ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଘଟଣାରେ ନୂଆ ମୋଡ଼ : ରାଷ୍ଟ୍ରପତି ଭବନରୁ କୌଣସି ଚିଠି ଆସିନାହିଁ ବୋଲି କହିଲେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ

ପୁରୀ : ଶ୍ରୀମନ୍ଦିରରେ ଭାରତର ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଘଟଣା ନୂଆ ମୋଡ଼ ନେଇଛି। ଖବର ପ୍ରକାଶ ପାଇଥିଲା କି ଗତ ମାର୍ଚ୍ଚ ୧୮ରେ ରାଷ୍ଟ୍ରପତି ସସ୍ତ୍ରୀକ ପୁରୀ ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିବା ବେଳେ ଶ୍ରୀମନ୍ଦିରରେ ନିର୍ଦ୍ଦିଷ୍ଟ ସେବାୟତ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏ ନେଇ ରାଷ୍ଟ୍ରପତି ଭବନରୁ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ଏକ ଚିଠି ଆସିଥିଲା ବୋଲି ଜଣାପଡ଼ିଥିଲା। କେତେକ ଗଣମାଧ୍ୟମରେ ଏହି ଚିଠିର ନକଲ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ତେବେ ଗୁରୁବାର ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ପ୍ରଦୀପ୍ତ ମହାପାତ୍ର । ତାଙ୍କ ପାଖରେ ଏ ନେଇ କୌଣସି ଖବର ନାହିଁ ଓ ରାଷ୍ଟ୍ରପତି ଭବନରୁ କିଛି ଚିଠି ତାଙ୍କ ପାଖକୁ ଆସିନଥିବା ପ୍ରକାଶ କରିଛନ୍ତି।

ଗତ ମାର୍ଚ୍ଚ ୧୮ରେ ରାଷ୍ଟ୍ରପତି ସସ୍ତ୍ରୀକ ପୁରୀ ଶ୍ରୀମନ୍ଦିର ପରିଦର୍ଶନ ପାଇଁ ଆସିଥିବା ବେଳେ ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ନେଇ ଅଭିଯୋଗ ଆସିଥିଲା । ତେବେ ଏମିତି ଏକ ସାଙ୍ଘାତିକ ଅଭିଯୋଗ ସେତେବେଳେ ସାମନାକୁ ଆସିଥିଲା ଯେତେବେଳେ ରାଷ୍ଟ୍ରପତି ଭବନରୁ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ଏକ ଚିଠି ଆସିଥିଲା ।

ଯେଉଁ ଚିଠିରେ ଦର୍ଶାଯାଇଥିଲା ଯେ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଗସ୍ତ ବେଳେ ଦୁଇ ଜଣ ସେବାୟତ ତାଙ୍କ ଦେହରେ ଓ ପତ୍ନୀ ସବିତା କୋବିନ୍ଦଙ୍କ ଦେହରେ ଘଷି ହୋଇଯାଇଥିଲେ । ଖାଲି ସେତିକି ନୁହେଁ, ରାଷ୍ଟ୍ରପତି ଶ୍ରୀଜିଉଙ୍କୁ ଦର୍ଶନ ପରେ ସେବାୟତଙ୍କୁ କୌଣସି ଦକ୍ଷିଣା ଦେଇ ନଥିବା ନେଇ ମଧ୍ୟ ସେବାୟତ ଗଣମାଧ୍ୟମରେ ବୟାନ ଦେଇଥିଲେ, ଯାହାକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ଚିଠି ମାଧ୍ୟମରେ ଅସନ୍ତୋଷ ପ୍ରକାଶ କରାଯାଇଥିଲା ।

ଏହା ମଧ୍ୟ ଅଭିଯୋଗ ହୋଇଥିଲା କି ରତ୍ନ ସିଂହାସନରେ ମଥା ରଖିବା ପାଇଁ ମହାମହିମ ରାଷ୍ଟ୍ରପତି ଯିବା ବେଳେ ସେଠାରେ ଉପସ୍ଥିତ ଖୁଂଟିଆ ମେକାପ ସେବକଙ୍କୁ ଆଡେଇ ନ ଥିଲେ । କେତେକ ସେବକ ମହାମହିମ ରାଷ୍ଟ୍ରପତିଙ୍କ ଦେହରେ ଘଷି ହୋଇ ଯାଉଥିଲେ । ଏପରିକି ମହାମହିମ ରାଷ୍ଟ୍ରପତିଙ୍କ ପତ୍ନୀ ଯେ କି ଭାରତବର୍ଷର ପ୍ରଥମ ମହିଳା ତାଙ୍କ ଦେହରେ ମଧ୍ୟ ଘଷି ହେବା ଯୋଗୁଁ ମହାମହିମ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ତରଫରୁ ଅସନ୍ତୋଷ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର