାଇ ଦେଇନଥିଲେ। ଘଣ୍ଟାଏରୁ ଅଧିକ ସମୟ ଉତ୍ତେଜନା ଦେଖାଦେବା ପରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ବନଦୁର୍ଗା ଠାକୁରାଣୀଙ୍କ ମନ୍ଦିରରେ ସ୍ଥାନୀୟ ଲୋକ ଓ ପ୍ର‌ାଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା। ତେବେ ଏହି ଘଟଣା ପରେ ଅଧିକାରୀମାନେ ଆଉ ମାପଚୁପ ନକରି ଘଟଣାସ୍ଥଳରୁ ଫେରି ଆସିଥିଲେ। ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପ୍ରଶାସନ ଏହା ମଧ୍ୟରେ ସିଂହଦ୍ବାର ସହ ଅନ୍ୟାନ୍ୟ ଦ୍ବାରରେ ମାପଚୁପ କରି ହଳଦିଆ ଚିହ୍ନ ଦେବା ଆରମ୍ଭ କରିଛି। ଉଭୟ ମାପ ଫିତା ଓ ଡିଜିପିଏସ୍ ଜରିଆରେ ଏହି ମାପଚୁପ କରାଯାଉଛି।

ସମ୍ବନ୍ଧିତ ଖବର