ଯାତ୍ରୀ ପଣ୍ଡାଙ୍କୁ ତାଲିକା ମାଗିଲା ମନ୍ଦିର ପ୍ରଶାସନ

ପୁରୀ : ଶ୍ରୀମନ୍ଦିର ସଂସ୍କାରକୁ ନେଇ ମନ୍ଦିର ପ୍ରଶାସନ ଅଣ୍ଟା ଭିଡିଛି। ମନ୍ଦିର ଭିତରେ ଯେମିତି ଯାତ୍ରୀଙ୍କୁ ଶୋଷଣ, ଦୁର୍ବବ୍ୟହାର ନ ହେବ ସେଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ଯାତ୍ରୀ ପଣ୍ଡାଙ୍କୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୪୫ ଜଣ ଯାତ୍ରୀ ପଣ୍ଡା ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ବୈଠକର ନିଷ୍ପତ୍ତି ମୁତାବକ, ଶ୍ରୀମନ୍ଦିର ସେବା ସହିତ ସଂପୃକ୍ତ ଥିବା କେତେ ଜଣ ଯାତ୍ରୀ ପଣ୍ଡା ରହିଛନ୍ତି ତାର ତାଲିକା ମନ୍ଦିର ପ୍ରଶାସନ ମାଗିଛି। ଏ ନେଇ ଗଠିତ ସବ୍‌କମିଟି ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତ ଯାତ୍ରୀ ପଣ୍ଡାଙ୍କ ତାଲିକା ପ୍ରଦାନ କରିବାକୁ କହିଛି। ଯାତ୍ରୀ ପଣ୍ଡାଙ୍କ ତାଲିକା ମିଳିବା ପରେ ମନ୍ଦିର ପ୍ରଶାସନ ସେମାନଙ୍କୁ ପରିଚୟପତ୍ର କିମ୍ବା ପାସ୍‌ ପ୍ରଦାନ କରିବ। ଏଥି ସହିତ ବଂଶାନୁକ୍ରମିକ କୌଳିକ ଯାତ୍ରୀ ପଣ୍ଡା ଓ ତାଙ୍କ ଅଧୀନରେ କାମ କରୁଥିବା ଗୁମାସ୍ତାଙ୍କୁ ତାଲିକା ପ୍ରଦାନ କରିବାକୁ ମଧ୍ୟ କୁହାଯାଇଛି। ତେବେ ଗୁମାସ୍ତା ସିଧାସଳଖ ସେବାୟତ ହୋଇନଥିବାରୁ ସେମାନେ ଯଦି କିଛି ତ୍ରୁଟି କରିବେ ସେଥି ପାଇଁ ସଂପୃକ୍ତ ଯାତ୍ରୀ ପଣ୍ଡା ଉତ୍ତରଦାୟୀ ରହିବେ। ପରିଚୟପତ୍ର ନଥିଲେ କେହି ବି ଯାତ୍ରୀପଣ୍ଡା, ଗୁମାସ୍ତା ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ। ବୈଠକରେ ଦାମୋଦର ମହାସୁଆର, ରଜତ ପ୍ରତିହାରୀଙ୍କ ସମେତ କିଛି ପ୍ରମୁଖ ଯାତ୍ରୀ ପଣ୍ଡା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର