ପୁରାତନ ବିଦ୍ୟାର୍ଥୀ ଶିକ୍ଷାୟତନର ଅମୂଲ୍ୟ ସମ୍ପଦ: ସୌମ୍ୟ

ପୁରୁଣିଆ ସ୍କୁଲର ଶତବାର୍ଷିକ ସମାରୋହର ଦ୍ୱିତୀୟ ସନ୍ଧ୍ୟା

ଆନନ୍ଦପୁର : ଆଜିର ସରକାରୀ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବାଟବଣା। ଭୋଟ୍‌ କାଙ୍ଗାଳ ନେତାମାନଙ୍କ ପାଇଁ ଏହା ଦୁଇ ଭାଗରେ ବିଭକ୍ତ ହୋଇ ସମାଜର ବିକାଶରେ ଅନ୍ତରାୟ ସୃଷ୍ଟି କରିଛି ବୋଲି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପୁରୁଣିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ସମାରୋହର ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ପୁରାତନ ଛାତ୍ର ତଥା ଅବସରପ୍ରାପ୍ତ ଶିକ୍ଷା ନିର୍ଦେଶକ ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଆଜିର ଶିକ୍ଷା ବ୍ୟବସ୍ଥାକୁ ନେଇ ବେଶ୍‌ ଚିନ୍ତା ବ୍ୟକ୍ତ କରିଥିଲେ। କହିଥିଲେ, ସରକାର ଯେତେ ମନଲୋଭା ଯୋଜନା ପ୍ରସ୍ତୁତ କଲେ ମଧ୍ୟ ଶିକ୍ଷା ବ୍ୟବସ୍ଥାରେ ସୁଧାର ନ ଆସିଲେ ଓଡ଼ିଶାର ପ୍ରଗତି ସମ୍ଭବ ନୁହେଁ। ତେଣୁ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜର ପ୍ରଶ୍ନ ପଚାରିବାର ଅଧିକାରକୁ ଜାହିର୍‌ କରିବାକୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଆହ୍ଵାନ ଦେଇଛନ୍ତି। ପରିବର୍ତ୍ତିତ ସମୟରେ ଶିକ୍ଷା ବ୍ୟବସ୍ଥା ଯେତେ ବିପର୍ଯ୍ୟସ୍ତ ହେଲେ ମଧ୍ୟ ପୁରାତନ ଛାତ୍ରଛାତ୍ରୀମାନେ ଦେଶ ବିଦେଶରେ ସଫଳତା ଅର୍ଜି ଶିକ୍ଷାନୁଷ୍ଠାନର ଗୌରବ ବଜାୟ ରଖିଛନ୍ତି। ଏମାନେ ହିଁ ଶିକ୍ଷାୟତନର ଅମୂଲ୍ୟ ସମ୍ପଦ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ନୂଆଦିଲ୍ଲୀ ଏମ୍‌ସର ଟେଲି ମେଡ଼ିସିନ୍‌ ବିଭାଗର ପ୍ରଫେସର ଡାକ୍ତର ଚନ୍ଦ୍ରଶେଖର ବଳ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଭାରତ ଓ ବିଦେଶର ଶିକ୍ଷା ବ୍ୟବସ୍ଥାର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ। ଆଜିର ଶିକ୍ଷାବିତ୍‌ମାନେ ହିଁ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣି ପାରିବେ ବୋଲି ଡାକ୍ତର ବଳ ମତବ୍ୟକ୍ତ କରିଥିଲେ।

ସମାରୋହର ଉଦ୍‌ଘାଟନୀ ସଭାରେ ଗତକାଲି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ବିଦ୍ୟାଳୟକୁ କୌଣସି ବ୍ୟକ୍ତି ବେସରକାରୀ ଭାବେ ଯେତିକି ଅନୁଦାନ ଯୋଗାଇ ଦେଉଛନ୍ତି, ତା’ଠାରୁ ଦୁଇ ଗୁଣା ଅଧିକ ଟଙ୍କା ସମ୍ପୃକ୍ତ ସ୍କୁଲକୁ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ମନ୍ତ୍ରୀଙ୍କ ଘୋଷଣା ପରଦିନ ଆଜି ଡାକ୍ତର ବଳ ବେସରକାରୀ ଭାବେ ବିଦ୍ୟାଳୟର ପାଠାଗାର ପାଇଁ ୫ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ମନ୍ତ୍ରୀଙ୍କ ଘୋଷଣା ମୁତାବକ, ୫ଲକ୍ଷର ଦୁଇ ଗୁଣା ଅର୍ଥାତ୍‌ ୧୦ଲକ୍ଷ ଟଙ୍କା ସରକାର ଯୋଗାଇ ଦେଲେ ୧୫ଲକ୍ଷ ଟଙ୍କାରେ ସ୍କୁଲରେ ଏକ ଅତ୍ୟାଧୁନିକ ଓ ବୃହତ୍ତ ପାଠାଗାର ପ୍ରତିଷ୍ଠା ହୋଇ ପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ବଉଳା କଲେଜର ପ୍ରାଧ୍ୟାପକ ଶିବଚରଣ ଖାମୁରାଇ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ଆନନ୍ଦପୁର ବିଡିଓ ଉମାକାନ୍ତ ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ସଫଳ ଛାତ୍ରଛାତ୍ରୀ ଦେବେନ୍ଦ୍ର ବଳ, ତପସ୍ୱିନୀ ପରିଡ଼ା, ଶାରଦା ପ୍ରସାଦ ରାଉତ, ରଶ୍ମୀରଞ୍ଜନ ନାୟକ, ସୌମ୍ୟରଞ୍ଜନ ରାଉଳ, ସୁକୁମାର ବିଶ୍ୱାଳ, ଅଭିପ୍‌ସା ବଳ, ପ୍ରତ୍ୟୁଷ କୁମାର ମଲ୍ଲିକ, ଶେଖର ସୁମନ ବିଶ୍ୱାଳ, ସୌମ୍ୟରଞ୍ଜନ ରାଉତଙ୍କ ସମେତ ୨୧ଜଣ ପୁରାତନ ଶିକ୍ଷକଙ୍କୁ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର